ଓଡ଼ିଶା ପର୍ଯ୍ୟଟନକୁ କୋଭିଡ୍ ଝଟକା । କରୋନା ଯୋଗୁଁ ରାଜ୍ୟକୁ ଆସୁନାହାନ୍ତି ପର୍ଯ୍ୟଟକ, ଚିନ୍ତାରେ ବ୍ୟବସାୟୀ ।

132

କନକ ବ୍ୟୁରୋ : ଓଡ଼ିଶା ପର୍ଯ୍ୟଟନକୁ ବଡ ଧରଣରୁ ଝଟକା ଦେଇଛି କୋଭିଡ୍ । କରୋନା ଯୋଗୁଁ ରାଜ୍ୟକୁ ଆସୁ ନାହାନ୍ତି ପର୍ଯ୍ୟଟକ । ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୯୯ ପ୍ରତିଶତ ଓ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ୮୪ ପ୍ରତିଶତ ହ୍ରାସ ପାଇଛି । ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବା ଯୋଗୁଁ ଏହା ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର ବ୍ୟବସାୟୀଙ୍କ ଜୀବିକା ପ୍ରଭାବିତ ହୋଇଛି ।

ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର…ପର୍ଯ୍ୟଟକଙ୍କ ପାଇଁ ମନ୍ଦିର ଖୋଲିଥିଲେ ବି ଚାରିଆଡେ ଶୂନଶାନ । ଯେଉଁଠି ପ୍ରତିଦିନ ହଜାର ହଜାର ପର୍ଯ୍ୟଟକଙ୍କ ଗହଳି ଲାଗେ ସେଠି ଏମିତି ନିରବତା ହିଁ ବୟାନ କରୁଛି କେମିତି ପ୍ରଭାବିତ ହୋଇଛି ପର୍ଯ୍ୟଟନ ଶିଳ୍ପ । ପର୍ଯ୍ୟଟକ ଆସୁ ନଥିବାରୁ ପୂରା ଠପ୍ ହୋଇଯାଇଛି, ହୋଟେଲ ଓ ଅନ୍ୟାନ୍ୟ ବ୍ୟବସାୟ ।

ଲକଡାଉନ କଟକଣା କୋହଳ ହେବା ପରେ ଗୋପାଳପୁର ବେଳାଭୂମିକୁ ଯିବାପାଇଁ ଅନୁମତି ମିଳିଛି । କିନ୍ତୁ ଏଠାରେ ବି ସମାନ ଚିତ୍ର । ପାଖାପାଖି ଅଂଚଳର ଅଳ୍ପ କିଛି ପର୍ଯ୍ୟଟକ ଆସୁଛନ୍ତି । ବାହାରୁ କେହି ପର୍ଯ୍ୟଟକ ଆସୁନଥିବାରୁ ବ୍ୟବସାୟ ହେଉନାହିଁ । କେବେ ପର୍ଯ୍ୟଟକ ଆସିବେ ଓ ପୂର୍ବ ଅବସ୍ଥା ଫେରିବ ତାକୁ ଚାହିଁ ରହିଛନ୍ତି ବ୍ୟବସାୟୀ ।

ତେବେ ପୁରୀ ବେଳାଭୂମିରୁ କଟକଣା ହଟିବା ପରେ ଏବେ ଧିରେ ଧିରେ ପର୍ଯ୍ୟଟକଙ୍କ ଆଗମନ ଆରମ୍ଭ ହୋଇଛି । ପୁଣି ଥରେ ନୂଆ ଆଶା ନେଇ ପସରା ମେଲାଇଛନ୍ତି ବ୍ୟବସାୟୀ । ଶ୍ରୀମନ୍ଦିର ଖୋଲିଲେ ଏହି ସଂଖ୍ୟା ବଢ଼ିବା ସହ ପୁଣି ଥରେ ସେମାନଙ୍କ ରୋଜଗାର ବଢ଼ିବ ବୋଲି ଆଶା ରଖିଛନ୍ତି ।

କରୋନା ଯୋଗୁ ବର୍ଷେ ହେଲା ରାଜ୍ୟକୁ ପର୍ଯ୍ୟଟକଙ୍କ ଆଗମନରେ ହ୍ରାସ ପାଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗର ବାର୍ଷିକ ତଥ୍ୟ ଅନୁସାରେ
– ୨୦୨୦-୨୧ରେ ୯୯ ପ୍ରତିଶତ ବିଦେଶୀ ପର୍ଯ୍ୟଟକ ଆସିନାହାନ୍ତି
– ୮୪ ପ୍ରତିଶତ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟାରେ ହ୍ରାସ ପାଇଛି
– ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୮୪.୨୯ ପ୍ରତିଶତ କମ୍ ପର୍ଯ୍ୟଟକ ଆସିଛନ୍ତି
– ୨୦୨୦-୨୧ରେ ମାତ୍ର ୬୫୨ ଜଣ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି
– ୨୦୧୯-୨୦ ଆର୍ଥିକ ବର୍ଷରେ ଆସିଥିଲେ ୧ ଲକ୍ଷ ୫୬୭ ଜଣ ପର୍ଯ୍ୟଟକ