କୃଷ୍ଣପ୍ରସାଦ ଅଞ୍ଚଳର ମହିଳାଙ୍କୁ ରୋଜଗାର ଦେଉଛି ଛତୁ ଚାଷ । କମ୍ ଖର୍ଚ୍ଚ, କମ୍ ପରିଶ୍ରମ ଓ କମ୍ ସମୟରେ ମିଳୁଛି ଅଧିକ ଲାଭ

116

କନକ ବ୍ୟୁରୋ : ଛତୁ ଚାଷ ଏକ ଲାଭଜନକ ଚାଷ । କମ୍ ଖର୍ଚ୍ଚ, କମ୍ ପରିଶ୍ରମ ଓ କମ୍ ସମୟ ଭିତରେ ଏହି ଚାଷରୁ ଭଲ ରୋଜଗାର ମିଳୁଥିବାରୁ ଏହି ଚାଷକୁ ଆପଣାଇଛନ୍ତି ଗାଁ ମହିଳା । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବାଘମୁଣ୍ଡା ଗାଁର ମା’ ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଛତୁ ଚାଷ କରି ଲାଭବାନ ହେଉଛନ୍ତି । ଗୋଷ୍ଠୀର ୧୦ ଜଣ ମହିଳା ଏକାଠି ହୋଇ ଏହି ଚାଷ କରୁଥିବା ବେଳେ ଜିଲ୍ଲାର ବିଭିନ୍ନ ବଜାରକୁ ବିକ୍ରି ପାଇଁ ପଠାଉଛନ୍ତି । ଏପରିକି ଆଖପାଖ ଅଂଚଳର ଲୋକେ ମହିଳା ମାନଙ୍କ ଛତୁ ଫାର୍ମ ନିକଟକୁ ଆସି କିଣି ନେଉଛନ୍ତି ।

ଛତୁ ଚାଷ ପାଇଁ ପ୍ରଥମେ ଛତୁ ମଂଜି, ନଡାର ଆବଶ୍ୟକତା ଥାଏ । ନଡ଼ାକୁ ଛୋଟ ଛୋଟ ବେଡ ଆକୃତିର କାଟି ଏହାକୁ ୧୦ରୁ ୧୨ ଘଂଟା ପାଣିରେ ଭିଜାଇ ରଖିବାକୁ ପଡ଼ିଥାଏ । ଏହା ପରେ ନଡ଼ାକୁ ଛାଣି ପାଣି ନିଗିଡ଼ିବା ପରେ ସେଥିରେ ଛତୁ ମଞ୍ଜି ଦେଇ ବେଡ଼ ପକାଯାଏ । ନଡ଼ାରେ ମଞ୍ଜି ପକାଇବା ପରେ ଏହାକୁ ପଲିଥିନ୍ ଘୋଡ଼ାଇ ରଖିବାକୁ ପଡ଼ିଥାଏ । ମଞ୍ଜି ପଡ଼ିବାର ୧୩ ଦିନ ପରେ ଛତୁ ଅମଳ କରାଯାଏ । ମହିଳା ମାନେ ୩ଶହ ବେଡ଼ ପକାଇଥିବା ବେଳେ ମାସକୁ ପାଖାପାଖି ୮୦ କିଲୋ ଛତୁ ତୋଳାଯାଏ । ସବୁଠାରୁ ବଡ଼ କଥା ହେଲା ଏବେ ରାତି ପାହିଲେ ଛତୁ କିଣିବାକୁ ଗାଁରେ ଲାଗୁଛି ଗ୍ରାହକଙ୍କ ଭିଡ଼ । ବଜାର ପରିବର୍ତେ ଏହି ଗାଁରୁ ଛତୁ କିଣୁଛନ୍ତି ଲୋକେ  ।

ମହିଳା ମାନେ ପ୍ରଥମେ ୨୦୨୧ରେ ବ୍ୟାଙ୍କରୁ କିଛି ରୁଣ ଆଣି ଛତୁ ଚାଷ ଆରମ୍ଭ କରିଥଲେ । ଭଲ ରୋଜଗାର ହେବାରୁ ଆଉ ପଛକୁ ଫେରିନାହାନ୍ତି । ପାଖାପାଖି ୬ଲକ୍ଷ ଟଙ୍କା ଖର୍ଚ୍ଚ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଗୋଷ୍ଠୀର ପ୍ରତ୍ୟେକ ମହିଳା ଆତ୍ମନିର୍ଭର ହୋଇ ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣା ପାଲଟିିଛନ୍ତି ।