ଆଇସିୟୁରେ ଥିଲେ ବାପା, ମୁଁ ତାଙ୍କ ପାଇଁ ମ୍ୟାଚ ଖେଳୁଥିଲି । ମୁମ୍ବାଇ ବିପକ୍ଷରେ ଦଳକୁ ବିଜୟୀ କରି ଭାବବିହ୍ୱଳ ହେଲେ ମୋହସିନ ଖାନ୍ ।

448

କନକ ବ୍ୟୁରୋ : ମୁମ୍ବାଇ-ଲକ୍ଷ୍ନୌ ରୋମାଞ୍ଚକର ମ୍ୟାଚର ହିରୋ ସାଜିଛନ୍ତି ମୋହସିନ ଖାନ୍ । ଶକ୍ତିଶାଳୀ ମୁମ୍ବାଇକୁ ଶେଷ ଓଭରରେ ନାକେଦମ କରିବା ସହ ନିଶ୍ଚିତ ବିଜୟ ହାତରୁ ଛଡାଇ ଆଣିଥିଲେ ମୋହସିନ । ଆଉ ଲକ୍ଷ୍ନୌର ଏହି ବିଜୟ ପରେ ମୋହସିନଙ୍କୁ ନେଇ କ୍ରିକେଟ ଜଗତରେ ଚର୍ଚ୍ଚା । ତେବେ ଦଳକୁ ବିଜୟ ଭେଟି ଦେବା ପରେ ପଡିଆରେ ଭାବୁକ ହୋଇଥିଲେ ମୋହସିନ ଖାନ୍ । ମ୍ୟାଚ୍ ପରେ ମୋହସିନ ଯାହା କହିଥିଲେ ତାହା ସବୁ କ୍ରିକେଟପ୍ରେମୀଙ୍କୁ ମଧ୍ୟ ଭାବୁକ କରି ଦେଇଥିଲା । ଏହି ବିଜୟ ବାପାଙ୍କୁ ସମର୍ପିତ କରି ମୋହସିନ କହିଥିଲେ, ମୋ ବାପା ଆଇସିୟୁରେ ଥିଲେ ଏବଂ ତାଙ୍କ ପାଇଁ ମୁଁ ଖେଳୁଥିଲି । ମ୍ୟାଚର ଗୋଟିଏ ଦିନ ପୂର୍ବରୁ ହିଁ ଡିସଚାର୍ଜ ହୋଇଥିଲେ । ସେ ନିଶ୍ଚୟ ଟିଭିରେ ମ୍ୟାଚ୍ ଦେଖୁଥିବେ । ମୁଁ କେବଳ ତାଙ୍କ ପାଇଁ ହିଁ ଖେଳୁଥିଲି । ଗତ ୧୦ ଦିନ ହେବ ସେ ଆଇସିୟୁରେ ଭର୍ତ୍ତି ଥିଲେ । ମୋ ପ୍ରଦର୍ଶନ ଦେଖି ସେ ନିଶ୍ଚୟ ଖୁସି ହେଉଥିବେ । ଏହାସହ ଶେଷ ଓଭରର ବୋଲିଂ ଅନୁଭୂତି ମଧ୍ୟ ବଖାଣିଥିଲେ ମୋହସିନ ।

ମୋହସିନ କହିଥିଲେ, ଶେଷ ଓଭରରେ ମୁମ୍ବାଇକୁ ବିଜୟ ପାଇଁ ୧୧ ରନର ଆବଶ୍ୟକ ଥିଲା । ମୁଁ ପୂର୍ବରୁ ଯେମିତି ପ୍ରାକ୍ଟିସ କରିଥିଲି ତାହାର ବ୍ୟବହାର ଶେଷ ଓଭରରେ କରିବାକୁ ନିଷ୍ପତ୍ତି ନେଇଥିଲି । ମୁଁ ନିଜକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲି । ସ୍କୋରବୋର୍ଡକୁ ନ ଦେଖି ୬ଟି ବଲ ଭଲ ଭାବରେ ପକାଇବାକୁ ଚେଷ୍ଟା କରିଥିଲି । ପ୍ରଥମେ ସ୍ଲୋ ବଲ୍ ପକାଇ ସଫଳ ହୋଇଥିଲି । କିନ୍ତୁ ପରବର୍ତ୍ତୀ ବଲ ଗୁଡିକୁ ୟର୍କର ପକାଇଥିଲି । ଆଉ ଏହି ରଣନୀତିରେ ସଫଳ ମଧ୍ୟ ହୋଇଥିଲି । ମୁମ୍ବାଇ ପାଇଁ କ୍ରିଜରେ ଦୁଇ ବିସ୍ଫୋରକ ବ୍ୟାଟର ଥିଲେ ମଧ୍ୟ ଶେଷ ଓଭରରେ ବେଶ ସହଜରେ ୧୧ ରନ୍ ଡିଫେଣ୍ଡ କରିପାରିଥିଲା ଲକ୍ଷ୍ନୌ ।

