ଦେଶର ବିଭିନ୍ନ ରାଜ୍ୟରେ ବର୍ଷାର ତାଣ୍ଡବ । ମହାରାଷ୍ଟ୍ରରେ ୧୦୨ ମୃତ, ଗୁଜରାଟରେ ୯ ଜିଲ୍ଲାକୁ ରେଡ ଆଲର୍ଟ ଓ ରାଜସ୍ଥାନରେ ମୋର୍ଚ୍ଚା ସମ୍ଭାଳିଛି ସେନା

137

କନକ ବ୍ୟୁରୋ : ଦେଶର ଅନେକ ରାଜ୍ୟରେ ଏବେ ମୌସୁମୀ ବର୍ଷା ତାଣ୍ଡବ ରଚୁଛି । ଏହି କ୍ରମରେ ବିଶେଷ ଭାବେ ମହାରାଷ୍ଟ୍ର, ଗୁଜରାଟ , କର୍ଣ୍ଣାଟକ, କେରଳ ଓ ଆସାମରେ ସର୍ବାଧିକ ବର୍ଷା ହୋଇଛି । ମହାରାଷ୍ଟ୍ରରେ ପ୍ରବଳ ବର୍ଷା କାରଣରୁ ୧୦୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଗୁଜରାଟର ୯ ଟି ଜିଲ୍ଲାକୁ ରେଡ୍ ଆର୍ଲଟ ଜାରି କରାଯାଇଛି । ସେପଟେ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପ୍ରବଳ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେଠାରେ ଉଦ୍ଧାର କାର୍ଯ୍ୟ ସହ ରିଲିଫ୍ ସାମଗ୍ରୀ ବାଣ୍ଟିବାରେ ଲାଗିଛି ସେନା   ।

ଦେଶକୁ ମୌସୁମୀ ଆସିବା ୪୬ ଦିନ ପାର ହୋଇଛି । ପାଣିପାଗ ବିଭାଗର ସୂଚନା ମୁତାବକ ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ୨୯୪.୨ ମିଲିମିଟର ବର୍ଷା ହେବ ବୋଲି ଆକଳନ କରାଯାଉଥିଲା , ହେଲେ ଜୁଲାଇ ୧୬ ତାରିଖ ମଧ୍ୟରେ ୩୩୫.୨ ମିଲିମିଟର ବର୍ଷା ହୋଇଛି । ଅର୍ଥାତ ଆକଳନ ଠାରୁ ୧୪ ପ୍ରତିଶତ ଅଧିକ ବର୍ଷା ହୋଇଛି । ସେପଟେ ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଓ ଝାଡଖଣ୍ଡରେ ଏବେ ବି ଜମି ଶୁଖିଲା ପଡିଛି ।

କହିରଖୁ କି ଚଳିତ ବର୍ଷ ଦେଶରେ ମୌସୁମୀ ବାୟୁ ପହଂଚିବା ଡେରି ହୋଇଥିଲା । ହେଲେ ଏପର୍ଯ୍ୟନ୍ତ ଆଶା ଠାରୁ ୧୪ ପ୍ରତିଶତ ବର୍ଷା ହେବା ଫଳରେ ଦେଶର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଏହି କ୍ରମରେ କେରଳରେ ଏବେ ମାତ୍ରାଧିକ ବର୍ଷା କାରଣରୁ ସମସ୍ତ ନଦୀ ବିପଦ ସଂକୁଳ ଅବସ୍ଥାରେ ପ୍ରବାହିତ ହେଉଛି ।