ସମ୍ବଲପୁରରେ ଶାହାଙ୍କ ହିସାବ କିତାବ । ଏବେ ସୁଦ୍ଧା ବିଜେପି ୩୦୦ ଟପିଲାଣି, ଆଗକୁ ୪୦୦ ଟପିବ ।

460

କନକ ବ୍ୟୁରୋ : ସମ୍ବଲପୁର ଅଇଁଠାପାଲିରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଜନସଭାକୁ ସମ୍ବୋଧିତ କରିବା ସହ ବିଜେଡିକୁ ଟାର୍ଗେଟ କରିଛନ୍ତି ଅମିତ । ଓଡ଼ିଶାରେ ବିଜେପି ସରକାର ଗଢିବାକୁ ଆହ୍ୱାନ ଦେଇ ଅମିତ କହିଛନ୍ତି, ୨୫ ବର୍ଷ ପରେ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତିକୁ ଆଧାର କରି ଓଡ଼ିଶାରେ ସରକାର ଗଢିବାକୁ ଯାଉଛି ବିଜେପି । ଏଥର ଓଡ଼ିଶାରେ ପଦ୍ମ ଫୁଟିବ । ୫ମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଗଲାଣି । ଏବେ ସୁଦ୍ଧା ବିଜେପି ୩୧୦ ଆସନ ପାର ହୋଇଗଲାଣି । ଆଗାମୀ ୨ ପର୍ଯ୍ୟାୟରେ ଏହି ଆସନ ୪୦୦ ଟପିବ । କେବଳ ଲୋକସଭାରେ ୪୦୦ ଟପିଲେ ହେବନି ବରଂ ଓଡ଼ିଶା ବିଧାନସଭାରେ ମଧ୍ୟ ୭୫ରୁ ଅଧିକ ଆସନ ଆବଶ୍ୟକ ।

ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦା ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମ୍ମାନ ଦେଇ ଆସିଛନ୍ତି ।ଓଡ଼ିଶାର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରି ଓଡ଼ିଶାର ସମ୍ମାନ ବଢାଇଛନ୍ତି ମୋଦୀ । ଜି-୨୦ ସମ୍ମିଳନୀରେ କୋଣାର୍କ ସୂର୍ଯ୍ୟମନ୍ଦିରର ଫଟୋକୁ ସ୍ଥାନ ଦେଇ ଓଡ଼ିଶାକୁ ବିଶ୍ୱ ଦରବାରରେ ପରିଚିତ କରିଛନ୍ତି । କିନ୍ତୁ ନବୀନ ବାବୁ ଓଡ଼ିଶାରେ ବାବୁ ଶାସନ ବ୍ୟବସ୍ଥା ଲାଗୁ କରିଛନ୍ତି । ମହାନ ଓଡ଼ିଶାରେ କେହି ତାମିଲନାଡୁର ବାବୁ ଶାସନ କରିବା ଉଚିତ କି? ଓଡ଼ିଶାର ଶାସନ କେବଳ ଓଡ଼ିଆ ହିଁ କରିବା ଉଚିତ୍ । ଯିଏ ଓଡ଼ିଶାର ସଂସ୍କୃତି, ଭାଷାକୁ ସମ୍ମାନ ଦେବା ସହ ଜଗନ୍ନାଥ ସଂସ୍କୃତିକୁ ଆଗକୁ ନେଇପାରିବ । ବିଜେଡି ସରକାର ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନ କ୍ଷେତ୍ର କରି ସାରିଲେଣି । ଏଠାରେ ମଠ ମନ୍ଦିରକୁ ଭାଙ୍ଗିବା ସହ ରଥଯାତ୍ରା ବନ୍ଦ କରିବାକୁ ଚକାନ୍ତ୍ର କରିଛି ଏ ବିଜେଡି ସରକାର ।

ଓଡ଼ିଶା ପୂରା ଦେଶରେ ସବୁଠୁ ସମୃଦ୍ଧ ରାଜ୍ୟ ହୋଇଥିବା ବେଳେ ଏଠାକାର ଲୋକ ସବୁଠୁ ଗରିବ । ଓଡ଼ିଶା ପ୍ରାକୃତିକ ଓ ଖଣିଜ ସମ୍ପଦର ଗନ୍ତାଘର ହୋଇଥିବା ବେଳେ ଏଠାକାର ନବୀନ ସରକାରର ବାବୁ ଏହାକୁ ଲୁଟ୍ କରୁଛନ୍ତି । ବିଜେପି ସରକାରରେ ଖଣିଜ ପଦାର୍ଥ ରାଜ୍ୟ ବାହାରକୁ ଯିବନି ବରଂ ଏହିଠାରେ ହିଁ ଉତ୍ପାଦନ କରାଯିବ । ଯାହାର ଲାଭ ଓଡ଼ିଶାର ଯୁବବର୍ଗଙ୍କୁ ମିଳିବ । ଓଡ଼ିଶାର ଯୁବବର୍ଗଙ୍କୁ ଦାଦନ ଖଟିବାକୁ ଯିବାକୁ ପଡିବନି, ବରଂ ଏହିଠାରେ ହିଁ ସେମାନଙ୍କୁ ନିଯୁକ୍ତି ମିଳିବ । ଭୌଗଳିକ ଦୃଷ୍ଟିକୋଣରୁ ବେଶ ସମୃଦ୍ଧ କିନ୍ତୁ ଏଠାରେ ପରିଶ୍ରମୀ ମୁଖ୍ୟମନ୍ତ୍ରୀ ନାହାନ୍ତି । ବିଜେପି ସରକାର ଆଣନ୍ତୁ, ଏଠାରେ ଜଣେ ପରିଶ୍ରମୀ ଯୁବକଙ୍କୁ ମୁଖ୍ୟମନ୍ତ୍ରୀ କରିବୁ ଯିଏ ଓଡ଼ିଶା ପାଇଁ ଦିନରାତି କାମ କରିବ ।

