ପ୍ରେମ: ଯେତେ ପୁରୁଣା ସେତେ ଗାଢ଼। ବୟସ ବଢ଼ିଲେ କମେନି ପ୍ରେମ।

152

କନକ ବ୍ୟୁରୋ: ଏକ ଅତୁଟ ବନ୍ଧନର କାହାଣୀ । ଯାହାଙ୍କୁ ସାତ ଜନ୍ମର ସାଥୀ ହୋଇ ରହିବାର ପ୍ରତିଶ୍ରୁତି ଦେଇଥିଲେ । ଅଗ୍ନିକୁ ସାକ୍ଷୀ ରଖି ହାତ ଧରିଥିଲେ । ସାମାନ୍ୟ ଖରାଟିକିଏ ପାଇଁ କେମିତି ଏକୁଟିଆ ଛାଡ଼ି ଦେଇଥାନ୍ତୋ । ଖରା ହେଉ କି ବର୍ଷା, ସୁଃଖ ହେଉ କି ଦୁଖ । ସବୁ ସମୟରେ ପତ୍ନୀ ପାଖରେ ଠିଆ ହେଉଥିବା ଜଣେ ସ୍ୱାମୀଙ୍କ କାହାଣୀ । ଏ ଭଳି ଚିତ୍ର ଆସିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ସହରର । ଡହ ଡର ଖରାରେ ବୃଦ୍ଧ ଦମ୍ପତି ଗୋଟିଏ ବାଡ଼ିରେ ଧରାଧରି ହୋଇ ଘରକୁ ଫେରୁଛନ୍ତି । ଟାଣ ଖରାରେ ବାଟ ଚାଲୁଥିବା ପତ୍ନୀଙ୍କ ପାଦରେ କଷ୍ଟ ହେଉଥିବା ଦେଖି, ନିଜ ପାଦରୁ ଚପଲ କାଢ଼ି ସ୍ତ୍ରୀଙ୍କ ଆଡକୁ ବଢ଼ାଇ ଦେଉଛନ୍ତି ।

ନୀଳଗିରି ବ୍ଳକ୍ ବାହ ବନ୍ଧ ଗାଁର ଏହି ବୃଦ୍ଧ ଦମ୍ପତି ଚାଲି ଚାଲି ୭ କିଲୋମିଟର ଦୂର ନୀଳଗିରି ମେଡ଼ିକାଲକୁ ଆସିଥିଲେ । ଦିନ ପ୍ରାୟ ୧୨ଟା ସମୟରେ ଡାକ୍ତରଙ୍କୁ ଦେଖାଇବା ପରେ, ଇଏ ହେଉଛି ଫେରିବା ବେଳର ଚିତ୍ର । ତାତିରେ ନିଜ ପାଦ ପଛେ ଫୁଟି ଯାଉ, କିନ୍ତୁ ତାଙ୍କ ସ୍ତ୍ରୀଙ୍କୁ କଷ୍ଟ ନହେଉ । ଏହି ଭାବ ନେଇ ପରିଣତ ବୟୟସରେ ଭଲ ପାଇବା ଅଜାଡ଼ି ଦେଇଛନ୍ତି ଏହି ବ୍ୟକ୍ତି ଜଣକ । ଦେହରେ ବଳ ନାହିଁ କିନ୍ତୁ ନିଜ ସ୍ତ୍ରୀଙ୍କୁ ସୁରକ୍ଷା ଦେବା ସହିତ, ବାଡ଼ିର ସାହାରାରେ ଏକାଠି ବାଟ ଚାଲିଛନ୍ତି ।