ବିଦେଶରୁ ଫେରି ବିରୋଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶରେ ନିର୍ବାଚନୀ ରାଲିରେ ବିରୋଧୀ ମେଣ୍ଟ ବୈଠକକୁ କଲେ ଟାର୍ଗେଟ

183

କନକ ବ୍ୟୁରୋ: ବିଦେଶରୁ ଫେରିବା ପରେ ବିରୋଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିହାରରେ ପାଟଣାରେ ହୋଇଥିବା ବିରୋଧୀ ଦଳଙ୍କ ବୈଠକକୁ ସମାଲୋଚନା କରିଛନ୍ତି ମୋଦୀ । କହିଛନ୍ତି, ଅତି କମରେ ସବୁୁ ବିରୋଧୀ ୨୦ ଲକ୍ଷ କୋଟି ଟଙ୍କାର ଦୁର୍ନୀତି କରିଛନ୍ତି । ତେଣୁ ଭୟଭୀତ ହୋଇ ପରସ୍ପର ସହ ହାତ ମିଳାଇଛନ୍ତି । ସେପଟେ ତିନି ତଲାକ, ୟୁନିଫର୍ମ ସିଭିଲ କୋର୍ଡ ତଥା ସମସ୍ତଙ୍କ ପାଇଁ ଏକା ନିୟମ ନେଇ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । ମଧ୍ୟପ୍ରଦେଶରେ ‘ମୋ ବୁଥ ସବୁଠୁ ମଜଭୁତ’ କ୍ୟାମ୍ପନରେ ଯୋଗଦେଇ ମୋଦୀ କହିଛନ୍ତି, ତିନି ତଲାକ ଯଦି ମୁସଲିମ ସମ୍ପ୍ରଦାୟର ଅବିଚ୍ଛେଦ ନିୟମ, ତେବେ ମୁସଲିମ ବହୁଳ ଇଜିପ୍ଟ, ସିରିଆ, ବାଙ୍ଗାଲାଦେଶ, ପାକିସ୍ତାନ, କାତାରରେ କିପରି ତିନି ତଲାକ ଉପରେ କଟକଣା ଲଗାଯାଇଛି । ତିନି ତଲାକ କେବଳ ମହିଳାଙ୍କ ପାଇଁ ନୁହେଁ ପୁରା ପରିବାର ପାଇଁ ଚିନ୍ତାର କାରଣ ପାଲଟିଛି । ଯେଉଁମାନେ ତିନି ତଲାକ ଉଚ୍ଛେଦ ନିୟମକୁ ବିରୋଧ କରୁଛନ୍ତି ସେମାନେ ଭୋଟ ପାଇଁ ଭୋକିଲା ଅଛନ୍ତି ।

ବିଜେପି ନିର୍ବାଚନୀ ଇସ୍ତାହାରରେ ସାମିଲ କରିଥିବା ଦେଶରେ ୟୁନିଫର୍ମ ସିଭିଲ କୋର୍ଡକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଗୋଟିଏ ପରିବାରର ଅଲଗା ଅଲଗା ସଦସ୍ୟ ପାଇଁ ଅଲଗା ନିୟମ ରହୁନାହିଁ । ଦେଶରେ କିପରି ଅଲଗା ଅଲଗା ନିୟମ ରହିବ ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ । ୟୁନିଫର୍ମ ସିଭିଲ କୋର୍ଡ ହେଉଛି ଜାତି, ଧର୍ମ, ପଦ ନିର୍ବିଶେଷରେ ଦେଶର ସମସ୍ତ ନାଗରିକଙ୍କ ପାଇଁ ଗୋଟିଏ ନିୟମ ରହିବ । ଯାହାକୁ ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ସରକାର ଲାଗୁ କରିବାକୁ ଯାଉଛନ୍ତି । ତେବେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରେ ୫ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ମଙ୍ଗଳବାର ଶୁଭାରମ୍ଭ କରିଛନ୍ତି ।