ଉତ୍ତରାଖଣ୍ଡରେ ଦୁର୍ଦ୍ଦଶା ଆଣିଲା ଲଗାଣ ବର୍ଷା । ବାଦଲ ଫଟା ବର୍ଷାରେ ୫ ମୃତ, ଅନେକ ନିଖୋଜ

78

କନକ ବ୍ୟୁରୋ : ଉତରାଖଣ୍ଡରେ ହଠାତ କାଳ ସାଜିଛି ଲଗାଣବର୍ଷା । ଭୀଷଣ ଜଳପ୍ରବାହ ଭିତରେ ବୁଡିଛି ଘରଦ୍ୱାର, ଭାସିଯାଇଛି ଧନଜୀବନ । ରାଜ୍ୟରେ ତାଣ୍ଡବ ରଚୁଛି ପ୍ରକୃତି । ବିଶେଷ କରି ଡେରାଡୁନର ସ୍ଥିତି ସଂଗୀନ ହୋଇପଡିଛି । କେଉଁଠି ବାଦଲଫଟା ବର୍ଷା ତ ପୁଣି କେଉଁଠି ଭୁସ୍କଳନ । ରାଜ୍ୟ ପାଣି ଆଣିଛି ବଡ ବିପତି । ମନ୍ଦିରଗୁଡିକ ବନ୍ୟା ପାଣିରେ ବୁଡିବା ସହ ନଦୀ ପୋଲ ବନ୍ୟାର ପ୍ରଖର ସ୍ରୋତରେ ଭାସିଯାଛି । ସହରର ଅଧିକାଂଶ ଘର ବନ୍ୟାପାଣିରେ ବୁଡି ରହିବା ସହ ଲୋକମାନେ ଜଳବନ୍ଦୀ ହୋଇ ରହିଛନ୍ତି । ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପକ୍ଷରୁ ବନ୍ୟାଘେରରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ବନ୍ୟା ଯୋଗୁଁ ଅନେକ ଅଂଚଳ ଯୋଗାଯୋଗ ବିଚ୍ଛିନ ହୋଇଛି । ରିଷିକେଶ-ବଦ୍ରିନାଥ ହାଇୱ ବନ୍ଦ ରଖାଯାଇଛି । ସେହିପରି ରିଷିକେଶ-ଗଙ୍ଗୋତ୍ରୀ ରାଜପଥକୁ ବନ୍ଦ କରାଯାଇଛି ।

ସେପଟେ ହିମାଚଳରେ ବି ବର୍ଷା ଓ ବନ୍ୟା ସହ ଭୁସ୍ଖଳନ ଏବଂ ବାଦଲଫଟା ବର୍ଷା କାଳ ଆଣିଛି । ଶୁକ୍ରବାର ରାତିରୁ ଆରମ୍ଭ ହୋଇଥିବା ପ୍ରବଳ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବିଶେଷ କରି ମଣ୍ଡି ଅଂଚଳ ବେଶ କ୍ଷୟକ୍ଷତି ସହିଛି । ଭୁସ୍ଖଳନ ଯୋଗୁଁ ଗୋଟେ ପରିବାରର ୭ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବିଳମ୍ବିତ ରାତିରୁ ବର୍ଷା ହେବା ଯୋଗୁଁ ରାଜ୍ୟର ସବୁଠୁ ବଡ ରେଲୱେ ବ୍ରିଜ ଭାଙ୍ଗିପଡିଛି । ନିକଟରେ ଏହି ନୂଆ ବ୍ରିଜର ନିର୍ମାଣ କରାଯାଇଥିଲା । ପଂଜାବ-ହିମାଚଳପ୍ରଦେଶକୁ ଯୋଡୁଥିବା ଚକ୍କ ବ୍ରିଜ ବନ୍ୟା ପାଣିରେ ସମ୍ପୂର୍ଣ୍ଣ ଭାସିଯାଇଛି । ପ୍ରବଳବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍କଳନ ଘଟିଛି । ଧର୍ମଶାଳା, କାଙ୍ଗଡା ସହ ବିଭିନ୍ନ ସହରରେ ଦାଉସାଜୁଛି ବର୍ଷା ।

ଦେଶର ବିଭିନ୍ନ ରାଜ୍ୟରେ ମୌସୁମୀ ସହ ଲଘୁଚାପ ବର୍ଷା ବିପତି ଆଣିଛି । ବିଶେଷ କରି ପାହାଡିଆ ରାଜ୍ୟଗୁଡିକ ସବୁଠୁ ଅଧିକ ପ୍ରଭାବିତ ହେଉଛି । ଏଥିରୁ ବାଦ ପଡିନି ଜମ୍ମୁକଶ୍ମୀର । ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ସେପଟେ ସ୍ଥାନେ ସ୍ଥାନେ ଭୂସ୍ଖଳନ କଶ୍ମୀରବାସୀଙ୍କ ପାଇଁ କାଳ ସାଜିଛି । ଅନେକ ସ୍ଥାନରେ ଲୋକମାନେ ଘରଦ୍ୱାର ହରାଇ ଅସ୍ଥାୟୀ ଶିବିରରେ ଦିନ କାଟୁଛନ୍ତି ।

ଉତର ଭାରତର ବିଭିନ୍ନ ରାଜ୍ୟରେ ବି ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ଉତରପ୍ରଦେଶରେ ବନ୍ୟା ସମସ୍ୟା ଦେଖାଯିବା ପରେ ଲୋକମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମଧ୍ୟପ୍ରଦେଶର ୨୦ ଜିଲ୍ଲା. ରାଜସ୍ଥାନର ୧୮ ଜିଲ୍ଲା ଓ ଉତରପ୍ରଦେଶର ୨୮ରୁ ଅଧିକ ଜିଲ୍ଲାରେ ବନ୍ୟାରେ ବେଶ ପ୍ରଭାବିତ ହୋଇଛନ୍ତି ।ଏହି ସବୁ ରାଜ୍ୟମାନଙ୍କ ପାଇଁ ଅରେଂଜ ଆର୍ଲଟ ଜାରି କରାଯାଇଛି ।

ପୂର୍ବରୁ ପଶ୍ଚିମ, ଉତରରୁ ଦକ୍ଷିଣ । ଦେଶର ଅଧିକାଂଶ ରାଜ୍ୟରେ ବନ୍ୟା ସମସ୍ୟା ବଡ ବିପତି ନେଇ ଆସିଛି । ହିସାବ ବାହାରେ କ୍ଷୟକ୍ଷତି ହେଉଛି । ନଷ୍ଟ ହେଉଛି ଧନଜୀବନ । ପ୍ରକୃତିର ପ୍ରକୋପରେ ଜନମାନଓ ବ୍ୟତିବ୍ୟସ୍ତ ହୋଇପଡିଛି ।