ଏଥିକ୍ସ କମିଟି ତରଫରୁ ନଭେମ୍ବର ୨ ତାରିଖରେ ହାଜର ହେବାକୁ ନୋଟିସ । କମିିଟି କହିଲା ଏହାପରେ ବଦଳା ଯାଇପାରିବନାହିଁ ତାରିଖ

60

କନକ ବ୍ୟୁରୋ : ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ଉପରେ ଲାଗିଥିବା ଅଭିଯୋଗ ଉପରେ ଯାଂଚ କରୁଥିବା ଲୋକସଭାର ଏଥିକ୍ସ କମିଟି ଦ୍ୱିତୀୟ ନୋଟିସ ପଠାଇଛି । ପ୍ରଥମ ନୋଟିସରେ ମହୁଆଙ୍କୁ ଅକ୍ଟୋବର ୩୧ ତାରିଖରେ ହାଜର ହେବାକୁ ଆଦେଶ ଦିଆଯାଇଥିଲା । ମାତ୍ର କିଛି କାରଶ ଦର୍ଶାଇ ମହୁଆ ଏହି ତାରିଖରେ ହାଜର ହୋଇପାରିବେ ନାହିଁ ବୋଲି ଉତ୍ତର ରଖିଥିଲେ । ଏବେ ଏଥିକ୍ସ କମିଟି ମହୁଆଙ୍କୁ ନଭେମ୍ବର ୨ ତାରିଖରେ ହାଜର ହେବାକୁ ନୋଟିସ ପଠାଇବା ସହ ଏହାପରେ କୌଣସି ପରିସ୍ଥିତିରେ ତାରିଖ ବଦଳାଯାଇପାରିବ ନାହିଁ ବୋଲି ସୂଚାଇ ଦେଇଛି ।

ଏହି ମାମଲାରେ ମହୁଆ ମୋଇତ୍ରାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ଓକିଲ ଜୟ ଅନନ୍ତ ଦେହାଦ୍ରାହିଙ୍କ ସାକ୍ଷୀ ପରେ ଏଥିକ୍ସ କମିଟି ନିଜ ପକ୍ଷ ରଖିବାକୁ ମହୁଆ ମୋଇତ୍ରାଙ୍କୁ ଅକ୍ଟୋବର ୩୧ ତାରିଖକୁ ଡାକିଥିଲା ।

ମାତ୍ର ମହ୍ରୁଆ ମୋଇତ୍ରା ଏଥିକ୍ସ କମିଟିର ଅଧ୍ୟକ୍ଷ ବିନୋଦ ସୋନକରଙ୍କୁ ଚିଠି ଲେଖି କହିଥିଲେ କି, ନିଜ ସଂସଦୀୟ କ୍ଷେତ୍ରର କାର୍ଯ୍ୟପାଇଁ ସେ ନଭେମ୍ବର ୪ ତାରିଖ ପୂର୍ବରୁ ଦିଲ୍ଲୀ ଯାଇପାରିବେ ନାହିଁ ବୋଲି କହିଥିଲେ । ଏହି କାରଣରୁ ସେ ନଭେମ୍ବର ୫ ପରେ ପହଂଚିବାକୁ କହିଥିଲେ ।

ମହୁୂଆ ମୋଇତ୍ରାଙ୍କ ଚିଠି ଉପରେ ଅନୁସନ୍ଧାନ କରି ବିନୋଦ ସୋନକର ପୁଣି ଏକ ଚିଠି ଲେଖିଛନ୍ତି । ଏଥିରେ ସେ କହିଛନ୍ତି କି ଆପଣ ନଭେମ୍ବର ୨ ତାରିଖ ଦିନ ୧୧ ବେଳେ କମିଟି ସାମ୍ନାରେ ହାଜର ହେବାକୁୁ ପଡିବ । ଏହାସହ ମାମଲାର ଗମ୍ଭୀରତାକୁ ନଜର ରଖି ଆଉ ତାରିଖ ବଦଳାଯାଇପାରିବ ନାହିଁ ବୋଲି ସେ ଚିଠି ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ।