କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଦୁଇ ମାସ ନୁହେଁ, ଏବେ ଅଢେଇ ମାସ ପାଇଁ ଖେଳାଯିବ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ।

196

କନକ ବ୍ୟୁରୋ: ବଢିବାକୁ ଯାଉଛି କ୍ରିକେଟ୍ ଫ୍ୟାନ୍ସମାନଙ୍କର ମଜା । କାହିଁକି ନା, ଏଣିକି କେବଳ ୨ ମାସ ନୁହେଁ ବରଂ ଅଢେଇ ମାସ ଧରି ଖେଳାଯିବ ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍ । ଏଥିିପାଇଁ ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନସିଲ୍ ମଧ୍ୟ ନିଜ ଭବିଷ୍ୟତର ଟୁର ପୋଗ୍ରାମରେ ଅଢେଇ ମାସ ଖାଲି ସମୟ ରଖିଥିବା ଜଣାପଡିଛି । ଯାହାପରେ କ୍ରିକେଟ୍ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ଆଗାମୀ ସିଜିନରୁ ଆଇପିଏଲ୍ ଦୁଇ ମାସ ନୁହେଁ ବରଂ ଅଢେଇ ମାସ ପାଇଁ ଖେଳାଯିବ । ପ୍ରତିବର୍ଷ ମାର୍ଚ୍ଚ ଶେଷ ସପ୍ତାହରୁ ଜୁନ୍ ମାସ ପ୍ରଥମ ସପ୍ତାହ ଭିତରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଆଗାମୀ ଜୁଲାଇ ୨୫ ତାରିଖ ଓ ୨୬ ତାରିଖରେ ବର୍ମିହୋମରେ ଆଇସିସି ବାର୍ଷିକ ବୈଠକ ହେବାର ଅଛି । ଯେଉଁଠି ଏହି ନିଷ୍ପତ୍ତି ଉପରେ ବିଧିବଦ୍ଧ ଭାବେ ମୋହର ବାଜିବ ବୋଲି ଜଣାପଡିଛି ।

୨୦୨୩-୨୭ ମଧ୍ୟରେ ଆଇସିସି ଦୁଇଟି ଟେଷ୍ଟ ଚାମ୍ପିୟନସିପ୍, ଆଇସିସି ଟି-୨୦ ବିଶ୍ୱକପ୍, ଦିନିକିଆ ବିଶ୍ୱକପ୍ ଆୟୋଜନ କରିବ । ଏହା ସହିତ ବିଭିନ୍ନ ଦେଶ ଭିତରେ ଅନେକ ସିରିଜ୍ ମଧ୍ୟ ଖେଳାଯିବ । ତେଣୁ ଆଇପିଏଲ୍ ପାଇଁ ଅଢେଇ ମାସ ଛାଡିଦେଲେ, ଅନ୍ୟ ମାସରେ ସିଡ୍ୟୁଲ୍ ଟାଇଟ୍ ରହିପାରେ । ଯେଉଁ କାରଣରୁ ଖେଳାଳିମାନଙ୍କୁ ବିଶ୍ରାମ କମ୍ ମିଳିପାରେ ।

ସୂଚନାଯୋଗ୍ୟ ଯେ, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ସଚିବ ଜୟ ଶାହ ପୂର୍ବରୁ ମଧ୍ୟ ଏନେଇ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଆଗାମୀ ତିନି ବର୍ଷ ଭିତରେ ଆଇପିଏଲର ପ୍ରତି ସିଜିନରେ ୧୦-୧୦ ମ୍ୟାଚ୍ ବଢିବ । ଏହି କାରଣରୁ ଆଇପିଏଲର ସମୟ ସୀମା ମଧ୍ୟ ବଢିବାକୁ ଯାଉଛି । ତେଣୁ ଦୁଇ ମାସ ବଦଳରେ ଏହି ଟୁର୍ଣ୍ଣାମେଣ୍ଟ ଏବେ ଅଢେଇ ମାସ ଧରିି ଖେଳାଯିବ ।