ନିଶା ଛାଡିବାକୁ ଆସିଥିଲେ, ହେଲେ ଶବ ହୋଇ ଫେରିଲେ । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ପୋଲିସ ତଦନ୍ତ ଆରମ୍ଭ

601

କନକ ବ୍ୟୁରୋ: ନିଶା ଛଡାଇବାକୁ ଯାଇଥିଲେ , କିନ୍ତୁ ଶବ ହୋଇ ଫେରିଲେ । ଭୁବନେଶ୍ୱର ଧଉଳିର ନିଶା ନିବାରଣ କେନ୍ଦ୍ରରେ ଛବି ନାୟକ ନାମକ ଜଣେ ବ୍ୟକ୍ତିର ମୃତ୍ୟୁକୁ ନେଇ ବିବାଦ ଦେଖାଦେଇଛି । ଏଭଳି ଆକସ୍ମିକ ମୃତ୍ୟକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରିନାହାନ୍ତି । ଆଉ ମୃତ୍ୟୁ ପୂର୍ବର ଭିଡିଓ ଘଟଣାର ମୋଡକୁ ବଦଳାଇଦେଇଛି । ମୃତ ଛବିଙ୍କ ଶରୀରେ ମାଡର ଦାଗ ଦେଖିବାକୁ ମିଳିଛି । ଆଉ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ ।

  • ନାମ: ଛବି ନାୟକ
  • ବୟସ: ପାଖାପାଖି ୪୮
  • ଘର: ଝରଣା ସାହି, ବାପୁଜୀ ନଗର, ଭୁବନେଶ୍ୱର

ନିଶା ଛଡ଼ାଇବା ପାଇଁ ଭୁବନେଶ୍ୱର ଧଉଳି ଥାନା ଅଧିନ ସ୍ୱୀକାର ନିଶା ନିବାରଣ କେନ୍ଦ୍ରରେ ଭର୍ତି ହୋଇଥିଲେ ଛବି ନାୟକ । ତିନି ମାସ ତଳୁ ଏହି ସେଣ୍ଟରକୁ ଯାଇଥିଲେ । ଆଉ ଆଜି ଶବ ହୋଇ ଫେରିଲେ । ଛବିଙ୍କ ଏଭଳି ଆକସ୍ମିକ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପରିବାର ଲୋକେ । ବରଂ ତାଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ, ମୃତ ଛବିଙ୍କ ଶରୀରରେ ଥିବା ଦାଗଗୁଡ଼ିକ ମାଡ଼ର ଚିହ୍ନ । ଆଉ ଭାଇରାଲ ହେଉଥିବା ମୃତ୍ୟୁ ପୂର୍ବର ଭିଡିଓ, ପୂରା ଘଟଣାର ମୋଡ଼ ବଦଳାଇ ଦେଇଛି । ଉକ୍ତ ଭିଡିଓଟି ମୃତ୍ୟୁର କିଛି ସମୟ ପୂର୍ବରୁ ରେକର୍ଡ କରାଯାଇଛି । ଭିଡିଓରେ ଦେଖାଯାଉଛି ଛବି ଅଣନିଶ୍ୱାସୀ ହେଲା ଭଳି ଲାଗୁଛନ୍ତି । ନିଜକୁ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି । ତେବେ ସେ ଯନ୍ତ୍ରଣା ପାଇଁ ଛଟପଟ ହେଉଛନ୍ତି ନା ଶରୀରରେ ଆଘାତ ଲାଗିବାରୁ ଛଟପଟ ହେଉଛନ୍ତି, ତାହା ସ୍ପଷ୍ଟ ହେଉନି । କିନ୍ତୁ ଗୋଟେ କଥା କୁହାଯାଇପାରିବ, ଯେତିକି ସମୟ ଧରି ମୋବାଇଲରେ ଭିଡିଓକୁ କଏଦ କରାଗଲା, ସେହି ସମୟ ଭିତରେ ହସ୍ପିଟାଲ ଯାଇଥିଲେ, ହୁଏତ କିଛି ହୋଇପାରିଥାନ୍ତା ବୋଲି ପରିବାର କହିଛନ୍ତି ।

ଅନ୍ୟପଟେ ନିଶା ନିବାରଣ କେନ୍ଦ୍ରର ଦାୟିିତ୍ୱରେ ଥିବା ମହିଳାଙ୍କ କହିବା କଥା ହେଉଛି, ବିଳମ୍ବିତ ରାତିରେ ଛବିଙ୍କର ଛାତିରେ ଯନ୍ତ୍ରଣା ହେଉଥିବା ବାବଦରେ ଜଣାଇଥିଲେ । ତାଙ୍କୁ ସେ ନେଇ ମେଡିସିନ୍ ମଧ୍ୟ ଦିଆଯାଇଥିଲା । ଆଉ ଯନ୍ତ୍ରଣା ବଢ଼ିବାରୁ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିଶା ନିବାରଣ କେନ୍ଦ୍ରରେ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିଛି ପୋଲିସ । ସିସିଟିଭି ଫୁଟେଜ୍ ଏବଂ ପୋଷ୍ଟମର୍ଟମ ରିପୋର୍ଟ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି ଏସିପି ।

ଛବିଙ୍କ ମୃତ୍ୟୁ କେମିତି ହେଲା, ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ନିଶା ନିବାରଣ କେନ୍ଦ୍ରରେ କ’ଣ ଚାଲିଥିଲା? ଆଉ ଛାତିରେ ଯନ୍ତ୍ରଣା ପଛର କାରଣ କ’ଣ? ଆଉ ପରିବାରର ଅଭିଯୋଗକୁ ନେଇ ପୋଲିସ ତଦନ୍ତ ଚଳାଇଛି ।