ସାନ ସିନା ଦାନ ତା ମହାନ୍ । ୮ଟି ଅଙ୍ଗଦାନ କଲା ୯ ବର୍ଷର କୁନି ବାଳକ । ବଞ୍ଚିଗଲା ଦୁଇଟି ମୂଲ୍ୟବାନ ଜୀବନ ।

151

କନକ ବ୍ୟୁରୋ: କୁହାଯାଏ ଅଙ୍ଗଦାନ ମହାପୂର୍ଣ୍ଣ, ଅଙ୍ଗଦାନ କଲେ ମହାପୂର୍ଣ୍ଣ ଅର୍ଜନ ହୁଏ । ତେବେ କେବଳ ବଡ ଲୋକ ନୁହଁନ୍ତି, ବେଳେବେଳେ ଛୋଟ ପିଲାଙ୍କର ଦାନ ବି ଏତେ ବଡ ଥାଏ ଯେ, ତାକୁ କଳ୍ପନା କରିବା ବି ବଡ ମୁସ୍କିଲ ହୋଇପଡେ । ଏଇ ଯେମିତି ସାନ ହେଲେ ବି ଏକ ମହାନ୍ ଦାନ କରିଛନ୍ତି ଜଣେ ୯ ବର୍ଷୀୟ ବାଳକ ସଲୀମ ।

୯ ବର୍ଷୀୟ ବାଳକ ସଲୀମ ନିଜର ୮ଟି ଅଙ୍ଗକୁ ଦାନ କରିଛନ୍ତି । ଆଉ ତାଙ୍କ ଏହି ମହାନ ଦାନ ଫଳରେ ଦୁଇଜଣ ଲୋକଙ୍କ ଜୀବନ ବଞ୍ଚିଯାଇଛି । ତେବେ ଦିଲ୍ଲୀ ଏମସରେ ହୋଇଥିବା ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଅସଲ କଥା ହେଉଛି, ଗତ ଏପ୍ରିଲ ୧୫ ତାରିଖରେ ସଡକ ପାର ହେଉ ହେଉ ଏକ ଦୁର୍ଘଟଣାର ଶିକାର ହୋଇଥିଲା ୯ ବର୍ଷୀୟ ବାଳକ ସଲୀମ । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସ୍ଥିତି ଜଟିଳ ହେବାରୁ ତାକୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଦିଲ୍ଲୀ ଏମସରେ କିନ୍ତୁ ଡାକ୍ତର ସଲୀମକୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ ।

ବ୍ରେନ୍ ଡେଡ୍ ଘୋଷଣା ହେବା ପରେ ଡାକ୍ତରମାନେ ସଲୀମଙ୍କ ପିତାମାତାଙ୍କୁ ଅଙ୍ଗଦାନ ପାଇଁ ଅନୁରୋଧ କରିଥିଲେ । ଯାହାପରେ ସଲୀମଙ୍କ ପିତାମାତା ରାଜି ହେବାରୁ, ସଲୀମଙ୍କ ୮ଟି ଅଙ୍ଗକୁ ଦାନ କରାଯାଇଥିଲା । ତେବେ ସଲୀମ ଦାନ କରିଥିବା ଅଙ୍ଗ ଭିତରୁ ଗୋଟିଏ କିଡନୀ ଜଣେ ୨୦ ବର୍ଷୀୟ ରୋଗୀଙ୍କ ଦେହରେ ପ୍ରତ୍ୟାରୋପଣ ହୋଇଥିବାବେଳେ, ସଲୀମର ଲିଭର ମଧ୍ୟ ଜଣେ ୧୬ ବର୍ଷୀୟ ଯୁବକଙ୍କ ଦେହରେ ପ୍ରତ୍ୟାରୋପଣ ହୋଇଥିଲା । ଆଉ ଏହି ଦୁଇ ଯୁବକ ସଲୀମର ଅଙ୍ଗଦାନ ଫଳରେ ନୂଆ ଜୀବନ ଫେରିପାଇଥିଲେ ।