ପତିତ କରିପାରିବେନି ପତିତପାବନ ଦର୍ଶନ! ବାଟ ଓଗାଳିବ ଶ୍ରୀମନ୍ଦିର ପ୍ରକଳ୍ପ !

275

କନକ ବ୍ୟୁରୋ: ଶ୍ରୀମନ୍ଦିର ଭିତରକୁ ଯାଇପାରୁନଥିବା ଭକ୍ତ ଅରୁଣସ୍ତମ୍ଭ ନିକଟରୁ ପତିତପାବନଙ୍କୁ ଦର୍ଶନ କରି ଜୀବନକୁ ଧନ୍ୟ କରିଥାନ୍ତି । କିନ୍ତୁ ଏବେ ସୌନ୍ଦର୍ଯ୍ୟକରଣ ଆଳରେ ପତିତମାନଙ୍କ ଏହି ଅଧିକାରକୁ ଛଡାଇନିଆଯିବା ଭଳି ଗୁରୁତର ଅଭିଯୋଗ ଆସିଛି । ଏବେ ଅରୁଣସ୍ତମ୍ଭ ନୁହେଁ, ଦୋଳମଣ୍ଡପସାହି ଗଳିମୁଣ୍ଡରୁ ଏମାନେ ପତିତପାବନଙ୍କ ଦର୍ଶନ କରିବେ ବୋଲି ଚର୍ଚ୍ଚା ହେଉଛି, ଯେଉଁଠାରୁ ମହାପ୍ରଭୁଙ୍କୁ ଦେଖିବା ଏକପ୍ରକାର ଅସମ୍ଭବ । ସୌନ୍ଦର୍ଯ୍ୟକରଣ ଆଳରେ ଅନ୍ୟ ଧର୍ମର ଭକ୍ତଙ୍କୁ ଅରୁଣସମ୍ଭ ନିକଟକୁ ଛଡାଯାଉନାହିଁ । ଏବେ ଦୋଳମଣ୍ଡପ ସାହି ଗଳିମୁଣ୍ଡରୁ ହିଁ ଏମାନେ ପତିତପାବନକୁ ଦର୍ଶନ କରୁଛନ୍ତି ।

କୁହାଯାଏ, ଗଜପତି ରାମଚନ୍ଦ୍ର ଦେବ-ଦ୍ୱିତୀୟ ଅନ୍ୟ ଧର୍ମରେ ବିବାହ କରିବା ପରେ ଶ୍ରୀମନ୍ଦିରର ପ୍ରବେଶ କରିପାରିନଥିଲେ । ତେଣୁ ଗଜପତିଙ୍କ ପାଇଁ ସିଂହଦ୍ୱାର ଗୁମୁଟରେ ପତିତପାବନ ମୂର୍ତ୍ତିକୁ ସ୍ଥାପିତ କରାଯାଇଥିଲା । ଅନ୍ୟ ଧର୍ମର ବ୍ୟକ୍ତିଙ୍କ ସହ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ବି ଅରୁଣ ସ୍ତମ୍ଭ ନିକଟରୁ ପତିତପାବନଙ୍କୁ ଦର୍ଶନ କରିଥାନ୍ତି । ଏବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରୂପରେଖ ଅନୁସାରେ,
-ମେଘନାଦ ପାଚେରୀଠାରୁ ୭୫ ମିଟର ପରିଧିରେ ସୌନ୍ଦର୍ଯ୍ୟକରଣ କାମ ଚାଲିଛି
-୫୫ ମିଟର ପରିଧିରେ ୫ ଫୁଟ ଉଚ୍ଚର ପାଚେରୀ ଉଠାଯାଉଛି
-ସିଂହଦ୍ୱାର ସମ୍ମୁଖ ଭକ୍ତଙ୍କ ଦର୍ଶନ ସେଡକୁ ଏମାର ମଠ ସଂଲଗ୍ନ କାକୁଡିଖାଇ ମନ୍ଦିର ପାଖକୁ ସ୍ଥାନାନ୍ତର ଯୋଜନା ହୋଇଛି
-କାକୁଡିଖାଇ ମନ୍ଦିର ସେଡ୍ ଦେଇ ଭକ୍ତ ଶ୍ରୀମନ୍ଦିର ପ୍ରବେଶ ପ୍ରସ୍ତାବ
-ରଥାଯାତ୍ରା ଓ ୩ ରଥ ରହିବା ପାଇଁ ଏଭଳି ବ୍ୟବସ୍ଥା କରାଯାଉଛି

ଆଉ ଏଭଳି ହେଲେ ପତିତପାବନଙ୍କ ଆଗରେ ଭକ୍ତଙ୍କ ଭିଡ ରହିବ ଓ ପତିତ ଭକ୍ତଙ୍କ ପତିତପାବନ ଦର୍ଶନରେ ବାଧା ସୃଷ୍ଟି ହେବ । ବର୍ତମାନ ଭିଡ ଭିତରେ ଦୋଳମଣ୍ଡପ ସାହି ଗଳିମୁଣ୍ଡରୁ ପତିତ ପତିତପାବନଙ୍କୁ ଦର୍ଶନ କରୁଛନ୍ତି । ଏହା ପତିତଙ୍କୁ ଶାନ୍ତି ଦେଇପାରୁନାହିଁ । ଏହାକୁ ନେଇ ସେବାୟତ ବି ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ବର୍ତମାନ ପୁରୀରେ ଶ୍ରୀମନ୍ଦିର ପ୍ରକଳ୍ପ କାମ ଚାଲିଛି । ଏଭଳି ସ୍ଥିତିରେ ପତତିଙ୍କ ପତିତପାବନ ଦର୍ଶନ ନେଇ କିଛି ସ୍ପଷ୍ଟ କହିହେବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ପ୍ରକଳ୍ପ କାମ ସରିବା ପରେ ହିଁ ଚିତ୍ର ସ୍ପଷ୍ଟ ହେବ ।