ତିନି ରାଜ୍ୟରେ ପରାଜୟ ପରେ କଂଗ୍ରେସରେ ବଡ ସାଙ୍ଗଠନିକ ପରିବର୍ତ୍ତନ । ଓଡିଶା ସମେତ ବଦଳିଲେ ବିଭିନ୍ନ ରାଜ୍ୟର ପ୍ରଭାରୀ । ଜାଣନ୍ତୁ କାହାକୁ ମିଳିଲା କେଉଁ ରାଜ୍ୟ ଦାୟିତ୍ୱ ।

201

କନକ ବ୍ୟୁରୋ: ତିନି ରାଜ୍ୟରେ ପରାଜୟ ପରେ କଂଗ୍ରେସରେ ବଡ ପରିବର୍ତନ । ଓଡିଶା ସମେତ ବଦଳିଛନ୍ତି ବିଭିନ୍ନ ରାଜ୍ୟର ପ୍ରଭାରୀ । ଓଡିଶାରେ ଚେଲ୍ଲା କୁମାର ଆଉ ପ୍ରଭାରୀ ରହିବେନି । ତାଙ୍କ ସ୍ଥାନରେ ଝାଡଖଣ୍ଡର କଂଗ୍ରେସ ନେତା ଡକ୍ଟର ଅଜୟ କୁମାର ଓଡିଶା ପ୍ରଭାରୀ ହେବେ । ଅଜୟ କୁମାର ପୂର୍ବରୁ ଝାଡଖଣ୍ଡ ପ୍ରଦେଶ କଂଗ୍ରେସ କମିଟିର ସଭାପତି ବି ଥିଲେ । ଏହା ପୂର୍ବରୁ ସେ ସିକିମ, ତ୍ରିପୁରା ଓ ନାଗାଲାଣ୍ଡର ପ୍ରଭାରୀ ଥିଲେ । ଓଡିଶା ସମେତ ତାମିଲନାଡୁ ଓ ପୁଡୁଚେରୀ ଅତିରିକ୍ତ ଦାୟିତ୍ୱରେ ପ୍ରଭାରୀ ରହିବେ ଅଜୟ କୁମାର । ଅଜୟ ଜାମସେଦପୁରରୁ ସାଂସଦ ରହିସାରିଛନ୍ତି ।

ଚେଲ୍ଲା କୁମାରଙ୍କୁ ମେଘାଳୟ, ମିଜୋରାମ ଓ ମେଘାଳୟର ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି । ଦୀର୍ଘଦିନ ହେଲା ଓଡିଶାରେ ପ୍ରଭାରୀ ବଦଳିବେ ବୋଲି ଚର୍ଚ୍ଚା ହେଉଥିଲା । ବୁଧବାରଦିନ ରାଜ୍ୟର କଂଗ୍ରେସର ବିଧାୟକ ଓ ବରିଷ୍ଠ ନେତା ଦିଲ୍ଲୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ , ରାହୁଲ ଗାନ୍ଧିଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କୁ ଭେଟିଥିଲେ । ଆଉ ସେମାନେ ଫେରିବାର ଗୋଟିଏ ଦିନ ପରେ ଓଡିଶାର ପ୍ରଭାରୀ ପରିବର୍ତ୍ତନ ହୋଇଛନ୍ତି ।