ରାତି ଅଧରେ ରାଜଧାନୀରେ ନିଆଁ । ଭୁବନେଶ୍ୱରର ପାଣ୍ଡରା ଛକରେ ସିଲିଣ୍ଡର ବିସ୍ଫୋରଣରେ ଜଳିଗଲା ୩ ଦୋକାନ

142

କନକ ବ୍ୟୁରୋ : ରାତି ଅଧରେ ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ପୋଡି ପାଉଁଶ ହୋଇଗଲା ୩ଟ ଦୋକାନ । ବିଳମ୍ବିତ ରାତିରେ ରାଜଧାନୀ ମଂଚେଶ୍ୱର ପାଣ୍ଡରା ଛକରେ ଘଟିଛି ଏହି ଭୟଙ୍କର ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସଂପତି ପୋଡି ପାଉଁଶ ହୋଇଯାଇଥିଲେ ମଧ୍ୟ ସୌଭାଗ୍ୟକୁ କେହି ମୃତାହତ ହୋଇ ନାହାନ୍ତି ।

ନିଆଁ ଲାଗିବା ଖବର ପାଇବା ପରେ ଦମକଳବାହିନୀ ପହଂଚିବାରେ ବିଳମ୍ବ ହେବାରୁ ସେଠାରେ ଉତେଜନା ପ୍ରକାଶ ପାଇଥିଲା । ପାଣ୍ଡରା ଛକର ଶେଷ ମୁଣ୍ଡରେ ଥିବା ଫାଷ୍ଟଫୁଡ ଦୋକାନ ସାଙ୍ଗକୁ ପନିପରିବା ଦୋକାନ ଓ ଫଳ ଦୋକାନ ଜଳିପୋଡି ପାଉଁଶ ଗଦାରେ ପରିଣତ ହୋଇଛି ।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ପ୍ରଥମେ ଫାଷ୍ଟଫୁଡ ଦୋକାନରେ ନିଆଁ ଲାଗି ପାଖରେ ଥିବା ଦୁଇ ଦୋକାନକୁ ବ୍ୟାପିଯାଇଥିଲା । ନିଆଁର ପ୍ରକୋପ ଦେଖି ପାଖକୁ ଯିବାକୁ ସାହାସ କରିପାରିନଥିଲେ ଉପସ୍ଥିତ ଲୋକ । କିଛି ସମୟ ପରେ ଫାଷ୍ଟଫୁଡ ସେଂଟରର ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଭୟଙ୍କର ଶବ୍ଦ ସାଙ୍ଗକୁ ନିଆଁ ବେଶ ଉଚ୍ଚକୁ ଉଠି ବିଦ୍ୟୁତ ତାରକୁ ଛୁଇଁବାରୁ ଲାଇନ କଟିଯାଇଥିଲା । ଫଳରେ ଜିଜିପି କଲୋନି ଓ ଜଗନ୍ନାଥନଗର ଅଂଚଳରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା । ଫଳରେ ସ୍ଥାନୀୟ ଅଂଚଳର ଲୋକ ବହୁ ସମୟ ଧରି ହଇରାଣ ହୋଇଥିଲେ ।