ସନ୍ଦେହ ପାଇଁ ସ୍ତ୍ରୀଙ୍କୁ ହତ୍ୟା: ପୂର୍ବତନ ବିଧାୟକଙ୍କୁ ଆଜୀବନ କାରାଦଣ୍ଡ

410

କନକ ବ୍ୟୁରୋ: ପତ୍ନୀଙ୍କୁ ହତ୍ୟା କରିବା ମାମଲାରେ ପୂର୍ବତନ ବିଧାୟକ ରାମମୂର୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡାଦେଶ । ଆଜି ଭୁବନେଶ୍ୱର ଗମାଙ୍ଗଙ୍କୁ ଦଣ୍ଡ ଶୁଣାଇଛନ୍ତି ସ୍ୱତନ୍ତ୍ର ଏମଏଲଏ, ଏମପି କୋର୍ଟ । ଦଫା ୩୦୨ ଆଧାରରେ ଆଜୀବନ କାରାଦଣ୍ଡା ସହ ୫୦ହଜାର ଟଙ୍କାର ଜୋରିମାନା ଲଗାଯାଇଛି । ୨୮ ବର୍ଷ ତଳେ ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତି ଗମାଙ୍ଗ ।

ରାମମୂର୍ତ୍ତି ଗମାଙ୍ଗଟଙ୍କ କ୍ୱାର୍ଟରରେ ପହଂଚିଥିଲା ପୁଲିସ । ଆରମ୍ଭ ହୋଇଥିଲା ଛାନଭିନ । କାହିଁକି ନା ବିଧାୟକଙ୍କ ବାଥରୁମରୁ ମିଳିଥିଲା ପତ୍ନୀଙ୍କ ମୃତଦେହ । ପତ୍ନୀ ଶଶୀରେଖା ଗମାଙ୍ଗ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସକୁ ବୁଝାଇବାକୁ ଚେଷ୍ଟା କରିଥିଲେ ବିଧାୟକ । କିନ୍ତୁ ପୁଲିସର ସନ୍ଦେହୀ ଆଖି ହତ୍ୟାକାଣ୍ଡର ସୁରାକ ପାଇଥିଲା । ବାଥରୁମରେ ସଂପୂର୍ଣ୍ଣ ରୂପେ ଜଳିଯାଇଥିବା ଶଶୀରେଖା ପଡିରହିଥିଲେ । କିନ୍ତୁ ବାଥରୁମ ଭିତରେ ଥିବା ବାଲଟି, ମଗ୍ , କିରୋସିନ ଜାର୍ ଓ ଦିଆସିଲି ପେଡି ସେମିତି ପଡିଥିଲା । ଆଉ ଏହାକୁ ନେଇ ଆଗେଇଥିଲା ତଦନ୍ତ ।

ଆଇନ ଆଖିରୁ ଖସିବା ପାଇଁ ଷଡଯନ୍ତ୍ର ରଚିଥିବା ବିଧାୟକ ଫସିଯାଇଥିଲେ । କୋର୍ଟରେ ଚାଲିଥିଲା ଶୁଣାଣି । ରାମମୂର୍ତ୍ତିଙ୍କ ଯୁକ୍ତି ବାଢିଥିଲେ, ରାମମୂର୍ତ୍ତି ଜଣେ ବୟସ୍କ ବ୍ୟକ୍ତି, ଅପରାଧିକ ପୃଷ୍ଠଭୂମି ନାହିଁ । ତେଣୁ ଦଣ୍ଡାଦେଶ କୋହଳ କରାଯାଇ ଖଲାସ କରାଯାଉ । ତେବେ ସରକାରୀ ଓକିଲ ଯୁକ୍ତି ବାଢିଥିଲେ, ଗର୍ଭବତୀ ମହିଳାଙ୍କୁ ଜାଳିଦେବା ସାଧାରଣ କଥା ନୁହେଁ । ତେଣୁ ତାଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯାଉ । ଆଉ ଯାହାକୁ ନେଇ ପୂର୍ବତନ ବିଧାୟକଙ୍କ ବିରୋଧରେ ୧୧ ଜଣ ଓ ୧୫ରୁ ଅଧିକ ତଥ୍ୟ ପ୍ରମାଣ ସ୍ପଷ୍ଟ କରୁଥିଲା ବିଧାୟକ ହିଁ ହତ୍ୟାକାରୀ । ସାମାନ୍ୟ ସନ୍ଦେହରୁ ଗର୍ଭବତୀ ପତ୍ନୀ ଶଶୀରେଖାଙ୍କୁ ପୋଡି ମାରିଦେଇଥିବାର ଦଫା ୩୦୨ ଓ ପ୍ରମାଣ ନଷ୍ଟ ଅଭିଯୋଗ ଦଫା ୨୦୧ରେ ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଜେ-୩ କୋର୍ଟ ରାମମୂର୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।

କୋର୍ଟରୁମ ଭିତରେ ସେ କୌଣସି ଦୋଷ କରିନାହାନ୍ତି ବୋଲି କୋହଭରା କଣ୍ଠରେ ହାକିମକୁ କହିଥିଲେ ରାମମୂର୍ତ୍ତି ଗମାଙ୍ଗ । ଆଜବୀନ କାରାଦଣ୍ଡାଦେଶ ହେବା ପରେ ରାମମୂର୍ତ୍ତି ଏବେ ଝାରପଡା ଜେଲରେ ରହିବେ ।