ଠିକ୍ ସମୟରେ ହେବ ପଞ୍ଚାୟତ ନିର୍ବାଚନ । ମନ୍ତ୍ରୀ ଦେଲେ ସଂକେତ, ବିଜେପି ଓ ବିଜେଡି ଶିବିରରେ କସରତ ।

198

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ଠିକ ସମୟରେ ହେବ ଓ ଏନେଇ ଖୁବ ଶୀଘ୍ର ନିର୍ବାଚନ କମିଶନଙ୍କୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ଏପଟେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜନୈତିକ ଦଳ । ବିଜେଡି ଜିଲ୍ଲା ମହିଳା ପର୍ଯ୍ୟବେକ୍ଷକଙ୍କୁ ମନ୍ତ୍ର ଦେଇଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେପଟେ ନୂଆଦିଲ୍ଲୀରେ କେନ୍ଦ୍ରୀୟ ନେତାଙ୍କୁ ଭେଟି ଆଲୋଚନା କରିଛି ରାଜ୍ୟ ବିଜେପି ।

ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ସରକାର । ଖୁବ୍ ଶୀଘ୍ର ରାଜ୍ୟ ନିର୍ବାଚନ କମିଶନରଙ୍କୁ ଏ ନେଇ ଅବଗତ କରାଯିବ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଆଉ ଏଭଳି ସଂକେତ ମିଳିବା ପରେ ମଙ୍ଗଳବାର ସମସ୍ତ ଜିଲ୍ଲାର ମହିଳା ପର୍ଯ୍ୟବେକ୍ଷକଙ୍କୁ ମନ୍ତ୍ର ଦେଇଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ବିରୋଧୀଙ୍କୁ ଟାର୍ଗେଟ କରିବା ବଦଳରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ସରକାରଙ୍କ ଉପଲବ୍ଧିକୁ ନେଇ ନିର୍ବାଚନ ବୈତରଣୀକୁ ପାର ହେବାକୁ ଚେଷ୍ଟା କରିବ ବିଜେଡି ।
ସେପଟେ ବିଜେପି ରାଜ୍ୟ ନେତା ମଧ୍ୟ ନୂଆଦିଲ୍ଲୀରେ କେନ୍ଦ୍ରୀୟ ନେତାଙ୍କୁ ଭେଟି ରଣନୀତି ବିଷୟରେ ଆଲୋଚନା କରିଛନ୍ତି । ରାଜ୍ୟବାସୀ କେନ୍ଦ୍ର ଦେଉଥିବା କେଉଁ ସୁବିଧାରୁ ବଞ୍ଚିତ ହେଉଛନ୍ତି ତାକୁ ନେଇ ମନ୍ଥନ ଆରମ୍ଭ କରିଛି ଦଳ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ସାଂସଦ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟି ଆୟୁଷ୍ମାନ ଭାରତ ଯୋଜନାରେ ଓଡିଶାକୁ ସାମିଲ କରିବାକୁ ଚାପ ପକାଇଇବାକୁ ଅନୁରୋଧ କରିଛନ୍ତି । ସରକାରୀ ଦଳର ମହିଳା କାର୍ଡକୁ ପ୍ରତିହତ କରିବା ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ କରିଛି ବିଜେପି ।

ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ଚୂଡାନ୍ତ ହୋଇପାରିନଥିବାରୁ ୨୦୧୮ରେ ହେବାକୁ ଥିବା ପୈାର ନିର୍ବାଚନ ଏପର୍ଯ୍ୟନ୍ତ ହୋଇପାରିନାହିଁ । କିନ୍ତୁ ଏହାରି ଭିତରେ ନିର୍ଦ୍ଦିଷ୍ଟ ସମୟ ଅର୍ଥାତ୍ ଆସନ୍ତା ଫେବ୍ରୁଆରୀ କିମ୍ବା ମାର୍ଚ୍ଚରେ ପଞ୍ଚାୟତ ନିର୍ବାଚନ କରିବାକୁ ଜୋରସର ଉଦ୍ୟମ ଆରମ୍ଭ କରିଛନ୍ତି ସରକାର ।