ମିଶନ ଶକ୍ତି ଓ ଓରମାସ ଜିଲ୍ଲା ପ୍ରଶାସନର ନିଆରା ଉଦ୍ୟମ । ଉପକୃତ ହେବେ ଉଭୟ ଏସଏଚଜି ମହିଳା ଓ ହଳଦୀ ଚାଷୀ

179

କନକ ବ୍ୟୁରୋ : କୋରାପୁଟ କଫି, ଝାଡୁ, ମାଣ୍ଡିଆ, ସୁଆଁ ଓ ହଳଦୀ ଗୁଣ୍ଡ ପରେ ଏବେ ଇ-କମର୍ସ ସାଇଟ୍ରେ ଉପଲବ୍ଧ ହେଉଛି କୋରାପୁଟର ହଳଦୀ ସାବୁନ । ଇ-କମର୍ସ କମ୍ପନୀ ଆମାଜନ ପକ୍ଷରୁ କୋରାପୁଟ ହଳଦୀ ସାବୁନ୍କୁ ନିଜ ୱେବସାଇଟରେ ସ୍ଥାନ ଦିଆଯାଇଥିବା ବେଳେ ଏହାର ଦାମ୍ ରହିଛି ୮୫ ଟଙ୍କା । ପାର୍ବଣ ରୁତୁରେ ଓରମାସ୍ ପକ୍ଷରୁ ଏହି ସାବୁନ୍ ଆମାଜନକୁ ଯୋଗାଇଦିଆଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରର ଗ୍ରାହକ ମାନେ ଏହାକୁ ଅର୍ଡର ଦେଇ କିଣି ନେଉଛନ୍ତି । ଆଗକୁ ବନ୍ଧୁଗାଁ ଓ ନାରାୟଣପାଟଣାର ଲେମନଗ୍ରାସ ଅଏଲ, ପଟାଙ୍ଗୀର ଜାପାନିଜ୍ ମିଂଟ୍ ବାମ୍, ବୋରିଗୁମ୍ମା ଓ କୋଟପାଡର ଗୁଡକୁ ମଧ୍ୟ ଇ-କମର୍ସ ସାଇଟରେ ବିକ୍ରି କରିବା ପାଇଁ କରାଇବାକୁ ଯୋଜନା ରହିଛି ।

ଇ-କମର୍ସ ସାଇଟରେ ଏହି ସବୁ ସାମଗ୍ରୀ ଉପଲବ୍ଧ ହେବା ଦ୍ୱାରା ବିଶ୍ୱବଜାରରେ ପହଂଚିପାରିବ କୋରାପୁଟର ବନଜାତ ଦ୍ରବ୍ୟ । ଏହି କାମ ଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ନିୟୋଜିତ ହୋଇ କିଛି ରୋଜଗାର କରିପରୁଥିବାରୁ ସେମାନେ ଖୁସିପ୍ରକାଶ କରିଛନ୍ତି । ଆଗକୁ ଚାହିଦା ଅନୁସାରେ ସାମଗ୍ରୀ ଯୋଗାଇଦେବାକୁ ଲକ୍ଷ୍ୟ ରହିଥିବା କହିଛନ୍ତି ଓରମାସ୍ ଅଧିକାରୀ ।

କରୋନା ସମୟରେ ଲକ୍ଷ୍ମୀପୁର ବ୍ଳକର ୨ଟି ସ୍ୱୟଂ ସୟାୟକ ଗୋଷ୍ଠୀର ୨୦ ଜଣ ମହିଳାଙ୍କୁ ହଳଦୀ ସାବୁନ୍ ପ୍ରସ୍ତୁତି ପାଇଁ ତାଲିମ ଦିଆଯାଇଥିଲା । ବର୍ତମାନ ସୁଦ୍ଧା ପାଖାପାଖି ୫୦ ହଜାରରୁ ଅଧିକ ପିସ୍ ସାବୁନ ବିକ୍ରି ହେଲାଣି   । ଓଡ଼ିଶା ସମେତ, ଚଣ୍ଡିଗଡ଼, ପଞ୍ଜାବ, ରାଜସ୍ଥାନ, ଚେନ୍ନାଇ ଓ ବାଙ୍ଗାଲୁର ସହରକୁ ମଧ୍ୟ ହଳଦୀ ସାବୁନ ରପ୍ତାନୀ ହେଉଛି ।