ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ବାର୍ତ୍ତା : କହିଲେ, ଗଣତନ୍ତ୍ରର ଜନନୀ ହେଉଛି ଭାରତ, ଦେଶକୁ ଯୋଡିଛି ବିବିଧତା

242

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସ ପୂର୍ବରୁ ଗତକାଲି ଦେଶବାସୀଙ୍କ ସମ୍ବୋଧିତ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କହିଛନ୍ତି, ଆମେ ସମସ୍ତେ ଏକ ଓ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଭାରତୀୟ । ଏତେ ପନ୍ଥ ଓ ଭଷା ଆମକୁ ବିଭାଜିତ କରିପାରି ନାହିଁ । ସେଇଥି ପାଇଁ ଆମେ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ସଫଳ ହୋଇଛୁ । ଏହା ହିଁ ଭାରତର ସାରତତ୍ତ୍ୱ । ଭାରତକୁ ଲୋକତନ୍ତ୍ରର ଜନନୀ କୁହାଯାଏ । ବାବା ସାହେବ ଆମ୍ବେଦକରଙ୍କ ନିକଟରେ ଦେଶ ରୁଣୀ । ସବୁଠୁ ପୁରୁଣା ସଭ୍ୟତା ମଧ୍ୟରେ ଭାରତ ଅନନ୍ୟ । କରୋନା କାଳରେ ବହୁ ସମସ୍ୟା ସାମନା କରିବାକୁ ପଡିଛି । କିନ୍ତୁ ଏବେ ଭାରତ ମହାମାରୀ ପ୍ରକୋପରୁ ମୁକ୍ତ ହୋଇଛି ।

ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଗରିବଙ୍କୁ ଲାଭ ମିଳୁଛି । ୨୦୨୩ରେ ଅନ୍ନ ଯୋଜନା ଜାରି ରହିବ । । ଜାତୀୟ ଶିକ୍ଷାନୀତିକୁ ପ୍ରଶାଂସା କରି କହିଛନ୍ତି, ଜାତୀୟ ଶିକ୍ଷାନୀତି ଏକବିଂଶ ଶତାବ୍ଦୀର ଆହ୍ୱାନ ପାଇଁ ଶିକ୍ଷାର୍ଥୀମାନଙ୍କୁ ପ୍ରସ୍ତୁତ କରିବ । ଦେଶ କେମିତି ଅର୍ଥନୀତି କ୍ଷେତ୍ରରେ ଆଗଉଛି ସେ ନେଇ କହିଛନ୍ତି, ଭାରତ ଏକ ଗରିବ ଏବଂ ନିରକ୍ଷର ରାଷ୍ଟ୍ରରୁ ବିଶ୍ୱ ମଞ୍ଚରେ ଏକ ଆତ୍ମବିଶ୍ୱାସୀ ରାଷ୍ଟ୍ରକୁ ଉନ୍ନିତ ହୋଇଛି । ଦେଶର ଅର୍ଥନୀତି ଦ୍ରୁତ ଗତିରେ ଆଗଉଛି । ଚଳିତ ବର୍ଷ ଭାରତ ଜି-୨୦ ଗୋଷ୍ଠୀର ଅଧ୍ୟକ୍ଷତା କରୁଛି । ସମ୍ବିଧାନ ନିର୍ମାତାମାନେ ସାମୁହିକ ଜ୍ଞାନ ଦ୍ୱାରା ଦିଆଯାଇଥିବା ମାର୍ଗଦର୍ଶନ ବିନା ଏହି ପ୍ରଗତି ସମ୍ଭବ ହୋଇନଥାନ୍ତା ।

