ଯୁବତୀ ପାଇଁ ସାଙ୍ଗକୁ ଅପହରଣ କରି ହତ୍ୟା କଲା ସାଙ୍ଗ : ବେକରେ ଦଉଡି ଲଗାଇ କୂଅରେ ପକାଇଦେଲା ଅଭିଯୁକ୍ତ

473

କନକ ବ୍ୟୁରୋ : ଯୁବତୀ ପାଇଁ ସାଙ୍ଗକୁ ଅପହରଣ କରି ହତ୍ୟା କଲା ସାଙ୍ଗ । ବେକରେ ଦଉଡି ଲଗାଇ ସାଙ୍ଗକୁ କୂଅରେ ପକାଇ ଅତି ନିର୍ମମ ଭାବେ ହତ୍ୟା କରିଛି ସାଙ୍ଗ । ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବାଣପୁର କଲେଜର ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ୧୭ ବର୍ଷିୟ ଛାତ୍ର ଆଶୁତୋଷଙ୍କର ମୃତ୍ୟୁ ହୋଇଛି । ଅଭିଯୁକ୍ତ ଆର୍ଶିବାଦ ପ୍ରଧାନ ଆଶୁତୋଷଙ୍କ ବେକରେ ଦଉଡି ବାନ୍ଧି ଏକ କୂଅ ପକାଇ ଅତି ନିର୍ମମ ଭାବେ ହତ୍ୟା କରିଛି ।

ସୂଚନା ମୁତାବକ ଆଷୁତୋଷ ଏବଂ ଆର୍ଶୀବାଦ ଦୁହେଁ ସାଙ୍ଗ ଥିଲେ । ଆଶିର୍ବାଦ ସ୍ଥାନୀୟ ଅଞ୍ଚଳର ଏକ ଯୁବତୀକୁ ଭଲ ପାଇ ବସିଥିଲା । ହେଲେ ଆଷୁତୋଷଙ୍କୁ ନେଇ ତାଙ୍କ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଯେଉଁଥିପାଇଁ ଆଶୁତୋଷକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା ଆର୍ଶୀବାଦ । ଗତ ଶନିବାର ସନ୍ଧ୍ୟାରେ ଆଶୁତୋଷ ଟିଉସନ ସାରି ଘରକୁ ଫେରିବା ସମୟରେ କୌଶଳ କ୍ରମେ ଆର୍ଶୀବାଦ ତାଙ୍କୁ ଡ଼ାକି ନେଇ ଅପହରଣ କରିନେଇଥିଲା । ସେହି ରାତ୍ରିରେ ଆଶୁତୋଷ ଆଶୁତୋଷର ମୋବାଇଲରୁ ତାଙ୍କ ବାପା ପ୍ରଶାନ୍ତ ମହାପାତ୍ରଙ୍କୁ ମେସେଜ୍ କରି କହିଥିଲା ଯେ, ତାଙ୍କୁ ପୁଅକୁ ସେ ଅପହରଣ କରି ଆଣିଛି, ୫ଲକ୍ଷ ଟଙ୍କା ଦେଲେ ମୁଁ ତାକୁ ଛାଡ଼ି ଦେବ ବୋଲି କହିଥିଲା । ଏବଂ ପୋଲିସକୁ ଏସମ୍ପର୍କରେ ଖବର ତାଙ୍କ ପୁଅକୁ ଜୀବନରେ ମାରିଦେବକୁ ଧମକ ଦେଇଥିଲେ ।

ପରେ ଆଶୁତୋଷଙ୍କ ମାଆ ଅନୁପମ ମହାପାତ୍ର ଏନେଇ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ୍ ଅଭିଯୋଗକୁ ଭିତିକରି ମୋବାଇଲକୁ ଟ୍ରାକ୍ କରିବା ସହିତ ତଦନ୍ତ ଜୋରଦାର କରିଥିଲେ । ବାଲୁଗାଁ ଏସ୍.ଡ଼ି.ପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ବାଲୁଗାଁ , ଟାଙ୍ଗୀ, ନାଚୁଣୀ ଓ ବାଣପୁର ଥାନା ଆଇଆଇସିଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ କରିବା ସହ ଅଭିଯୁକ୍ତ ଆର୍ଶୀବାଦଙ୍କୁ ଗିରଫ କରିଛି । ପରେ ଆର୍ଶୀବାଦ ପୁଲିସ ଆଗରେ ସବୁ ସତ ମାନିଯାଇଛି । ତେବେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋରଧରିଛି ।