ସୁବର୍ଣ୍ଣପୁର ବିରମହାରାଜପୁର ସଦର ଟାଉନରୁ ଆସିଲା ହୃଦୟ ବିଦାରକ ଚିତ୍ର: ମାଆ ଆଖି ଆଗରେ ଚାଲିଗଲା ଝିଅର ଜୀବନ

1,284

କନକ ବ୍ୟୁରୋ: ଛୁଆଟିଏ କୂଅରେ ବୁଡ଼ି ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ହସ୍ପିଟାଲକୁ ଆସିଥିଲା । ତା ପାଖକୁ ଚିକିତ୍ସା ଯୋଗାଇଦେବାକୁ ଡ଼ାକ୍ତର ଓ ନର୍ସ ଦୌଡ଼ିଯାଇଥିଲେ । ହେଲେ ଯେତେବେଳେ ନର୍ସ ଦେଖିବେ ଯେଉଁ ପିଲାଟିକୁ ସେ ଚିକିତ୍ସା ଦେବାକୁ ଆସିଛନ୍ତି ସେ ତାଙ୍କର ନିଜର ୩ବର୍ଷର କୁନି ଝିଅ । ସେତେବେଳେ ତାଙ୍କ ପାଦତଳୁ ମାଟି ଖସିଯାଇଥିଲା । ନିଜକୁ ବିଶ୍ୱାସ କରିପାରୁନଥିଲେ ବି ଷ୍ଟାଫ୍ ନର୍ସ ଭାବେ କାର୍ଯ୍ୟରତ ମା’ ବାରମ୍ବାର ଭଗବାନଙ୍କୁ ହାତଯୋଡ଼ି ଝିଅର ଜୀବନ ଭିକ୍ଷା କରୁଥିଲେ । ପିଲାଟିକୁ ଭଲ କରିଦେବା ପାଇଁ ଭଗବାନଙ୍କୁ ନେହୁରା ହେଉଥିଲେ । ହେଲେ ବିଧିର ବିଧାନ ଥିଲା ଅଲଗା । ସବୁ ଚେଷ୍ଟା ପରେ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଆଉ ଆଖି ଆଗରେ ନିଜ ପିଲାର ମୃତଦେହ ଦେଖି ଛାତି ପିଟି ପିଟି କାନ୍ଦୁଥିଲେ ମା’ । ସେହିଭଳି ଏକ ହୃଦୟ ବିଦାରକ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ସଦର ଟାଉନ୍ ଅଂଚଳରେ ଦୁଃଖର ପରିବେଶ ସୃଷ୍ଟି କରିଛି ।

ଘଟଣାଟି ମଙ୍ଗଳବାର ସନ୍ଧ୍ୟା ସମୟର । ଖେଳୁ ଖେଳୁ କୁଅରେ ପଡିଯାଇଥିଲେ ୨ ଶିଶୁ କନ୍ୟା । ଦୁଇଜଣଙ୍କ ବୟସ ଭିତରୁ ଜଣଙ୍କ ବୟସ ୩ବର୍ଷ ୩ ମାସ ହୋଇଥିବାବେଳେ ଅନ୍ୟଏକ ଶିଶୁ କନ୍ୟାର ବୟସ ବର୍ଷେ ତିନି ମାସ । ଖେଳୁ ଖେଳୁ ଘର ପଛପଟ କୂଅରେ ପଡି ଯାଇଥିଲେ ୨ଟି ଶିଶୁ । ଖବର ମିଳିବା ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶନ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଁଚି ପିଲାଙ୍କୁ ଉଦ୍ଧାର କରି ବୀରମହାରାଜପୁର ଡାକ୍ତରଖାନାରେ ଭର୍ତି କରିଥିଲେ । ସେଠାରେ ପିଲାଙ୍କ ସ୍ଥିତି ଗୁରୁତର ଥିବାରୁ ଜଣେ ଶିଶୁକୁ ସୋନପୁର ସଦର ଡାକ୍ତରଖାନା ଓ ଅନ୍ୟଜଣେ ଶିଶୁକୁ ବରଗଡ ନିଆଯାଇଥିଲା । ସେଠାରେ ଉଭୟ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତ ୨ ଶିଶୁ କନ୍ୟା ହେଲେ ଆଲୋକ ମିଶ୍ରଙ୍କ ଝିଅ ଦିଶା ମିଶ୍ର ଓ ଅଳକା ମିଶ୍ରଙ୍କ ଝିଅ ସିଦ୍ଧିଶ୍ରୀ ।

ହସ ଖୁସିରେ ଖେଳିବା ସମୟରେ ପରିତ୍ୟକ୍ତ କୂଅରେ ପଡ଼ି ଦୁଇ ଭଉଣୀଙ୍କର ମୃତ୍ୟୁ ଖବର ସାରା ସୁବର୍ଣ୍ଣପୁର ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛିି । ଅସମୟରେ କୁନି କୁନି ପିଲାଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି ।