ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍: ରୋହିତଙ୍କ ସ୍ଥାନ ନେଲେ ରାହୁଲ, ଟିମ ଇଣ୍ଡିଆ ଟେଷ୍ଟ ଦଳର ହେଲେ ଉପ-ଅଧିନାୟକ ।

214

କନକ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ ପାଇଁ ଉପ-ଅଧିନାୟକ ନିଯୁକ୍ତ ହେଲେ କେ ଏଲ ରାହୁଲ । ରୋହିତ ଶର୍ମା ଆହତ ହୋଇ ଏହି ଟେଷ୍ଟ ସିରିଜରୁ ବାଦ୍ ପଡିବା ପରେ ତାଙ୍କ ସ୍ଥାନ ରାହୁଲ ନେଇଛନ୍ତି । ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ସେ ଦଳର ଉପ-ଅଧିନାୟକ ଭାବେ ନଜର ଆସିବେ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ପାଇଁ ପ୍ରଥମେ ଭାରତୀୟ ଦଳ ଘୋଷଣା ହୋଇଥିଲା । ଏହି ଦଳରେ ଦିନିକିଆ ଓ ଟି-୨୦ରେ ରୋହିତ ଶର୍ମାଙ୍କୁ ଅଧିନାୟକ ଭାର ଦିଆଯିବା ସହିତ ଟେଷ୍ଟରେ ଉପ-ଅଧିନାୟକ ପଦ ମିଳିଥିଲା । ଆଜିଙ୍କ୍ୟ ରାହାଣେଙ୍କ ବଦଳରେ ପ୍ରଥମ ଥର ପାଇଁ ରୋହିତ ଟେଷ୍ଟରେ ଉପ-ଅଧିନାୟକ ପଦ ହାତେଇଥିଲେ । ହେଲେ ଏହାପରେ ସେ ଆହତ ହୋଇ ଟେଷ୍ଟ ଟିମରୁ ବାଦ୍ ପଡିବା ପରେ ଏବେ ଏହି ପଦ କେ ଏଲ ରାହୁଲଙ୍କୁ ମିଳିଛି ।

ସୂଚନାଯୋଗ୍ୟ ଯେ, ଆହତ ଗତ କାରଣ ଯୋଗୁ ରୋହିତ ଶର୍ମା ଆଗାମୀ ୩ ସପ୍ତାହ ପର୍ଯ୍ୟନ୍ତ ପଡିଆଠୁ ଦୂରରେ ରହିବେ । ଏବେ ସେ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ନିଜର ପ୍ରସ୍ତୁତି ଚଳାଇଥିବାବେଳେ, ଦିନିକିଆ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିବେ । ଏହି ଦିନିକିଆ ସିରିଜ ଜାନୁଆରୀ ୧୯ରୁ ଆରମ୍ଭ ହେବାକୁ ଥିବାବେଳେ, ଜାନୁଆରୀ ୨୧ରେ ଦ୍ୱିତୀୟ ଦିନିକିଆ ଏବଂ ଜାନୁଆରୀ ୨୩ରେ ତୃତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ ।