ଶ୍ରୀଲଙ୍କାର ବାଚସ୍ପତି ହୋଇପାରନ୍ତି ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ଦେଲେ ଇସ୍ତଫା

134

କନକ ବ୍ୟୁରୋ : ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଂକଟର ଚାପ ଆଜି ଉଗ୍ରରୂପ ନେଇଛି । ଦେଶର ନାଗରିକମାନେ ଆଜି ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ବାସଭବନ ଓ ରାଷ୍ଟ୍ରପତି ଭବନ ଉପରେ କବଜା କରିଛନ୍ତି । ଏସବୁକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ବିକ୍ରମାସିଂଘେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେପଟେ କୁହାଯାଉଛି କି ରାଷ୍ଟ୍ରପତି ଗୋଟବାୟା ସମୁଦ୍ର ପଥରେ ପରିବାର ସହ ଦେଶଛାଡି ପଳାଇଛନ୍ତି ।

ଏସବୁ ଭିତରେ କିଏ ହେବ ଦେଶର ଆଗାମୀ ରାଷ୍ଟ୍ରପତି ଓ କିଏ ଗଠନ କରିବ ସରକାର ତାହାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । କୁହାଯାଉଛି କି, ଗୋଟବାୟା ଇସ୍ତଫା ଦେବା ପରେ ବାଚସ୍ପତିଙ୍କୁ କାର୍ଯ୍ୟବାହୀ ରାଷ୍ଟ୍ରପତି ଭାବେ ଦାୟୀତ୍ୱ ଦିଆଯିବ । ଏପଟେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ସେ ଦେଶରେ ସର୍ବଦଳୀୟ ସରକାର ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି ।

କହିରଖୁ କି ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଂକଟ ଫଳରେ ଦେଶରେ ଅତ୍ୟାବଶକୀୟ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି । ସବୁଠାରୁ ବଡକଥା ଦେଶରେ ଇନ୍ଧନ ସମାପ୍ତ ହୋଇଯିବା ଫଳରେ ଲୋକମାନେ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ହେଲେ ଦେଶର ନାଗରିକମାନେ ଏତେ ସମସ୍ୟା ମଧ୍ୟରେ କାଳାତିପାତ କରୁଥିବା ବେଳେ ସେମାନଙ୍କ ସମସ୍ୟାର କିଞ୍ଚିତ ମାତ୍ର ସମାଧାନ କରିବାରେ ସଫଳ ହୋଇପାରି ନାହାଁନ୍ତି ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ । ଏସବୁ ଭିତରେ ଆଜି ହଜାର ହଜାର ସଂଖ୍ୟାର ନାଗରିକ ଏକତ୍ରୀତ ହୋଇ ରାଷ୍ଟ୍ରପତି ଭବନ ସହ ଗୋଟବାୟାଙ୍କ ବାସଭବନ ଦଖଲ କରିଛନ୍ତି ।