ବିଶ୍ବରେ ତିଷ୍ଠି ରହିଥିବା ପ୍ରାଚୀନ ସଭ୍ୟତା ମଧ୍ୟରେ ଭାରତ ଅନ୍ୟତମ । ସ୍ବାଧୀନତା ପରେ ଆମେ ଅଗଣିତ ସମସ୍ୟାର ସାମ୍ନା କରିବା ସହ ପ୍ରତିକୂଳତା ଦେଇ ଗତି କରିଛୁ । ଦୀର୍ଘଦିନର ବିଦେଶୀ ଶାସନ ଫଳରେ ଦେଶରେ ଦାରିଦ୍ର୍ୟ ଓ ନିରକ୍ଷରତା ହାର ବହୁ ଅଧିକ ଥିଲା । ତେବେ ଭାରତର ଆବେଗ କେବେ ବି ଅବଦମିତ ହୋଇନାହିଁ । ଆଶା ଓ ବିଶ୍ବାସର ସହିତ ଭାରତ ମାନବ ସଭ୍ୟତାର ଇତିହାସରେ ଅଦ୍ବିତୀୟ ପରୀକ୍ଷଣ କରିଛି। ବିବିଧ ବର୍ଗର ଏବଂ ବହୁସଂଖ୍ୟକ ଲୋକ ଗୋଟିଏ ଦେଶ ଭାବେ ବସବାସ କରିବା ଅଭୂତପୂର୍ବ । ଆମେ ସମସ୍ତେ ଏକ ଏବଂ ଭାରତୀୟ ବୋଲି ଭାବନା ପାଇଁ ଏହା ହୋଇପାରିଛି । ସମ୍ବିଧାନର ମୂଳ ପ୍ରାଣରେ ଏହି ସାରାଂଶ ରହିଛି ।

ଯେଉଁ ସମ୍ବିଧାନ ଭାରତର ସାଧାରଣତନ୍ତ୍ରକୁ ପରିଚାଳିତ କରୁଛି ତାହା ସ୍ବାଧୀନତା ସଂଗ୍ରାମର ଫଳ। ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ହୋଇଥିବା ସଂଗ୍ରାମ କେବଳ ଆମକୁ ସ୍ବାଧୀନତା ଦେଇ ନଥିଲା ବରଂ ଆମ ନିଜ ଆଦର୍ଶକୁ ପୁନଃ ଆବିଷ୍କାର କରିବାର ସୁଯୋଗ ଦେଇଥିଲା । ବିପ୍ଳବୀ ଏବଂ ସଂସ୍କାରକମାନେ ଦୂରଦୃଷ୍ଟିସଂପନ୍ନ ଏବଂ ଆଦର୍ଶ ବ୍ୟକ୍ତିମାନଙ୍କ ସହଯୋଗରେ ଶାନ୍ତି, ଭ୍ରାତୃଭାବ ଏବଂ ସମାନତା ଭଳି ମୂଲ୍ୟବୋଧ ସଂପର୍କରେ ଶିକ୍ଷା ଦେଇଥିଲେ। ତିଷ୍ଠି ରହିଥିବା ବିଶ୍ବର ଅନ୍ୟତମ ପ୍ରାଚୀନ ସଭ୍ୟତା ଭାରତର ସମ୍ବିଧାନ ମାନବିକ ଦର୍ଶନ ଏବଂ ନିକଟ ଅତୀତରେ ବିକାଶ ଲାଭ କରିଥିବା ନୂଆ ଚିନ୍ତାଧାରା ଦ୍ବାରା ଅନୁପ୍ରାଣିତ ।

ଡ. ବିଆର୍‌ ଆମ୍ବେଦକର, ଯାହାଙ୍କ ନେତୃତ୍ବରେ ସମ୍ବିଧାନ ପ୍ରଣୟନ କମିଟି ଗଠନ ହୋଇଥିଲା, ତାଙ୍କ ନିକଟରେ ଦେଶ ସର୍ବଦା କୃତଜ୍ଞ ରହିବ । ଆଜିର ଦିନରେ ସମ୍ବିଧାନର ପ୍ରାରମ୍ଭିକ ଚିଠା ପ୍ରସ୍ତୁତ କରିଥିବା ବିଚାରପତି ବିଏନ୍‌ ରାଉ ଓ ଅନ୍ୟମାନଙ୍କୁ ମଧ୍ୟ ଆମେ ସ୍ମରଣ କରିବା ଆବଶ୍ୟକ। ସମ୍ବିଧାନ ସଭାରେ ସବୁ ଧର୍ମ ଏବଂ ଗୋଷ୍ଠୀର ଲୋକଙ୍କୁ ସାମିଲ କରାଯାଇଥିଲା । ଏପରିକି ୧୫ ଜଣ ମହିଳା ମଧ୍ୟ ଏଥିରେ ସାମିଲ ଥିଲେ। ସମ୍ବିଧାନରେ ରହିଥିବା ସେମାନଙ୍କ ଦୂରଦୃଷ୍ଟି ଆମ ସାଧାରଣତନ୍ତ୍ରକୁ ନିରବଚ୍ଛିନ୍ନ ଭାବେ ବାଟ ଦେଖାଉଛି ।