ଆଜି ବି ଓଡ଼ିଶାରେ ୨୬ ଲକ୍ଷ ଲୋକଙ୍କ ପାଖରେ ପାନୀୟ ଜଳ ନାହିଁ । ସଡକ, ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ଓଡ଼ିଶା ବେଶ ପଛରେ ରହିଛି । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜିଗଲା, ଡୁପ୍ଲିକେଟ ଚାବି ବୁଲିଲା, ଯାଞ୍ଚ ରିପୋର୍ଟ ସାବର୍ଜନୀନ କରାଗଲାନି । କିନ୍ତୁ ବିଜେପି ସରକାର ଆସିଲେ ଯାଞ୍ଚ ରିପୋର୍ଟକୁ ସାବର୍ଜନୀନ କରିବା ସହ ରତ୍ନଭଣ୍ଡାରର ଟିକିନିକି ତଥ୍ୟ ଓଡ଼ିଶାବାସୀଙ୍କ ସାମ୍ନାରେ ରଖିବୁ । ସମ୍ବଲପୁରରେ ଶ୍ରମିକଙ୍କ ପାଇଁ ୫୦୦ ବେଡ୍ ବିଶିଷ୍ଟ ହସ୍ପିଟାଲ ସହ ମେଡିକାଲ କଲେଜ କରିବୁ । ଓଡ଼ିଶାରେ ପେସା ଆଇନ ଲାଗୁ କରିବୁ । ଓଡ଼ିଶାରେ ମେଡିକାଲ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ କରିବୁ ।

୧୮ ମାସରେ ଚିଟଫଣ୍ଡ ଦୁର୍ନୀତିର ସବୁ ଦୋଷୀଙ୍କୁ ଜେଲକୁ ପଠାଯିବା ସହ ଲୋକଙ୍କୁ ସେମାନଙ୍କର ଟଙ୍କା ମିଳିବ । ଧାନ ଏମଏସପି ବାବଦକୁ ୩୧୦୦ ଟଙ୍କା କରିବା ସହ ୪୮ ଘଣ୍ଟାରେ ଏହାକୁ ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ । କେନ୍ଦୁପତ୍ରରେ ୩୦% ବୋନସ ଦେବୁ । ୧ ଲକ୍ଷ ଯୁବକଙ୍କୁ ନିଯୁକ୍ତି ଦେବା ସହ ରାଉରକେଲା, ସମ୍ବଲପୁର,ପାରାଦ୍ୱୀପ ଓ ଧାମରାରେ ଇଣ୍ଡଷ୍ଟ୍ରରିଆଲ କରିଡର କରିବ ବିଜେପି ।

ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ ହେଲା । କଂଗ୍ରେସ ୭୦ ବର୍ଷ ଧରି ଏହାକୁ ବିରୋଧ କରୁଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହଯୋଗରେ ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ ହେଲା । ପୂରା ଦେଶ ରାମ ଉତ୍ସବ ପାଳନ କଲା ବେଳେ ବିଜେଡି ସରକାର ରାମ ଉତ୍ସବରେ ସାମିଲ ହେବାକୁ ରାମଭକ୍ତଙ୍କୁ ଅଟକାଇଥିଲେ । ଏଭଳି ସରକାରକୁ ଭୋଟ ଦେବା କଥା ନୁହେଁ । ନରେନ୍ଦ୍ର ମୋଦୀ ଏ ଦେଶକୁ ସୁରକ୍ଷିତ ରଖିବାକୁ କାମ କରୁଛନ୍ତି । ମୋଦୀ କାଶ୍ମୀରରୁ ଧାରା ୩୭୦ ହଟାଇବା ସହ ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି । ନବୀନ ସରକାରକୁ ବହୁତ ସହିଲେଣି ଓଡ଼ିଶାବାସୀ, ଏଠାରେ ବାବୁରାଜ ଚଲାଇଛନ୍ତି । କିନ୍ତୁ ଆଉ ଓଡ଼ିଶାରେ ବାବୁରାଜ ଚାଲିବନି, ବରଂ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଶାହା ।