ମହାରାଷ୍ଟ୍ରର ମଙ୍ଗ ଧରିବ କିଏ ? କ୍ଷମତା ସମ୍ଭାଳିବାକୁ ଦେବେନ୍ଦ୍ରଙ୍କ ଦାବି, ‘ପଦ୍ମ’ର ଚିନ୍ତା ବଢ଼ାଉଛି ସାଥୀ ଶିବସେନା

549

କନକ ବ୍ୟୁରୋ: ଛିଡୁନି ମହାରାଷ୍ଟ୍ର ଅଙ୍କ । ବିଜେପି ଶିବେସନା ମେଂଟ ବିଜୟ ହେବା ପରେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ନିଜ ନିଜ ଜିଦରେ ଅଡି ବସିଛନ୍ତି ଦୁଇ ଦଳ । ଆଉ ଏହାରି ଭିତରେ ଦେବେନ୍ଦ୍ର ଫଡନବୀସ କହିଛନ୍ତି ସେ ହିଁ ପରବର୍ତୀ ମୁଖ୍ୟମନ୍ତ୍ରୀ ବନିବେ । ଏବଂ ବିଜେପି ନେତୃତ୍ୱରେ ଦଳ ମହାରାଷ୍ଟ୍ରରେ ସରକାର ଗଢିବ ବୋଲି କହିଛନ୍ତି ଫଡନବୀସ । ଫଳାଫଳ ପରେ ଦେବେନ୍ଦ୍ର ଫଡନବୀସ ଶିବସେନାର ୫୦-୫୦ ଫର୍ମୁଲାକୁ ଅଗ୍ରାହ୍ୟ କରିଦେଇଥିବା ବେଳେ ସଂଜୟ ରାଉତ ଏହାକୁ ନେଇ ବିଜେପିକୁ ପାଲଟା ଘେରିଥିଲେ । ଏବେ ବିଜେପି ସାଂସଦ ସଂଜୟ କାଙ୍କଡେ ଦାବି କରିଛନ୍ତି ଯେ, ଶିବେସନାର ପ୍ରାୟ ୪୫ଜଣ ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି । ତେଣୁ ବିଜେପି ସହ ମିଶି ସରକାର ଗଠନ କରିବାକୁ ଚାହୁଁଛି ଶିବସେନା ବୋଲି କହିଛନ୍ତି ସଂଜୟ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପଦ ନେଇ ଶିବସେନା ତାର ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛି । ଏପରିକି ଦଳ ନିକଟରେ ବିକଳ୍ପ ରହିଥିବା କହିସାରିଛନ୍ତି ଶିବସେନା ନେତା ସଂଜୟ ରାଉତ । ଶିବସେନା ନେତା ସଞ୍ଜୟ ରାଉତ, ଦୁଷ୍ୟନ୍ତ ଚୌଟାଲାଙ୍କ ଉଦାହରଣ ଦେଇ କହିଛନ୍ତି, ଶିବସେନା ନିକଟରେ ବିକଳ୍ପ ରହିଛି । ଏହା ପରେ ମହାରାଷ୍ଟ୍ର ରାଜନୀତିରେ ସତେ ଯେମିତି ବାରୁଦ ଖେଳିଯାଇଛି । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦ ନେଇ ୫୦-୫୦ ଫର୍ମୁଲାରେ ଅଟଳ ରହିଛନ୍ତି । ଏଥିପାଇଁ ଲିଖିତ ପ୍ରତିଶ୍ରୁତି ବି ମାଗିଛି ଶିବସେନା । ବିଜେପି ଓ ଶିବସେନା ଅଢେଇ ବର୍ଷ ଲେଖାଁଏ ମୁଖ୍ୟମନ୍ତ୍ରୀ ପଦରେ ରୁହନ୍ତୁ ବୋଲି ସେ ଦାବି କରୁଛନ୍ତି ।

ତେବେ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ ବିଧାନସଭାରେ ବିଜେପି ସବୁଠାରୁ ବଡ ଦଳ ଭାବେ ଉଭା ହୋଇଛି । କିନ୍ତୁ ସରକାର ଗଠନ ପାଇଁ ସହଯୋଗୀ ଶିବସେନାର ସମର୍ଥନ ଜରୁରୀ ଥିଲେ ବି ଦଳ ମୁଖ୍ୟମନ୍ତ୍ରୀ ପଦ ଦାବି କରୁଥିବାରୁ ସରକାର ଗଠନରେ ବିଳମ୍ବ ହେଉଛି । ଗତକାଲି ଦୁଇ ଦଳର ନେତା ପୃଥକ ପୃଥକ ଭାବେ ରାଜ୍ୟପାଳଙ୍କୁ ଭେଟିଥିଲେ । ସେପଟେ ଶିବସେନାକୁ ଆଉ ଜଣେ ନିର୍ଦଳୀୟ ବିଧାୟକଙ୍କ ସମର୍ଥନ ମିଳିଛି । ପୂର୍ବର ଦୁଇଜଣ ସ୍ୱାଧୀନ ବିଧାୟକ ଶିବସେନାକୁ ସମର୍ଥନ ଘୋଷଣା କରିସାରିଛନ୍ତି । ଶିବସେନାର କଡା ଆଭିମୁଖ୍ୟକୁ ଦେଖି ବିଜେପି ବିକଳ୍ପ ଚିନ୍ତା କରିପାରେ ବୋଲି ଚର୍ଚ୍ଚା ହେଉଛି ।