ଋାୟଗଡାର ଆଦିବାସୀ ଅଧ୍ୟୁଷିତ ମହିଳାଙ୍କୁ ରୋଜଗାର ଦେଉଛି ଗୋ-ପାଳନ, ସହାୟତାର ହାତ ବଢାଇଛି ମିଶନ ଶକ୍ତି

65

କନକ ବ୍ୟୁରୋ : ଜୀବନ ଜୀବିକା ପାଇଁ ଦିନେ ବନଜାତ ସାମଗ୍ରୀ ଉପରେ ନିର୍ଭର କରୁଥିଲେ । ଆଉ ଏବେ ଆଦିବାସୀ ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଗୋପାଳନ । ରାୟଗଡ଼ା ଖିଜିଲିଙ୍ଗି ଗାଁର ତିନୋଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଏକାଠି ହୋଇ ମିଳିତ ଭାବେ ଡାଇରୀ ଫାର୍ମ କରିଛନ୍ତି । ଗାଇ ଦୁହିଁବା ଠାରୁ ଆରମ୍ଭ କରି ଗାଇଙ୍କୁ ଖାଇବାକୁ ଦେବା ପର୍ଯ୍ୟନ୍ତ ସମସ୍ତ କାମ କରୁଛନ୍ତି ମହିଳା । ରୋଜଗାର ହେଉଥିବା ଅର୍ଥରେ ନିଜେ ରୋଜଗାର କରିବା ସହ ରୁଣ ପରିଶୋଧ କରୁଛନ୍ତି । ନିଜର ଖର୍ଚ୍ଚ ପାଇଁ ଆଉ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ୁନାହିଁ ।

ଗୋଷ୍ଠୀର ମାଆ ମାନେ ପାଳି କରି ପ୍ରତି ସପ୍ତାହରେ ୨ ଜଣ ଲେଖାଏଁ ଗାଇ ସେବା ଠାରୁ ଆରମ୍ଭ କରି ସଂଗୃହିତ କ୍ଷୀର ବଜାରରେ ବିକ୍ରି କରିବା ଦାୟିତ୍ୱ ନେଇଥାଆନ୍ତି । ଦୈନିକ ଶହେ ଟଙ୍କା ହିସାବରେ ମାସିକ ୩ ହଜାର ଟଙ୍କା ରୋଜଗାର କରିବାକୁ ମହିଳା ମାନେ ସକ୍ଷମ ହେଉଛନ୍ତି । ଆଗକୁ ଅଧିକ ରୋଜଗାର ହେବା ନେଇ ସେମାନେ ଲକ୍ଷ୍ୟ ରଖିଛନ୍ତି । ମହିଳାଙ୍କ ଉତ୍ସାହକୁ ନଜରରେ ରଖି ସହାୟତାର ହାତ ବଢ଼ାଇଛି ମିଶନ ଶକ୍ତି । ଉତ୍ପାଦକ ଗୋଷ୍ଠୀ ଗଠନ କରି ୧୦ ଲକ୍ଷ ଟଙ୍କାର ରୁଣ ପ୍ରଦାନ କରାଯାଇଛି । ସେଥିରୁ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରି ଡାଇରୀ ଫାର୍ମ କରିଛନ୍ତି ଏସଏଚଜି ମହିଳା ।

ଗୋପାଳନ ନେଇ ମହିଳାମାନଙ୍କୁ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ତାଲିମ ଦିଆଯିଇଛି । ଏହା ପରେ ମହିଳା ମାନେ ଏହି କାମରୁ ଆଉ ମୁହଁ ଫେରାଇନାହାନ୍ତି । ୩ଟି ଗ୍ରୁପର ୩୦ ଜଣ ମହିଳା ଏହି ଗାଇ ଫାର୍ମ ଦ୍ୱାରା ଉପକୃତ ହୋଇପାରୁଛନ୍ତି ।