କୋଭିଡ୍ ମୃତ୍ୟୁକୁ ନେଇ ହିସାବ ଗଡବଡ । ଆରଟିଆଇରେ କୋରାପୁଟରୁ ସାମ୍ନାକୁ ଆସିଲା ସାଂଘାତିକ ସତ । ଡ୍ୟାସବୋର୍ଡ ତଥ୍ୟ ସହ ମେଳ ଖାଉନି ଆରଟିଆଇ ତଥ୍ୟ ।

138

କନକ ବ୍ୟୁରୋ : କରୋନା ମୃତ୍ୟୁକୁ ନେଇ ସନ୍ଦେହ ଭିତରେ ଏକ ଆରଟିଆଇ ତଥ୍ୟ ବଡ ଖୁଲାସା କରିଛି । ରାଜ୍ୟ ସରକାରଙ୍କ କୋଭିଡ ଡ୍ୟାସ ବୋର୍ଡ କହୁଛି , କୋରାପୁଟରେ ଦୁଇଟି ଲହରରେ ୭୩ ଜଣଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଆରଟିଆଇ ତଥ୍ୟରୁ କେବଳ ସଦର ମହକୁମା ହସ୍ପିଟାଲରେ ଜୁଲାଇ ସୁଦ୍ଧା ୨ଶହରୁ ଅଧିକ କରୋନାରେ ପ୍ରାଣ ହରାଇଛନ୍ତି । ଆଉ କୋଭିଡ ମୃତ୍ୟୁ ସଂଖ୍ୟାକୁ ନେଇ ଏହି ତାରତମ୍ୟ କରୋନା ମୃତ୍ୟୁକୁ ସରକାର ଚପାଉଥିବା ସନ୍ଦେହକୁ ବଢାଇ ଦେଉଛି ।

କୋରାପୁଟରେ କରୋନା ମୃତ୍ୟୁର ସତ କଣ? ଆରଟିଆଇରୁ ଆସିଲା ସାଂଘାତିକ ତଥ୍ୟ । କୋରାପୁଟରେ କରୋନାରେ କେତେ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟ କୋଭିଡ ଡ୍ୟାସବୋର୍ଡରେ କୋରାପୁଟରେ ଦୁଇଟି ଲହରରେ କେବଳ ୭୩ ଜଣଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି । ହେଲେ ଆରଟିଆଇ ତଥ୍ୟ କହୁଛି ଜୟପୁର ସଦର ମହକୁମା ଡାକ୍ତରଖାନାରେ ଜୁନ ମାସ ସୁଦ୍ଧା ୨ଶହରୁ ଅଧିକ ଲୋକଙ୍କ ମୃତ୍ୟୁ କୋଭିଡରେ ହୋଇଛି । ତେଣୁ ସ୍ୱାଭାବିକ ଭାବେ ସରକାର କରୋନା ମୃତ୍ୟୁକୁ ଚପାଉଛନ୍ତି ବୋଲି ସନ୍ଦେହ ସୃଷ୍ଟି ହେଉଛି ।

ଜୟପୁରରେ ଥିବା ଜିଲ୍ଲା ସଦର ମହକୁମା ହସ୍ପିଟାଲରେ କୋଭିଡ ପାଇଁ ୧୫୦ ସ୍ୱତନ୍ତ୍ର ବେଡ ରହିଛି । ଜୁନ୍ ସୁଦ୍ଧା ୨୦୪ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ୱୀକାର କରୁଛି ଜିଲ୍ଲା ସଦର ମହକୁମା ହସ୍ପିଟାଲର ଅଫିସ୍ । ଏହି ସମୟରେ ଅନ୍ୟାନ୍ୟ ରୋଗରେ ବି ଆଉ ୬୪ଜଣଙ୍କର ମୃତ୍ୟୁ ହୋଇଥିବା ଆରଟିଆଇରୁ ଜଣାପଡ଼ିଛି । କେବଳ ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ୨୦୦ରୁ ଅଧିକ ଲୋକଙ୍କର କୋଭିଡରେ ମୃତ୍ୟୁ ଘଟିଥିବା ବେଳେ ଏହି ଦୃଷ୍ଟିରୁ ସଂପୂର୍ଣ୍ଣ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା କେତେ ହୋଇଥିବ ଅନୁମାନ କରାଯାଇପାରେ ।