ଆବେଙ୍କ ହତ୍ୟା ପରେ ସୁରକ୍ଷାକୁ ନେଇ ଚିନ୍ତାରେ ଭାରତ ସରକାର। ସୁରକ୍ଷାପ୍ରଦାନକାରୀ ସଂସ୍ଥାକୁ ସ୍ୱତନ୍ତ୍ର ଆଡଭାଇଜରୀ ଜାରି କଲା ଗୃହ ମନ୍ତ୍ରାଳୟ।

388

କନକ ବ୍ୟୁରୋ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟା ପରେ ଭାରତ ସରକାର ସୁରକ୍ଷାକୁ ନେଇ ଚିନ୍ତାରେ ଅଛନ୍ତି । ଆବେଙ୍କୁ ଗତସପ୍ତାହରେ ଗୁଳିକରି ହତ୍ୟା କରାଯାଇଥିଲା । ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ପରେ ସୁରକ୍ଷା ବ୍ୟବସ୍ଥା ନେଇ ଅନେକ ପ୍ରଶ୍ନ ଉଠିଛି । ଏହି ହତ୍ୟା ଘଟଣା ପରେ ଭାରତ ସରକାର ଦେଶର ଥିବା ଅନେକ ଭିଆଇପି ଏବଂ ଭିଭିଆଇପିଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ଅଛନ୍ତି । ତେଣୁ କେଉଁ ଭଳି ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯାଇପାରିବ ସେନେଇ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସିକ୍ୟୁରିଟି ଏଜେନ୍ସି ବା ସୁରକ୍ଷାପ୍ରଦାନକାରୀ ସଂସ୍ଥାକୁ ପଦକ୍ଷେପ ନେବାକୁ କହିଛନ୍ତି । ସରକାର ମଧ୍ୟ ନିଜଆଡୁ ସୁରକ୍ଷାକୁ କେଉଁଭଳି ମଜବୁତ କରାଯାଇପାରିବ ସେଥିପ୍ରତି ଦୃଷ୍ଟି ଦେଇଛନ୍ତି ।

ନିର୍ବାଚନ ପ୍ରଚାର ବେଳେ ଗତ ସପ୍ତାହରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ହତ୍ୟା କରାଯାଇଥିଲା । ସରକାର କହିଛନ୍ତି ସୁରକ୍ଷା ଏଜେନ୍ସି ଦେଶର ଭିଭିଆଇପି ବ୍ୟକ୍ତିଙ୍କ ସୁରକ୍ଷା ପଛରେ ବିଶେଷ ଗୁରୁତ୍ୱ ଦେବ । ଜାପାନର ନାରା ସହରରେ ଜୁଲାଇ ୮ ତାରିଖରେ ଭାଷଣ ଦେବାର ମାତ୍ର କିଛି ମିନିଟ ପରେ ଜଣେ ଯୁବକ ଆବେଙ୍କ ଉପରେ ଗୁଳି ଚଳାଇଥିଲୋ ପୋଲିସ ଘଟଣାସ୍ଥଳରୁ ହିଁ ନୌସେନାର ଜଣେ ପୂର୍ବତନ ସଦସ୍ୟ ତେତ୍ସୁଆ ୟାମାଗାମିଙ୍କୁ ଗିରଫ କରିଥିଲା ।

ଜଣେ ଅଧିକାରୀ କହିଛନ୍ତି, ଗୃହ ମନ୍ତ୍ରାଳୟ କେନ୍ଦ୍ରୀୟ ଗୁଇନ୍ଦା ଏବଂ ସୁରକ୍ଷାପ୍ରଦାନକାରୀ ସଂସ୍ଥାଙ୍କୁ ପତ୍ର ଲେଖିଛି । ଏଥିରେ ଭିଆଇପି ଏବଂ ଭିଭିଆଇପିଙ୍କ ସୁରକ୍ଷା ନେଇ କୁହାଯାଇଛି । ସିଆରପିଏଫ ଏବଂ ଏନଏସଜି, ସିଆଇଏସଏଫ ସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ସହିତ ଅନ୍ୟ ଟିମ ଦେଶରେ ଭିଭିଆଇପିଙ୍କ ସୁରକ୍ଷାରେ ନିୟୋଜିତ । ସେପଟେ ଏସପିଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଭିଆଇପିଙ୍କ ସୁରକ୍ଷାପ୍ରଦାନ କରୁଥିବା ୟୁନିଟ ଏବଂ ରାଜ୍ୟ ସରକାର ତଥା ପୋଲିସବାହିନୀକୁ ଜୁଲାଇ ୮ରେ ଆଡଭାଇଜରୀ ଜାରି କରାଯାଇଥିଲା । ଯେଉଁଥିରେ ଭିଆଇପି ଏବଂ ଭିଭିଆଇପିଙ୍କ ସୁରକ୍ଷା ନେଇ ସତର୍କ କରାଯାଇଥିଲା । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ ସୁରକ୍ଷାପ୍ରାପ୍ତ ଲୋକଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଉ । ପ୍ରତ୍ୟେକ ବ୍ୟକ୍ତିଙ୍କ କାର୍ଯ୍ୟକ୍ରମ ଉପରେ ମଧ୍ୟ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମଧ୍ୟ କୁହାଯାଇଛି ।