କେନ୍ଦୁଝରରେ ମହାବଳ, ଝାସରୁଗୁଡାରେ ହାତୀ, ନୂଆପଡାରେ ବାଘ ଆତଙ୍କ। ଜନବସତି ମୁହାଁ ଜଙ୍ଗଲୀ ଜନ୍ତୁ।

127

କନକ ବ୍ୟୁରୋ: କେନ୍ଦୁଝରରେ ମହାବଳ, ଝାସରୁଗୁଡାରେ ହାତୀ, ନୂଆପଡାରେ ବାଘ । ରାଜ୍ୟର ତିନିଟି ସହରରେ ଏବେ ଜଙ୍ଗଲୀ ଜନ୍ତୁଙ୍କୁ ନେଇ ଆତଙ୍କର ବାତାବରଣ । କେଉଁଠି ଜନବସତି ଆଡକୁ ଜଙ୍ଗଲୀ ଜନ୍ତୁ ଚାଲିଆସୁଛି ତ ଆଉ କେଉଁଠି ଜଙ୍ଗଲକୁ ଯାଇ ମଣିଷ ଜଙ୍ଗଲି ଜନ୍ତୁଙ୍କୁ ହାବୁଡରେ ପଡୁଛି ।

କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳରେ ବାଘ ଆତଙ୍କ । ଅଟେଇ ସଂରକ୍ଷିତ ଜଙ୍ଗଲରେ ମାତିଛି ମହାବଳ । ଜଙ୍ଗଲକୁ ଚରିବାକୁ ଯାଇଥିବା ମଇଁଷି ପଲରୁ ୪ଟି ମଇଁଷିକୁ ବାଘ ଶିକାର କରିଥିବା ସନ୍ଦେହ କରାଯାଉଛି । କାରଣ କିଛି ଦିନ ତଳେ ଅଟେଇ ସଂରକ୍ଷିତ ଜଙ୍ଗଲରେ ଲାଗିଥିବା ଟ୍ରାକ କ୍ୟାମେରାରେ ମହାବଳ ବାଘର ଫଟୋ ଉଠିଥିଲା । ଏବେ ବନବିଭାଗ ପକ୍ଷରୁ ଅଟେଇ ସଂରକ୍ଷିତ ଜଙ୍ଗଲର ୪ଟି ରାସ୍ତାରେ ଚଳପ୍ରଚଳ ଉପରେ ଅଙ୍କୁଶ ଲଗାଯାଇଛି । ଏସପିଙ୍କ ନେତୃତ୍ୱରେ ଏକ ସ୍କ୍ୱାଡ୍ ଗଠନ କରାଯାଇ ସ୍ଥିତି ଅନୁଧ୍ୟାନ କରୁଛି ବନ ବିଭାଗ ।

ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଅଞ୍ଚଳରେ ବାଘ ବୁଲୁଥିବା ଖବର ଆତଙ୍କ ଖେଳାଇ ଦେଇଛି । କୋଦୋପାଲି ଗାଁ ନିକଟ ଜଙ୍ଗଲରେ ଏକ ବାଛୁରୀକୁ ବାଘ ମାରି ଖାଇଛି । ଦୁଇଟି ବାଘ ବାଛୁରୀକୁ ମାରି ଖାଉଥିବା ଦେଖିଛନ୍ତି ସ୍ଥାନୀୟ ବାସିନ୍ଦା । ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛନ୍ତି । ନୂଆପଡାରେ ଗତ ୨୦ ଦିନରେ ବାଘ ଜଣେ ମଣିଷ ଓ ୭ ଗୃହପାଳିତ ପଶୁ ଶିକାର କରିଥିବା ସୂଚନା ମିଳିଛି ।

ଶନିବାର ବିଳମ୍ବିତ ରାତିରେ ଝାରସୁଗୁଡା ସହର ଭିତରୁ ପଶି ଆସିଥିଲେ ହାତୀପଲ । ମୁଙ୍ଗାପଡା ଅଞ୍ଚଳ ଦେଇ ସହର ଭିତରକୁ ହାତୀ ପଲ ପଶି ମଙ୍ଗଳବଜାର ଆଡେ ମୁହାଁଇଥିଲେ । ଆଉ ଝାରସୁଗୁଡା ସହରରେ ହାତୀପଲ ବୁଲୁଥିବା ଖବର ଲୋକଙ୍କ ନିଦ ହଜାଇ ଦେଇଥିଲା । ଏହି ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କୁ ଭୁର୍କାମୁଣ୍ଡା ଜଙ୍ଗଲକୁ ଘଉଡାଇ ଦେଇଛନ୍ତି । ତେବେ ହାତୀ ପଲ ସହରର କୌଣସି କ୍ଷୟ କ୍ଷତି କରିନଥିବା ସୂଚନା ମିଳିଛି ।