ଲୁଲୁ ମଲରେ ନମାଜ ପଢାକୁ ନେଇ ଲଙ୍କାକାଣ୍ଡ । ହନୁମାନ ଚାଳିଶା ପଢିବାକୁ ଯାଇଥିବା ବେଳେ ୧୫ ଜଣଙ୍କୁ ଉଠାଇନେଲା ପୋଲିସ

212

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଠାରେ ଥିବା ଲୁଲୁ ମଲରେ ନମାଜ ପଢା ମାମଲା ଥମିବାର ନାଁ ନେଉନି । ଗୋଟିଏ ପଟେ ମଲ ଭିତରେ ନମାଜ ପଢୁଥିବା ଲୋକଙ୍କ ନାମରେ ମାମଲା ରୁଜୁ ହୋଇଛି ତ ଅନ୍ୟପଟେ ମଲ ନିକଟକରେ ହନୁମାନ ଚାଳିଶା ଓ ସୁନ୍ଦରକାଣ୍ଡ ପଢିବାକୁ ଯାଇଥିବା ଲୋକଙ୍କ ମଧ୍ୟରୁ ୧୫ ଜଣଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି ।

ସୂଚନା ମୁତାବକ ଲୁଲୁ ମଲରେ ନମାଜ ପଢାଯିବାକୁ ନେଇ କିଛି ହିନ୍ଦୁବାଦୀ ସଂଗଠନ ଆଜି ମଲ ଆଗରେ ଭାରି ମାତ୍ରାରେ ବିରୋଧ ପ୍ରଦର୍ଶନ କରିଥିଲେ । ଏହାସହ ସେଠାରେ କିଛି ଲୋକ ହନୁମାନ ଚାଳିଶା ଓ ସୁନ୍ଦରକାଣ୍ଡ ବି ପଢିବା ଆରମ୍ଭ କରିଦେଇଥିଲେ । ଏସବୁକୁ ଦେଖି ପୋଲିସ ତୁରନ୍ତ ପ୍ରଦର୍ଶନ କରୁଥିବା ହିନ୍ଦୁବାଦୀ ସଂଗଠନର କିଛି ଲୋକଙ୍କୁ ଗାଡିରେ ବସାଇ ନିକଟସ୍ଥ ଥାନାକୁ ନେଇ ଯାଇଛି । କୁହାଯାଉଛି କି ଏବେ ଏବେ ପୁଣି କରଣୀ ସେନାର କିଛି କର୍ମୀ ସେହି ମଲ ଆଗରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିବା ଆରମ୍ଭ କରିଦେଇଛନ୍ତି ।

ସେପଟେ ଏସବୁକୁ ନଜରରେ ରଖି ପୋଲିସ ପକ୍ଷରୁ ଲୁଲୁ ମଲ ଅଞ୍ଚଳରେ ଧାରା ୧୪୪ ଲାଗୁ କରିଛି । ପୋଲିସ ପକ୍ଷରୁ କୁହାଯାଇଛି କି ଏହି ମଲ ପରିସରରେ ନା କେହି ନମାଜ ପଢିପାରିବେ ନା କେହି ହନୁମାନ ଚାଳିଶା ପଢିପାରିବେ । ଯେଉଁମାନେ ଏଭଳି କରିବାକୁ ଚେଷ୍ଟା କରିବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଚେତାବନୀ ଦେଇଛି ।

କହିରଖୁ କି କିଛିଦିନ ତଳେ ଖୁଲାଯାଇଥିବା ଲୁଲୁ ମଲ ମଧ୍ୟରେ ନମାଜ ପଢାଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ କିଛି ହିନ୍ଦୁ ସଂଗଠନ ଏହାକୁ ବିରୋଧ କରି ମଲ ଆଗରେ ପ୍ରଦର୍ଶନ କରିବା ସହ ନମାଜ ପଢିବା ଆରମ୍ଭ କରିଦେଇଥିଲେ । ସେପଟେ ପ୍ରଶାସନ କହିଛି କି ଲୁଲୁ ମଲ ଭିତରେ ନମାଜ ପଢୁଥିବା ଲୋକମାନେ ମଲର କର୍ମଚାରୀ ନୁହଁନ୍ତି ।