ତାଳପତ୍ରରେ ମା’ଙ୍କ ଅଭିନବ ପ୍ରତିକୃତି । ବ୍ୟବହାର ହୋଇନି କୌଣସି ରଙ୍ଗ କି ତୁଳୀ

97

କନକ ବ୍ୟୁରୋ: ତାଳପତ୍ରରେ ନିର୍ମିତ ହୋଇଛି ମା ଦୁର୍ଗାଙ୍କ ମୂର୍ତ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି କୋଇଥକୋଲା ପୂଜା ମଣ୍ଡପରେ ଦେଖିବାକୁ ମିଳିଛି ଏହି ନିଆରା ଦୃଶ୍ୟ । ରାସାୟନିକ ରଙ୍ଗ କି ତୁଳୀ ବଦଳରେ ପ୍ରାକୃତିକ ବସ୍ତୁରି ତିଆରି ହୋଇଛି ମା ଦୁର୍ଗାଙ୍କ ମୂର୍ତି । ପଶ୍ଚିମବଙ୍ଗର କାରିଗର ତାଳପତ୍ରରେ ମା ଦୁର୍ଗାଙ୍କ ମୂର୍ତ୍ତି ତିଆରି କରିଛନ୍ତି । ସୁନ୍ଦର ସାଜସଜ୍ଜା ସାଙ୍ଗକୁ ଆକର୍ଷଣୀୟ ତୋରଣ ପୂଜା ପେଣ୍ଡାଲକୁ ଶ୍ରଦ୍ଧାଳୁଙ୍କୁ ଟାଣି ନେଉଛି ।

ସେହିପରି ଦୁର୍ଗାପୂଜାରେ ବିଭିନ୍ନ ପ୍ରକାର ତୋରଣ ସାଜିଛି ଆକର୍ଷଣର କେନ୍ଦ୍ରବିନ୍ଦୁ । ସମ୍ବଲପୁର ଦୁର୍ଗାପୂଜାରେ ବଡବଜାରରେ ଏଥର ଦେଖିବାକୁ ମିଳିଛି ଜୁରାସିକ୍ ପାର୍କର ତୋରଣ । ଫିଲ୍ମରେ ଦେଖୁଥିବା ଦୃଶ୍ୟ ଏବେ ତୋରଣରେ ଦେଖିବାକୁ ପାଉଛନ୍ତି ଶ୍ରଦ୍ଧାଳୁ । ଜୁରାସିକ୍ ପାର୍କରେ ହଲିଉଡ ସିନେମାର ଝଲକ ସ୍ଥାନ ପାଇଛି । ଖାସ୍ କରି ଯୁବପିଢୀ ଏହି ମଣ୍ଡପ ପ୍ରତି ବେଶ୍ ଆକର୍ଷିତ ହେଉଛନ୍ତି ।
ଅନ୍ୟପଟେ ଆଜି ଯାଜପୁରରେ ବିରଜା ପୀଠରେ ଆଜି ନବମୀ ପୂଜା । ମହାଳୟାଠାରୁ ସ୍ୱତନ୍ତ୍ର ନୀତିକାନ୍ତିରେ ମା ବିରଜାଙ୍କ ନବରାତ୍ରୀ ପୂଜା ଚାଲିଛି । କାଲି ରାତିରେ ଷୋଡଶ ଉପଚାରରେ ପୂଜା ସରିଥିବା ବେଳେ ଆଜି ମାଆଙ୍କ ପୀଠରେ ନବମୀ ପୁଜା । ସକାଳୁ ବୈତରଣୀ ଘାଟରୁ ବ୍ରାହ୍ଣଣମାନେ ଜଳ ଆଣିବା ପରେ ମାଆଙ୍କ ସ୍ନାନ ନୀତି ସଂପନ୍ନ ହୋଇଥିଲା । ଏହାପରେ ମାଆଙ୍କ ପାଦ ସ୍ପର୍ଶ ଓ ମୁଖ ଦର୍ଶନ ପାଇଁ ଦ୍ୱାର ଖୋଲାଯାଇଛି । ମାଆଙ୍କ ଦର୍ଶନ କରି ଆଶୀର୍ବାଦ ନେବାକୁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ସକାଳୁ ସକାଳୁ ଆରମ୍ଭ ହୋଇଛି । ଧାଡିରେ ଆସି ମାଆଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।