ଖୋର୍ଦ୍ଧା ଗାମୁଛାକୁ ଖୋଜୁଛି କିଏ ? ଦିନେ ମୋଦିଙ୍କ କାନ୍ଧରେ ପଡିଥିଲା, ଏବେ ଅଲୋଡା ପାଲଟିଲା । ଖତ ଖାଇବ କି ଖୋର୍ଦ୍ଧା ଗାମୁଛା ?

1,046

କନକ ବ୍ୟୁରୋ: ଗାମୁଛା କଥା ଉଠିଲେ ସମସ୍ତଙ୍କ ମୁହଁରୁ ଖୋର୍ଦ୍ଧାର ନାଁ ଆପେ ଆପେ ବାହାରି ଆସେ । କିଛି ବର୍ଷ ତଳେ ଅର୍ଥାତ ଆମ ବାପଅଜା ଅମଳରେ ଖୋର୍ଦ୍ଧା ଗାମୁଛାର ପ୍ରସିଦ୍ଧି ରହିଥିଲା । ବିବାହ ବ୍ରତ, କର୍ମକାର୍ଯ୍ୟ ସହ ନିତି ଦିନିଆ ଜୀବନରେ ଏ ନାଲି ଗାମୁଛା ଜଡିତ ଥିଲା । ଖାଲି ଚାଷୀ କିମ୍ବା ଗରିବ ନୁହଁନ୍ତି ଧନୀ ଲୋକମାନଙ୍କ ମଧ୍ୟ ପ୍ରଥମ ପସନ୍ଦ ଥିଲା । ଏମିତି କି ଖୋର୍ଦ୍ଧା ଗାମୁଛା ନହେଲେ କିଛି କାମ ହେଉନଥିଲା ।

୬୦ ବର୍ଷ ତଳେ ଖୋର୍ଦ୍ଧାର ଗଣପତି ରାମ ପ୍ରଥମେ ଏହି ଗାମୁଛା ବାହାର କରିଥିଲେ । ନାଲି ରଙ୍ଗର କୋଡିକିଆ ସୂତା ବ୍ୟବହାର କରି ଗଣପତି ଏହି ଗାମୁଛା ତିଆରି କରିଥିଲେ । ଆଉ ଏହା ଗଣପତି ଗାମୁଛା ବା ଖୋର୍ଦ୍ଧା ଗାମୁଛା ନାଁରେ ପରିଚୟ ପାଇ ଆସିଛି । ତେବେ ଏହି ଗାମୁଛା ତିଆରି କଳାକୁ ରାଉତପଡା, ଧଳାପଥର, ସାନପଦର ଆଦି ଅଞ୍ଚଳର ଲୋକେ କୌଳିକ ବୃତି ଭାବେ ଗ୍ରହଣ କରି ନିଜ ପେଟପାଟଣା କଥା ବୁଝୁଛନ୍ତି ।

ତେବେ ଖୋର୍ଦ୍ଧା ଗାମୁଛାର ପ୍ରସିଦ୍ଧି ଖାଲି ରାଜ୍ୟରେ ନୁହେଁ ବରଂ ରାଜ୍ୟ ବାହାରେ ରହିଥିବାରୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିଜ କାନ୍ଧରେ ଏହି ଗାମୁଛା ପକାଇଥିଲେ । ସାଧାରଣ ନିର୍ବାଚନ ବେଳେ ଖୋର୍ଦ୍ଧାକୁ ପ୍ରଚାର ପାଇଁ ଆସିଥିବା ବେଳେ ମୋଦିଙ୍କ କାନ୍ଧରେ ଏହି ନାଲି ଗାମୁଛା ପଡିଥିବା ଦେଖିବାକୁ ମିଳିଥିଲା ।

ସମୟ ସହ ତାଳ ଦେଇ ଯୁଗ ବଦଳୁଥିବାରୁ ଧିରେଧିରେ ପରିଚୟ ହରାଉଛି ଖୋର୍ଦ୍ଧା ଗାମୁଛା । ଯୁବପିଢି ନାଲି ଗାମୁଛାରୁ ମୁହଁ ଫେରାଇ ନେଉଥିବା ବେଳେ କେବଳ ବୟସ୍କ ଲୋକ ଏହାକୁ ବ୍ୟବହାର କରୁଛନ୍ତି । ବଜାରରେ ସମ୍ବଲପୁରୀ ଗାମୁଛା, ରଙ୍ଗୀନ ଗାମୁଛା ଓ ନୂଆ ନୂଆ ପଲିଷ୍ଟର ମିଶା ଗାମୁଛା ଶସ୍ତାରେ ମିଳୁଥିବାରୁ ଖୋର୍ଦ୍ଧା ଗାମୁଛାର ଚାହିଦା କମୁଛି ।

ସେପଟେ ଗାମୁଛା ବିକ୍ରି କମୁଥିବାରୁ ବୁଣାକାରମାନେ ମଧ୍ୟ ଧିରେଧିରେ ଏହି କାମରୁ ଓହରି ଅନ୍ୟ ଧନ୍ଦା କରୁଛନ୍ତି । ଫଳରେ ଗାମୁଛା ତିଆରି ପାଇଁ କାରିଗର ମିଳୁନାହାନ୍ତି । ଯଦି ସରକାରୀ ସ୍ତରରେ ଏହି ବୁଣାକାରଙ୍କ ପାଇଁ କୌଣସି ସହାୟତା ମିଳନ୍ତ ତେବେ ଆଗାମୀ ଦିନରେ ଖୋର୍ଦ୍ଧାର ପରିଚର, ଐତିହ୍ୟ ଲୋପ ପାଇବାରୁ ରକ୍ଷା ପାଇଯାଆନ୍ତା ବୋଲି ବୁଣାକାରମାନେ କହିଛନ୍ତି