ଚାକିରି କରେଇଦେବା ନାଁରେ କୋଟିଏରୁ ଅଧିକ ଠଙ୍କାର ଠକେଇ: ୫ଜଣଙ୍କୁ ବାନ୍ଧିଲା ବାଲେଶ୍ୱର ସହଦେବଖୁଣ୍ଟା ଥାନା ପୋଲିସ

107

କନକ ବ୍ୟୁରୋ: ଚାକିରି କରାଇଦେବା ନାଁରେ କୋଟିଏରୁ ଅଧିକ ଟଙ୍କାର ଠକେଇ । ଏହି ଅଭିଯୋଗରେ ୫ଜଣଙ୍କୁ ବାଲେଶ୍ୱର ସହଦେବଖୁଂଟା ଥାନା ପୋଲିସ ଗିରଫ କରିଥିବା ବେଳେ ମୁଖ୍ୟ ଦଲାଲ ଏବେ ବି ଫେରାର ଅଛି । ଗିରଫ ୫ଜଣଙ୍କ ମଧ୍ୟରୁ ୪ଜଣ ଯୁବକ ଥିବା ବେଳେ ଜଣେ ମହିଳା ଅଛନ୍ତି । ଗିରଫ ହୋଇଥିବା ସମସ୍ତ ପୁରୁଷ ଓ ମହିଳା ବାଲେଶ୍ୱରର ବୋଲି ଜଣାପଡ଼ିଛି । ଏମାନେ ପାଖାପାଖି ୧୦୦ରୁ ଉଦ୍ଧ୍ୱର୍ ଯୁବକ ଓ ଯୁବତୀଙ୍କ ଠାରୁ ବନ ବିଭାଗ, ପଂଚାୟତିରାଜ ବିଭାଗ, ଟାଟା ଷ୍ଟିଲ, ରେଲୱେ ଭଳି ସଂସ୍ଥାରେ ଚାକିରି କରାଇଦେବାକୁ କହି ଠକେଇ କରିଛନ୍ତି । ଚାକିରି ପାଇଁ ଆଶାୟୀ ମାନଙ୍କୁ ବିଭିନ୍ନ ସମୟରେ ଭୁବନେଶ୍ୱରରେ ଇଂଟରଭ୍ୟୁ ନେଇ ବିଶ୍ୱାସ ଜନ୍ମାଉଥିଲେ । ପରବର୍ତି ସମୟରେ ନକଲି ନିଯୁକ୍ତି ପତ୍ର ଦେଉଥିଲେ । ନକଲି ନିଯୁକ୍ତି ପତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋଗ ଲଗାଇଥିଲେ ଠକ । ଜଣ ଜଣଙ୍କ ଠାରୁ ୮୦ ହଜାରରୁ ଦେଢ଼ଲକ୍ଷ ପର୍ଯ୍ୟନ୍ତ ଟଙ୍କା ନେଉଥିଲେ । ନଗଦ ୩ଲକ୍ଷ ଟଙ୍କା, ୧୦ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର, ୮୦ ଲକ୍ଷ୍ୟ ଟଙ୍କାର ସମ୍ପତି ସିଜ୍ କରାଯାଇଛି । ୨୮ ଲକ୍ଷ ଟଙ୍କା ଥିବା ୧୦ଟି ବ୍ୟାଙ୍କ ଆକାଉଂଟକୁ ଫ୍ରିଜ୍ କରାଯାଇଛି । ବସ୍ତା, ସୋର, ଜଳେଶ୍ୱର, ବାଲେଶ୍ୱର ଟାଉନର ଅନେକ ଯୁବକ ଓ ଯୁବତୀ ଏହି ଠକେଇର ଶିକାର ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ବାଲେଶ୍ୱର ଏସପି ସାଗରିକା ନାଥ । ଏହି ଘଟଣାରେ ଆହୁରି ୫ରୁ ୬ଜଣଙ୍କର ସମ୍ପୃକ୍ତି ଥିବା ବେଳେ ସେମାନଙ୍କୁ ଖୁବ୍ ଶିଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଏସପି ।