କେଉଁ ଦିନ ପାଳିବେ ମହାଶିବରାତ୍ରୀ, ଫେବ୍ରୁଆରୀ ୧୩ ନା’ ଫେବ୍ରୁଆରୀ ୧୪ ! ଭିନ୍ନ ଭିନ୍ନ ପାଂଜିରେ ରହିଛି ଭିନ୍ନ ଭିନ୍ନ ତାରିଖ

206

କନକ ବ୍ୟୁରୋ :  କେଉଁ ଦିନ ପାଳିବେ ମହାଶିବରାତ୍ରି? ଫେବ୍ରୁଆରୀ ୧୩ ନା’ ଫେବ୍ରୁଆରୀ ୧୪ । ଏହାକୁ ନେଇ ଶିବଭକ୍ତମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ । କାରଣ କିଛି ଗଣନାକାର ୧୩ ତାରିଖ ଦିନ ଶିବରାତ୍ରି ବ୍ରତ କହୁଥିବା ବେଳେ କିଛି ୧୪ ତାରିଖ ସପକ୍ଷରେ ମତ ଦେଉଛନ୍ତି ।ରାଜ୍ୟରେ ପ୍ରଚଳିତ ଭିନ୍ନ ଭିନ୍ନ ପାଂଜିରେ ରହିଛି ଭିନ୍ନ ଭିନ୍ନ ତାରିଖ । କୋହିନୂର ପାଂଜିରେ ଉଲ୍ଲେଖ ରହିଛି ୧୪ ତାରିଖ ଦିନ ମହାଶିବରାତ୍ରି । କୋହିନୂର ପାଂଜି ହେଉଛି ରାଜ୍ୟରେ ସର୍ବାଧିକ ଅନୁସରଣ କରାଯାଉଥିବା ପଂଜିକା । ଅସଲି ଖଡିରତ୍ନ ପଂଜିକା ଉପରେ ନଜର ପକାଇଲେ ଜାଣିବା ଯେ, ଏଥିରେ ଲେଖାଯାଇଛି, ୧୩ ତାରିଖ ଦିନ ମହାଶିବରାତ୍ରି । ଅସଲି ଖଡ଼ିରତ୍ନ ପଂଜିକା ମଧ୍ୟ ଓଡ଼ିଶାରେ ବହୁଳ ଅନୁସରଣ କରାଯାଉଥିବା ପଂଜିକା ।

ଏପରି ଦ୍ୱନ୍ଦ୍ୱ ସୃଷ୍ଟି ହେବା କାରଣ ହେଉଛି – ଫେବ୍ରୁଆରୀ ୧୩ ତାରିଖ ରାତିରୁ ଚତୁଦର୍ଶୀ ତିଥି ଆରମ୍ଭ ହେଉଛି । ୧୪ ତାରିଖ ରାତିରେ ଚତୁର୍ଦଶୀ ତିଥି ଶେଷ ହୋଇ ଅମାବାସ୍ୟା ଆରମ୍ଭ ହେଉଛି । ଫଳରେ ଶିବରାତ୍ରି ବା ଜାଗର ବ୍ରତ ୧୩ ତାରିଖ ନା’ ୧୪ ତାରିଖ ପାଳନ କରାଯିବ, ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ୧୪ ତାରିଖ ରାତିରୁ ଅମାବାସ୍ୟା ଥିବାରୁ ଦେଶର ବିଭିନ୍ନ ଜ୍ୟୋତିର୍ଲିଙ୍ଗରେ ୧୩ ତାରିଖ ଦିନ ପାଳନ କରାଯାଉଛି ମହାଶିବରାତ୍ରି । ମାତ୍ର ଓଡିଶାରେ ସରକାରୀ ଭାବେ ୧୪ ତାରିଖ ନିଆଯାଇଥିବାରୁ ବିଭିନ୍ନ୍ ମନ୍ଦିରରେ ସେହି ଅନୁସାରେ ଆୟୋଜନ ଚାଲିଛି, ଯାହାକୁ ବିରୋଧ କରିଛନ୍ତି କିଛି ଗଣନାକାର ।

ଏବେ ସମସ୍ତଙ୍କ ନଜର ରହିଛି ଲିଙ୍ଗରାଜ ମନ୍ଦିରର ନୀତି ନିର୍ଘଂଟ ଉପରେ । ଏହି ପ୍ରଶ୍ନ ନେଇ ଲିଙ୍ଗରାଜ ମନ୍ଦିର ନିର୍ବାହୀ ଅଧିକାରୀଙ୍କୁ ଭେଟିଥିଲୁ । ସେ କହିଛନ୍ତି ୧୪ ତାରିଖ ଦିନ ଜାଗର ବ୍ରତ ଓ ମହାଶିବରାତ୍ରି ପାଳନ ହେବ ଲିଙ୍ଗରାଜଙ୍କ ପୀଠରେ । ଓଡ଼ିଶା ଶୈବପୀଠଗୁଡିକରେ ୧୪ ତାରିଖ ଦିନ ମହାଶିବରାତ୍ରି ପାଳନ ପାଇଁ ପ୍ରସ୍ତୁତି ହୋଇଛି । କିନ୍ତୁ ପାଂଜି ଗଣନାରେ ଭୁଲ ହୋଇଯାଇଛି ବୋଲି ବିଭିନ୍ନ ମହଲରେ ମତ ଏବେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।