ରାମଲାଲାଙ୍କ ପାଇଁ ଅଯୋଧ୍ୟାରେ ପହଂଚୁଛି ଦେଶର କୋଣ ଅନୁକୋଣରୁ ଉପହାର । ହାଇଦ୍ରାବାଦରୁ ଗଲା ଏକ ଟନ୍ ଲଡୁ, ଛତିଶଗଡ଼ରୁ ସ୍ୱତନ୍ତ୍ର କୋଳି

387

କନକ ବ୍ୟୁରୋ : ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଭୁ ଶ୍ରୀରାମଙ୍କ ପାଖରେ ଲାଗିହେବ ମିଠାକୋଳି । ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ସାନଭାଇ ଲକ୍ଷ୍ମଣଙ୍କ ସହ ବୃଦ୍ଧା ଶବରୀର ଆତିଥ୍ୟ ଗ୍ରହଣ କରି ମିଠା କୋଲି ଖାଇଥିଲେ । ଏହି ସ୍ମୃତିକୁ ଉଜାଗର ଉଦେଶ୍ୟରେ ଛତିଶଗଡ଼ର ଶିବରିନାରାୟଣ ଧାମରୁ ଅଯୋଧ୍ୟାରେ ସ୍ୱତନ୍ତ୍ର ମିଠା କୋଳି ପହଁଚିଛି । ଛତିଶଗଡ଼ର ଯାଦବ ସମ୍ପଦ୍ରାୟ ପକ୍ଷରୁ ଏହି କୋଳିକୁ ରାମଲାଲାଙ୍କ ପାଇଁ ଅଯୋଧ୍ୟାକୁ ଅଣାଯାଇଛି ।

ସେପଟେ ଅଯୋଧ୍ୟାରେ ପହଁଚିଛି ଦୁନିଆର ସବୁଠୁ ବଡ଼ ତାଲା । ଆଲିଗଡ଼ରୁ ୪୦୦କେଜିର ଏକ ବିଶାଳ ତାଲା ମଧ୍ୟ ଅଯୋଧ୍ୟାରେ ପହଁଚିଛି । ଉତରପ୍ରଦେଶ ଆଲିଗଡରୁ ଏହି ତାଲାକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇ ଅଯୋଧ୍ୟାକୁ ଅଣାଯାଇଛି ।

ଦୁନିଆର ସବୁଠୁ ଦାମୀ ରାମାୟଣ ବହି ଅଯୋଧ୍ୟାରେ ଆସି ପଂହଚିଛି । ଏହି ରାମାୟଣ ବହିର ଦାମ ୧ ଲକ୍ଷ ୬୫ ହଜାର ଟଂକା । ଏହି ବହିକୁ ଆଣିଛନ୍ତି ବିକ୍ରେତା ମନୋଜ ସତୀ । ଏହି ରାମାୟଣ ବହିର ଡିଜାଇନ ମଧ୍ୟ ନିଆରା । ବହିଟି ଯେଉଁ ବାକ୍ସ ଭିତରେ ରହିବ ତାହା ଆମେରିକାର ଅଖରୋଟ କାଠରେ ତିଆରି । ସେହିପରି ଜାପାନର ଜୈବିକ କାଳିରେ ବହିକୁ ଲେଖା ହୋଇଛି । ଲେଖିବାକୁ ଯେଉଁ କାଗଜ ତିଆରି ହୋଇଛି ତାହା ଫ୍ରାନ୍ସରେ ପ୍ରସ୍ତୁତ । ଏହି କାଗଜ ସଂପୂର୍ଣ୍ଣ ଭାବେ ଏସିଡ ମୁକ୍ତ ରହିଛି । ଏହି କାଗଜ ସ୍ୱତନ୍ତ୍ର ଭାବରେ ଏହି ବହି ପାଇଁ ତିଆରି ହୋଇଛି । ଏହା ବଜାରରେ ଉପଲବ୍ଧ ନାହିଁ । ଏହି ରାମାୟଣ ବହିର ପ୍ରତ୍ୟେକ ପୃଷ୍ଠାକୁ ଭିନ୍ନ ଭିନ୍ନ ଡିଜାଇନ ଦିଆଯାଇଛି ।

ରାମଲାଲାଙ୍କ ପାଇଁ ସୁନାର ମୁକୁଟ । ବିହାରର ଦରଭଙ୍ଗା ରାଜ ପରିବାର ପକ୍ଷରୁ ଅଯୋଧ୍ୟାରେ ପହଂଚିଛି ସୁନାର ମୁକୁଟ, ଚରଣ ପାଦୁକା ଓ ଧନୁତୀର । ଦରଭଙ୍ଗା ରାଜପରିବାରର ରାଜ କୁମାର କପିଳେଶ୍ୱର ସିଂହଙ୍କ ଏହି ସମସ୍ତ ଅଳଙ୍କାର ଧରି ଅଯୋଧ୍ୟାରେ ପହଂଚିଛନ୍ତି । ମାତା ସୀତାଙ୍କ ବାପଘର କୁହାଯାଉଥିବା ମିଥିଲାବାସୀଙ୍କ ପ୍ରତିନିଧି ଭାବେ ପ୍ରାଣ ପ୍ରତିଷ୍ଠା ଦିବସରେ ସାମିଲ ହେଉଥିବାରୁ ସେ ଖୁବ ଖୁସି ବୋଲି କହିଛନ୍ତି ରାଜପରିବାରର ସଦସ୍ୟ ।