ଯୋଗ ଦେଉଛି ଜୀବନକୁ ଜୋସ୍, ଦେଖାଉଛି ବଞ୍ଚିବାର ବାଟ: ନିଜେ ବଞ୍ଚି ଅନ୍ୟଙ୍କୁ ବଞ୍ଚିବାର ରାହା ଦେଖାଉଛନ୍ତି ଯୋଗ ଗାର୍ଲ ଆକାଂକ୍ଷା

93

କନକ ବ୍ୟୁରୋ: ଯୋଗ ଦେଉଛି ଜୀବନକୁ ଜୋସ୍, ଦେଖାଉଛି ବଞ୍ଚିବାର ବାଟ । ଦୁର୍ଘଟଣା ପରେ ବି କମିନି ଯୋଗ କରିବାର ଜିଜ୍ଞାସା । ନିଜେ ବଞ୍ଚି ଅନ୍ୟଙ୍କୁ ବଞ୍ଚିବାର ରାହା ଦେଖାଉଛନ୍ତି ଏହି ଯୋଗ ଗାର୍ଲ । ନିଜ କର୍ମମୟ ଜୀବନରୁ ସମୟ ବାହାର କରି ସେ ଲୋକଙ୍କୁ ଶିଖାଉଛନ୍ତି ଯୋଗ । ଯୋଗ କରି କିପରି ମନକୁ ସ୍ଥିର ରଖିହେବ, ମାନସିକ ଚାପରୁ କିଭଳି ମୁକ୍ତି ମିଳିବ । ଆଉ ଶରୀରକୁ କିଭଳି ସୁସ୍ଥ ରଖିହେବ ତାର ମନ୍ତ୍ର ଦେଉଛନ୍ତି ।

ଆକାଂକ୍ଷା ମହାପାତ୍ର । ବୟସ ୨୬ ବର୍ଷ । ଘର କଟକ ଜିଲ୍ଲା ବକ୍ସି ବଜାର ଅଞ୍ଚଳରେ । ରେଭେନ୍ସା ବିଶ୍ୱ ବିଦ୍ୟାଳରେ ଗ୍ରାଜୁଏସନ ପାସ କରିବା ପରେ ଏମବିଏ ପଢିଥିଲେ ଆଉ ଏବେ ଭାରତ ସରକାରଙ୍କ ଏକ ପ୍ରୋଜେକ୍ଟରେ କାମ କରୁଛନ୍ତି । ତେବେ ନିଜ ବ୍ୟସ୍ତବହୁଳ ଜୀବନ ଭିତରୁ ସମୟ ବାହାର କରି ସେ ନିଜେ ଯୋଗ କରିବା ସହ ଅନ୍ୟମାନଙ୍କୁ ଯୋଗ ଶିଖାଉଛନ୍ତି । ତାଙ୍କୁ ଯୋଗ ଶିଖାଇବାର କଳାକୁ ଦେଖିଲେ ଆପଣ କହିପାରିବେନି କି ସେ ଦୁର୍ଘଟଣା ଅଘଟଣରୁ ସୁସ୍ଥ ହୋଇ ଫେରିଛନ୍ତି ।

କଲେଜ ବେଳୁ ହିଁ ଆକାଂକ୍ଷା ଯୋଗ କରି ଆସୁଥିଲେ । ହେଲେ ନିଜର ଏହି ହସ ଖେଳର ଜୀବନକୁ ଦୋହଲାଇ ଦେଇଥିଲା ଦୁର୍ଘଟଣା । ଦୁର୍ଘଟଣାରେ ଶିକାର ହୋଇ ଅନେକ ଦିନ ସେ ପାଠପଢା ସହ ଯୋଗରୁ ମଧ୍ୟ ଦୂରେଇ ରହିଲେ । ସେ ଭାବିନେଇଥିଲେ କି ଆଉ ସେ ଯୋଗ କରିପାରିବେନି । ଦୀର୍ଘ ୨ ବର୍ଷ କାଳ ତାଙ୍କ ଜୀବନ ଏକ ପ୍ରକାର ଠପ ହୋଇଯାଇଥିଲା । କିନ୍ତୁ ତାଙ୍କ ଭରସା ଭାଙ୍ଗି ନଥିଲା । ତାଙ୍କ ବିଶ୍ୱାସକୁ ଭାଙ୍ଗିପାରିଲାନି ଦୁର୍ଘଟଣା । ଆଉ ସେ ଦୁର୍ଘଟଣାରୁ ସୁସ୍ଥ ହୋଇ ପୁଣି ଧିରେ ଧିରେ ଯୋଗ କରିବା ଆରମ୍ଭ କଲେ । ଆଉ ଏବେ ସେ ଦୁର୍ଘଟଣାର ଯନ୍ତ୍ରଣାରୁ ପୂରା ପୂରି ମୁକ୍ତ ପାଇଛନ୍ତି । ଏହା କେବଳ ଯୋଗ ଯୋଗୁଁ ହିଁ ସମ୍ଭବ ବୋଲି ସେ କହିଛନ୍ତି ।

ନିଜେ ସୁସ୍ଥ ହୋଇ ଫେରିବା ପରେ ଏବେ ସେ ଅନେକ ଲୋକଙ୍କୁ ଯୋଗ ଶିଖାଉଛନ୍ତି । ଆଉ ସେମାନଙ୍କୁ ସୁସ୍ଥ ରହିବାର ବାଟ ଦେଖାଉଛନ୍ତି । ନିଜେ ଦୁର୍ଘଟଣାରେ ପଡି ରହିଥିବା ବେଳେ ଯୋଗ ହିଁ ତାଙ୍କୁ ବଞ୍ଚିବାର ରାହା ଦେଖାଇଥିଲା । ସେଥିପାଇଁ ସେ ଶର୍ଯ୍ୟାଶାୟୀମାନଙ୍କୁ ବି ପ୍ରାଣାୟମ କରିବାକୁ ପରାମର୍ଶ ଦେଇଛନ୍ତି । ଆକାଂକ୍ଷାଙ୍କୁ ଦେଖିଲେ ଆପଣ ଜାଣିପାରିବେ ଯୋଗ କିପରି ଜୀବନକୁ ଜୋଶ ଦିଏ ।

ଯୋଗ କେବଳ ଶରୀରକୁ ନୁହେଁ ମନକୁ ବି ସ୍ଥିର ରଖେ । ଯୋଗ କଲେ ମାନସିକ ଚାପରୁ ମଧ୍ୟ ଲୋକମାନେ ସୁସ୍ଥ ରହିଥାନ୍ତି । ତେଣୁ ଆଜିକାଲି ଘଟୁଥିବା ଆତ୍ମହତ୍ୟା ଭଳି ଅଘଟଣକୁ ମଧ୍ୟ ଯୋଗ ଯୋଗୁଁ ଆମେ ଦୂରେଇ ପାରିବା ବୋଲି ସେ ମତ ରଖିଛନ୍ତି ।