୫୮ ବର୍ଷ ବୟସରେ ମାଟ୍ରିକ ପାସ : ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କୁ ସଫଳତା; ବି-ୱାନ ଗ୍ରେଡରେ ହେଲେ ଉତ୍ତୀର୍ଣ୍ଣ

131

କନକ ବ୍ୟୁରୋ : କୁହଯାଏ ପାଠ ପଢ଼ିବାର ଓ ଜ୍ଞାନ ଆହରଣ କରିବାର କୌଣସି ବୟସ ନଥାଏ । ଇଛାଶକ୍ତି ଓ ଦୃଢ଼ ମନୋବଳ ଜରିଆରେ ଏହା କରାଯାଇପାରେ । ଠିକ୍ ଏପରି କିଛି କରି ଦେଖାଇଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର । ୫୮ ବର୍ଷ ବୟସରେ ସେ ମାଟ୍ରିକ ପାସ୍ କରିଛନ୍ତି ।

ବିଧାୟକ ଅଙ୍ଗଦ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ସେ ବି-ୱାନ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ମୋଟ୍ ୫ ଶହ ମାର୍କରୁ ସେ ୩୬୪ ମାର୍କ ରଖି ସଫଳତା ପାଇଛନ୍ତି । ମାଟ୍ରିକ ପରୀକ୍ଷାରେ ସେ ୭୨ ପ୍ରତିଶତ ମାର୍କ ରଖିଛନ୍ତି । ଫୁଲବାଣୀ ସ୍ଥିତ ରୁଜାଙ୍ଗୀ ପରୀକ୍ଷା କେନ୍ଦ୍ରରେ ସେ ଚଳିତ ଥର ଏସଆଇଓଏସରେ ଦଶମ ବୋର୍ଡ଼ ପରୀକ୍ଷା ଦେଇଥିଲେ ।

ଠିକ୍ ଅନ୍ୟ ଏକ ପ୍ରେରଣ ଦେଲା ଭଳି ଖବର ଆସିଛି କେନ୍ଦ୍ରାପଡ଼ାରୁ । ରୋଗ ସହ ଲଗାତର ସଂଘର୍ଷ କରୁଥିବା ଜଣେ ଛାତ୍ରୀ ନିଜ ଉଦ୍ୟମ ବଳରେ ମାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ମହାକାଳପଡ଼ା ବାରଡାଙ୍ଗ ପଞ୍ଚାୟତର ନଭ୍ୟାନଭେଲି ସାହୁ ।

ଜନ୍ମରୁ ସେ ଥାଲାସେମିଆ ରୋଗରେ ଆକ୍ରାନ୍ତ । ରୋଗ ସହ ସଂଘର୍ଷ କରୁଥିଲେ ବି ପାଠପଢ଼ା ପ୍ରତି ଭାରି ଆଗ୍ରହ । ସେ ଚନ୍ଦ୍ରଶେଖର ହାଇସ୍କୁଲ ନନ୍ତାର ଛାତ୍ରୀ । ସେ ଏଥର ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୫୫୨ ରଖି ୯୦ ପ୍ରତିଶତ ମାର୍କ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ତାଙ୍କର ଏହି ସଫଳତା ପରିବାର ଲୋକ ଓ ଶିକ୍ଷକଙ୍କ ମୁହଁରେ ହସ ଆଣି ଦେଇଛି ।