ମରିବୁ ପଛେ ପାଣି ଛାଡିବୁନି । ଖରସ୍ରୋତାରୁ ଭଦ୍ରକ, ବାଲେଶ୍ୱରକୁ ହେଉଥିବା ଜଳ ପ୍ରକଳ୍ପକୁ ପ୍ରବଳ ବିରୋଧ, ରାଜକନିକାରେ ମଶାଲ ରାଲି କରି ପ୍ରତିବାଦ ।

188

କନକ ବ୍ୟୁରୋ : କିଛି ଦିନର ନିରବତା ପରେ ପୁଣି ତେଜିଛି ଖରସ୍ରୋତା ଆନ୍ଦୋଳନ । ପ୍ରସ୍ତାବିତ ପ୍ରକଳ୍ପକୁ ଜୋରଦାର ବିରୋଧ କରିଛନ୍ତି । ଶତାଧିକ ମହିଳା ଛୋଟ ପିଲା ପ୍ରତିବାଦ ସ୍ଥଳରେ ପହଂଚି ପ୍ରକଳ୍ପ କାମକୁ ବିରୋଧ କରିଛନ୍ତି । ଏଥିପାଇଁ ସ୍ଥାନୀୟ ବୁଣିଆଡିଆ ପଡିଆ ସମେତ ଭରିଗଦା, ବରୁଣାଡିଆ ଓ ବାଳକାଟି ପଂଚାୟତରେ ୧୪୪ ଧାରା ଜାରି କରି ପୁଲିସ ବଳ ମୁତୟନ କରାଯାଇଛି ।

କିଛି ଦିନ ନିରବ ରହିବା ପରେ ପୁଣି ତେଜିଛି ଖରସ୍ରୋତା ଆନ୍ଦୋଳନ । ଖରସ୍ରୋତା ନଦୀ ପଠାରେ ଆନ୍ଦୋଳନ କରି ମହିଳା, ପୁରୁଷ ଓ ଛୋଟ ପିଲାମାନେ ବସିରହିବା ପରେ ମଶାଲ ଶୋଭାଯାତ୍ରା କରିଛନ୍ତି । ଏବଂ ମରିବୁ ପଛେ ପାଣି ଛାଡିବୁ ନାହିଁ ବୋଲି ଧମକ ଦେଇଛନ୍ତି ଆନ୍ଦୋଳନକାରୀ ।

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଓ ଆଳି ବ୍ଲକ ଦେଇ ପ୍ରବାହିତ ହେଉଥିବା ଖରସ୍ରୋତା ନଦୀରୁ ପାଣି ନେଇ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ୮୯୨ କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପ କରିବାକୁ ସରକାର ପୂର୍ବରୁ ଘୋଷଣା କରିଥିଲେ  । ତେବେ ଏହି ଘୋଷଣା ପରଠାରୁ ଖରସ୍ରୋତା ବଂଚାଅ ସଂଗ୍ରାମ ସମିତି ବିରୋଧ କରିଆସୁଛି । ଏବେ ପ୍ରଶାସନ କାମ ଆରମ୍ଭ କରିବା ଲାଗି ଆଳି ଓ ରାଜକନିକାରେ ପୋଲିସ ଫୋର୍ସ ମୁତୟନ କରିବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛି ଖରସ୍ରୋତା ବଂଚାଅ ସଂଗ୍ରାମ ସମିତି ।

 ଏପଟେ ପ୍ରଶାସନ ଭରିଗଦା ପଡିଆଠାରେ ପ୍ରସ୍ତାବିତ ପ୍ରକଳ୍ପ କାମ ଆରମ୍ଭ କରିଛି । ଏଥିପାଇଁ ସ୍ଥାନୀୟ ବରୁଣାଡିଆ ପଡିଆ ସମେତ ଭାରିଗଦା, ବରୁଣାଡିଆ ଓ ବାଳକାଟି ପଂଚାୟତରେ ୧୪୪ ଧାରା ଜାରି କରିଛି ପ୍ରଶାସନ । ପ୍ରତିବାଦକୁ ଦେଖି ପ୍ରକଳ୍ପ ସ୍ଥଳରେ ୧୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।  ଗୋଟିଏ ପଟେ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଶାସନର ଜିଦ୍ ଓ ଅନ୍ୟପଟେ ଲୋକଙ୍କ ବିରୋଧ ଯୋଗୁଁ ସ୍ଥାନୀୟ ଅଂଚଳରେ ଉତେଜନା ଲାଗି ରହିଛି ।