ତେବେ ମୋହସିନଙ୍କ ପାଇଁ ଏହି ମ୍ୟାଚରେ ଖେଳିବା କୌଣସି ସ୍ୱପ୍ନ ଠାରୁ ମଧ୍ୟ କମ ନଥିଲା । ଗତଥର ଦମଦାର ପ୍ରଦର୍ଶନ କରିଥିବା ମୋହସିନ ଦୀର୍ଘ ଦିନ ହେବ ଆହତ ହୋଇ କ୍ରିକେଟ ପଡିଆରୁ ଦୂରେଇ ରହିଥିଲେ । ଦୀର୍ଘ ବର୍ଷେରୁ ଅଧିକ ସମୟ ମୋହସିନଙ୍କ ପାଇଁ ବେଶ କଷ୍ଟକର ଥିଲା । କିନ୍ତୁ ଆଜି ଯେତେବେଳେ ସୁଯୋଗ ମିଳିଲା ଏବଂ ମୁମ୍ବାଇ ବିପକ୍ଷରେ ବୋଲିଂ କରିବା ଆରମ୍ଭ କଲି ସବୁକିଛି ଠିକ୍ ହେଲା ଭଳି ଲାଗିଲା । ଶେଷରେ ଦଳକୁ ବିଜୟୀ କରିଥିବାରୁ ଖୁସି ବୋଲି କହିଛନ୍ତି ମୋହସିନ ।

ମୋହସିନ ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରେ ରହି ସାରିଛନ୍ତି । ୨୦୧୮ରୁ ୨୦୨୨ ଦୀର୍ଘ ୪ ବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ଥିଲେ ମଧ୍ୟ ତାଙ୍କୁ ଖେଳିବାକୁ ସୁଯୋଗ ମିଳିନଥିଲା । କିନ୍ତୁ ୨୦୨୨ରେ ମୁମ୍ବାଇରୁ ରିଲିଜ ହେବା ପରେ ମୋହସିନଙ୍କୁ ଲକ୍ଷ୍ନୌ ବେସ୍ ପ୍ରାଇସରେ ଦଳରେ ସାମିଲ କରିଥିଲା । ଲକ୍ଷ୍ନୌ ଟିମରେ ସୁଯୋଗ ପାଇବା ମାତ୍ରେ ମୋହସିନ ନିଜକୁ ପ୍ରମାଣିତ କରିଥିଲେ । ଗତ ସିଜିନରେ ୯ଟି ମ୍ୟାଚରୁ ୧୪ଟି ୱିକେଟ ନେଇ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । କିନ୍ତୁ ଆହତ କାରଣରୁ ଚଳିତ ଆଇପିଏଲର ପ୍ରଥମାର୍ଦ୍ଧର ମ୍ୟାଚ୍ ଖେଳି ପାରିନଥିଲେ । ତେବେ ମୁମ୍ବାଇ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ମୋହସିନଙ୍କ ଉପରେ ଭରସା କରିଥିଲେ ଅଧିନାୟକ କୃର୍ଣ୍ଣାଲ ପାଣ୍ଡ୍ୟା । ଏପରିକି କୃର୍ଣ୍ଣାଲ ତାଙ୍କୁ ଶେଷ ଓଭର ବୋଲିଂ ଦେଇଥିଲେ । କୃର୍ଣ୍ଣାଲଙ୍କ ଏହି ଭରସା ଭାଙ୍ଗି ନଥିଲେ ମୋହସିନ । ଦୁଇ ବିସ୍ଫୋରକ ବ୍ୟାଟର କ୍ରିଜରେ ଥିଲେ ମଧ୍ୟ ନିଜର ଶାଣିତ ବୋଲିଂ ଜରିଆରେ ଦଳକୁ କ୍ୱାଲିଫାୟାରର ନିକଟତର କରିଛନ୍ତି ମୋହସିନ ।