ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରତି ବଢୁଛି ଆଞ୍ଚଳିକ ଦଳମାନଙ୍କର ସମର୍ଥନ, ମମତାଙ୍କ ପରେ ଅଖିଳେଶଙ୍କ ବୟାନ ବଢାଇଲା ଚର୍ଚ୍ଚା

284

କନକ ବ୍ୟୁରୋ : ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରିବା ନେଇ ଏକ ବିବୃତ୍ତି ଦେଇଛନ୍ତି । ମମତା ବାନାର୍ଜୀ କହିଥିଲେ କି ଆଗାମୀ ଲୋକସଭା ନିର୍ବାଚନରେ ଯେଉଁ ରାଜ୍ୟରେ ଯେଉଁ ଆଞ୍ଚଳିକଦଳମାନେ ମଜବୁତ ଅଛନ୍ତି ସେମାନଙ୍କୁ ଆଗକୁ ଆଣି ବିଜେପି ସହ ମୁକାବିଲା କରିବାକୁ ପଡିବ । ମମତାଙ୍କ ଏହି ବୟାନକୁ ସମର୍ଥନ କରି ଅଖିଳେଶ କହିଛନ୍ତି କି ଅନ୍ୟ ରାଜନୈତିକ ଦଳମାନେ ମଧ୍ୟ ତାହା ଚାହୁଁଛନ୍ତି । ଉତ୍ତର ପ୍ରଦେଶ ନଗର ନିଗମ ନିର୍ବାଚନ ଫଳାଫଳକୁ ନେଇ ଅଖିଳେଶ ଯାଦବ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମ୍ମିଳନୀରେ ସେ ଏଭଳି ବିବୃତ୍ତି ଦେଇଛନ୍ତି ।

ଅଖିଳେଶ କହିଛନ୍ତି ଯେଉଁ ରାଜ୍ୟରେ ଯେଉଁ ଦଳ ମଜବୁତ ରହିଛି ସେଠାରେ ତାଙ୍କୁ ଆଗକୁ ଆଣି ନିର୍ବାଚନ ଲଢାଯାଉ । ଅଖିଳେଶଙ୍କ ମତରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଓ ଅନ୍ୟ ରାଜନୈତିକ ଦଳମାନେ ମଧ୍ୟ ଏହା ଚାହୁଁଛନ୍ତି ବୋଲି ଅଖିଳେଶ କହିଛନ୍ତି ।

ସୂଚନା ଥାଉକି ମମତା ବାନାର୍ଜୀ ସୋମବାର ଦିନ କହିଥିଲେ କି , କଂଗ୍ରେସକୁ ଆଞ୍ଚଳିକଦଳମାନଙ୍କୁ ଆଗକୁ ଆଣି ବା ସେମାନଙ୍କୁ ସମର୍ଥନ ଦେଇ ବିଜେପି ସହ ମୁକାବିଲା କରିବା ଆବଶ୍ୟକ । ତାଙ୍କ କହିବା ମୁତାବକ ଦିଲ୍ଲୀରେ ଆପ୍, ବିହାରରେ ଆରଜେଡି ଓ ଜେଡିୟୁ , ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ ତାମିଲନାଡୁରେ ଡିଏମକେ ଓ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସହ କଂଗ୍ରେସ ମେଣ୍ଟ କରି ଲୋକସଭା ନିର୍ବାଚନ ଲଢିଲେ ବିଜେପିକୁ ମୁକାବିଲା କରାଯାଇପାରିବ ।