ଲୋକସଭା ଭବନ ପରିସରରେ ମିଲେଟ୍ ଶକ୍ତି କାଫେ ଏବଂ କୃଷି ସମୀକ୍ଷା କେନ୍ଦ୍ର ଉଦଘାଟିତ । ଲୋକଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବ ଏହି ମିଲେଟ୍ ଶକ୍ତି କାଫେ ।

82

କନକ ବ୍ୟୁରୋ: ‘ଅକ୍ଷୟ ତୃତୀୟା’ର ଶୁଭ ଅବସରରେ ଭୁବନେଶ୍ୱରର ଲୋକସେବା ଭବନ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଏକ ମିଲେଟ୍ ଶକ୍ତି କାଫେ ଏବଂ କୃଷି ସମୀକ୍ଷା କେନ୍ଦ୍ର ଉଦଘାଟିତ ହୋଇଛି । କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ମିଶନ୍ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅନୁ ଗର୍ଗ , କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼. ଅରବିନ୍ଦ କୁମାର ପାଢୀ, ମିଶନ୍ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ଆର କାର୍ତ୍ତିକେୟନ୍, କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ, ଓଡ଼ିଶା ମିଲେଟ୍ସ ମିଶନ ତଥା କୃଷି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶୈଳେନ୍ଦ୍ର ମହାନ୍ତି ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡିଶା ସରକାରଙ୍କର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଓଡିଶା ମିଲେଟ୍ସ ମିଶନ ନାମକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଗ୍ରାମାଞ୍ଚଳର କ୍ଷୁଦ୍ର ଓ ନାମମାତ୍ର କୃଷକମାନଙ୍କ ଜୀବନଜୀବିକା ଏବଂ ପୁଷ୍ଟିକର ଖାଦ୍ୟର ସୁରକ୍ଷା କ୍ଷେତ୍ରରେ ମିଲେଟ୍ସର ମହତ୍ତ୍ଵକୁ ଅନୁଧ୍ୟାନ କରି ଓଡ଼ିଶା ସରକାର ଏହି କାର୍ଯ୍ୟକ୍ରମକୁ ରାଜ୍ୟର ୩୦ ଟି ଜିଲ୍ଲାର ୧୭୭ଟି ବ୍ଲକକୁ ସଂପ୍ରସାରିତ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଭାରତ ସରକାର ଏବଂ ମିଳିତ ଜାତିସଂଘ ଏକ ମଡେଲ୍ ପଦକ୍ଷେପ ଭାବରେ ସ୍ଵୀକୃତି ଦେଇଛନ୍ତି ଏବଂ ଆଗାମୀ ଦିନରେ ଏପରି କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଅନ୍ୟ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି । ଓଡ଼ିଶା ମିଲେଟ୍ସ ମିଶନ ଏବଂ ମିଶନ ଶକ୍ତିର ମିଳିତ ଉଦ୍ୟମରେ ମା ମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ମିଲେଟ୍ ଶକ୍ତି କାଫେଟି ଲୋକ ସେବା ଭବନ ପରିସରରେ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଉତ୍ପାଦ ଗୁଡିକର ଏକ ବିକ୍ରୟ ପ୍ରତିଷ୍ଠାନ ଅଟେ ।

ଏହି ଉଦ୍ୟୋଗଟି ଲୋକସେବା ଭବନ ଏବଂ ଆଖପାଖର ଲୋକଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ସହାୟକ ହେବ । ଆଗାମୀ ଦିନରେ ରାଜ୍ୟର ପ୍ରମୁଖ ଜିଲ୍ଲା ତଥା ସହର ମାନଙ୍କରେ ମିଲେଟ୍ ଶକ୍ତି କାଫେ ଗୁଡିକ ଅଧିକ ସଂଖ୍ୟାରେ ପ୍ରତିଷ୍ଠା କରିବାକୁ ସରକାର ଯୋଜନା କରୁଛନ୍ତି । ଏଥିସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଭାରତର ପ୍ରଥମ କୃଷି ସମୀକ୍ଷା କେନ୍ଦ୍ର ଉଦଘାଟିତ କରିଛନ୍ତି । ଦେଶର ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ଏହିପରି ଏକ କୃଷି ସମୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରିଛି । ଏହା ହିତାଧିକାରୀଙ୍କୁ ଯୋଜନା ଓ ସେବା ପ୍ରଦାନକୁ ସୁନିଶ୍ଚିତ କରିବା ସହ କୃଷକ ତଥା ସମ୍ପ୍ରସାରଣ କର୍ମଚାରୀଙ୍କୁ ନିୟମିତ ଭାବରେ ଅଗ୍ରଗତି ଯାଞ୍ଚ କରି ଆବଶ୍ୟକ ସମୟରେ ସହାୟତା ପ୍ରଦାନ କରିବାରେ ସକ୍ଷମ ହେବ । ଏହି କୃଷି ସମୀକ୍ଷା କେନ୍ଦ୍ର ଗୁଣାତ୍ମକ ଉତ୍ପାଦନ ସାମଗ୍ରୀ ଯୋଗାଣ ସହ କୀଟନାଶକ, ରୋଗ ପରିଚାଳନା ଓ କୃଷକମାନଙ୍କୁ ସମ୍ପ୍ରସାରଣ ସେବା ପ୍ରଦାନ କରିବା କାର୍ଯ୍ୟ ଉପରେ ଧ୍ୟାନ ଦେବ । ଅକ୍ଷୟ ତୃତୀୟା ଏବଂ କୃଷକ ଦିବସର ଶୁଭ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହି କାର୍ଯ୍ୟକ୍ରମ ମହିଳା ଏବଂ କୃଷକମାନଙ୍କ ପାଇଁ ବିଶେଷ ସହାୟକ ହେବ ।