ମହିଳା କୁସ୍ତିଯୋଦ୍ଧାଙ୍କୁ ଉତ୍ପୀଡନ ମାମଲା, ଜନ୍ତରମନ୍ତର ଠାରେ ପୁଣି ଧାରଣା ଦେବାକୁ ଘୋଷଣା କଲେ ବଜରଙ୍ଗ ପୁନିଆ

104

କନକ ବ୍ୟୁରୋ : ଟୋକିଓ ଅଲମ୍ପିକ୍ସରେ କାଂସ୍ୟ ପଦକ ବିଜେତା ବଜରଙ୍ଗ ପୁନିଆ ଭାରତୀୟ କୁସ୍ତିଯୋଦ୍ଧା ସଂଘର ଅଧ୍ୟକ୍ଷ ବୃଜଭୂଷଣ ସିଂଙ୍କ ବିରୋଧରେ ପୁଣି ଥରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି କି, ଏବେ ପୁଣିଥରେ ଜନ୍ତର ମନ୍ତର ଠାରେ ବୃଜଭୂଷଣଙ୍କ ସିଂଙ୍କ ବିରୋଧରେ ପ୍ରଦର୍ଶନ କରାଯିବ । ଯେ ପର୍ଯ୍ୟନ୍ତ ବୃଜଭୂଷଣ ସିଂଙ୍କୁ ଗିରଫ କରାଯାଇ ନାହିଁ ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ସେପଟେ ୭ଜଣ ମହିଳା କୁସ୍ତିଯୋଦ୍ଧା କର୍ନାଟ ପ୍ଲେସ ଥାନାରେ ବୃଜଭୂଷଣଙ୍କ ବିରୋଧରେ ଅଭିଯୋଗ କରିଥିଲେ ବି ଏପର୍ଯ୍ୟନ୍ତ ପୋଲିସ ମାମଲା ରୁଜୁ କରିନାହିଁ । ସୂତ୍ର ସୂଚନା ମୁତାବକ ଦିଲ୍ଲୀ ପୋଲିସ କହିଛି ଯେ, ମହିଳା କୁସ୍ତିଯୋଦ୍ଧାଙ୍କ ତରଫରୁ ଦାଖଲ ହୋଇଥିବା ଅଭିଯୋଗ ଉପରେ ଯାଂଚ କରାଯାଉଛି, ସାକ୍ଷୀଙ୍କ ପ୍ରାଥମିକ ବୟାନ ପରେ ମାମଲା ରୁଜୁ କରାଯିବ । ହରିଆଣା ଓ ବାହାର ରାଜ୍ୟର ମୋଟ ୭ଜଣ ମହିଳା କୁସ୍ତଯୋଦ୍ଧା ଅଭିଯୋଗ କରିଥିବା କଥା ଦିଲ୍ଲୀ ପୋଲିସ କହିଛି ।

ଅନ୍ୟପଟେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି । ମହିଳା କୁସ୍ତିଯୋଦ୍ଧାଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ ନକରିବା ନେଇ ସେ ଦିଲ୍ଲୀ ପୋଲିସକୁ ନୋଟିସ ପଠାଇଛନ୍ତି । ଏହାସହ ଅଭିଯୋଗକାରୀ ମହିଳା କୁସ୍ତିଯୋଦ୍ଧାମାନେ କହିଛନ୍ତି କି, ୨ଦିନ ତଳେ ସେମାନେ ଯୌନ ଉତ୍ପୀଡନ ମାମଲା ନେଇ ବୃଜଭୂଷଣଙ୍କ ବିରୋଧରେ ଦିଲ୍ଲୀ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ ବି ଦିଲ୍ଲୀ ପୋଲିସ ଏପର୍ଯ୍ୟନ୍ତ ମାମଲା ରୁଜୁ କରିନାହିଁ ।