ବହୁଚର୍ଚ୍ଚିତ କର୍ଣ୍ଣାଟକ ହିଜାବ ମାମଲା, ବୃହତ ଖଣ୍ଡପୀଠରେ ହେବ ଶୁଣାଣି

68

କନକ ବ୍ୟୁରୋ : ସ୍କୁଲ ଓ କଲେଜରେ ହିଜାବ ପିନ୍ଧିବାର ଅଧିକାର ମିଳିବା ଦରକାର ନା ନାହିଁ । କର୍ଣ୍ଣାଟକରେ ଚାଲିଥିବା ହିଜାବ ବିବାଦ ଉପରେ ନିଷ୍ପତି ଏବେ ସୁପ୍ରିମକୋର୍ଟର ବୃହତ ଖଣ୍ଡପୀଠ ନେବେ । ଦୁଇ ଜଣିଆ ଖଣ୍ଡପୀଠ ହିଜାବ ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଅଲଗା ଅଲଗା ରାୟ ଦେଇଥିଲେ । ଯେଉଁ କାରଣରୁ ସର୍ବସମ୍ମତି ରାୟ ପ୍ରକାଶ ପାଇନଥିଲା । ସୁପ୍ରିମକୋର୍ଟ ବିଚାରପତି ହେମନ୍ତ ଗୁପ୍ତା ଓ ବିଚାରପତି ସୁଧାଂଶୁ ଧୁଲିଆ ୧୦ଦିନ ଧରି ହିଜାବ ମାମଲାରେ ଶୁଣାଣି କରିଛନ୍ତି । ଗୁରୁବାର ଯେତେବେଳେ ମାମଲାର ଶୁଣାଣିର ସମୟ ଆସିଲା, ଦୁଇ ବିଚରାପତି ଭିନ୍ନ ରାୟ ଦେଇଛନ୍ତି । ଏଭଳି ସ୍ଥିତିରେ ମାମଲା ଏବେ ସର୍ବୋଚ୍ଚ ଖଣ୍ଡପୀଠଙ୍କ ନିକଟକୁ ପଠାଯାଇଛି । ଜଷ୍ଟିସ ହେମନ୍ତ ଗୁପ୍ତା ଓ ଜଷ୍ଟିସ୍ ହିମାଂଶୁ ଧୁଲିଆଙ୍କ ନେଇ ଗଠିତ ଖଣ୍ଡପୀଠ ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧାଯିବ କି ନାହିଁ, ସେ ନେଇ ନିର୍ଦ୍ଦିଷ୍ଟ ରାୟ ଦେଇନଥିଲେ । ଏବେ ଆସନ୍ତୁ ନଜର ପକାଇବ, କୋର୍ଟ ରୁମରେ କ’ଣ କହିଥିଲେ ଦୁଇ ବିଚାରପତି ।

କ’ଣ କହିଲେ ଜଷ୍ଟିସ୍ ଗୁପ୍ତା?
– ଜଷ୍ଟିସ୍ ଗୁପ୍ତା ପ୍ରସ୍ତୁତ କରିଥିଲେ ୧୧ ପ୍ରଶ୍ନ
– ପ୍ରଥମ ପ୍ରଶ୍ନ ଥିଲା. କ’ଣ ଏହାକୁ ବୃହତ ଖଣ୍ଡପୀଠକୁ ପଠାଇବା ଉଚିତ କି?
– କ’ଣ କଲେଜ ମ୍ୟାନେଜମେଂଟ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ଉପରେ ନିଷ୍ପତ୍ତି ନେଇପାରିବେ?
– ଯଦି ହିଜାବ ପିନ୍ଧିବା ଓ ନିଷିଦ୍ଧ କରିବା ଧାରା-୨୫ର ଉଲ୍ଲଂଘନ କରୁଛି, ତେବେ ଧାରା-୧୯ ଓ ଧାରା-୨୫ ଅଧିକାର ଭିନ୍ନ କି?
– ଏକ ସରକାରୀ ଆଦେଶ କ’ଣ ମୌଳିକ ଅଧିକାରର ଉଲ୍ଲଂଘନ କରୁଛି ?
– ହିଜାବ ବ୍ୟାନ୍ ଛାତ୍ରମାନଙ୍କୁ ବାଧା ଦେଇଛି କି?
– ହିଜାବ ପିନ୍ଧିବା କ’ଣ ଧର୍ମର ଏକ ଅପରିହାର୍ଯ୍ୟ ଅଙ୍ଗ?
– ହିଜାବ ପିନ୍ଧିବା କ’ଣ ଧାର୍ମିକ ସ୍ୱାଧୀନତା?
– ସେଥିପାଇଁ ଆବେଦନକୁ ଖାରଜ କରିବାକୁ ପ୍ରସ୍ତାବ ଦେଇଥିଲେ ଜଷ୍ଟିସ୍ ଗୁପ୍ତା

କ’ଣ କହିଲେ ଜଷ୍ଟିସ୍ ଧୁଲିଆ?
– ଝିଅମାନଙ୍କ ପାଠପଢ଼ା ଗୁୁରୁତ୍ୱପୂର୍ଣ୍ଣ
– ଝିଅମାନଙ୍କୁ ପାଠପଢ଼ା ସହିତ ଘର କାମ ଓ ବିନା ପାରିଶ୍ରମିକରେ ପାଠପଢ଼ା ଭାର ବହନ କରିବାକୁ ପଡ଼ିଥାଏ
– ଅତିରିକ୍ତ କଟକଣା ଲଗାଇଲେ ସେମାନଙ୍କ ଜୀବନରେ ଉନ୍ନତି ଆସିବ ନାହିଁ
– ସେମାନେ ନାନା ବାଧାବିଘ୍ନ ଦେଇ ପଢ଼ିବାକୁ ଆସନ୍ତି
– ହିଜାବ ଉପରେ ପ୍ରତିବନ୍ଧକ ଲଗାଯିବା ଦ୍ୱାରା ସ୍କୁଲ ଓ କଲେଜରେ ଡ୍ରପ ଆଉଟ୍ ବଢ଼ୁଛି
– ହାଇକୋର୍ଟ ଧାର୍ମିକ ବାଧ୍ୟବଧକତା ପ୍ରଶ୍ନକୁ ଯିବା ଉଚିତ୍ ନୁହେଁ
– ହିଜାବକୁ ଏକ ବ୍ୟକ୍ତିଗତ ପସନ୍ଦ ଭାବେ ଦେଖିବା ଉଚିତ୍ ଥିଲା
– କର୍ଣ୍ଣାଟକ ହାଇକୋର୍ଟ ଭୁଲ୍ ବାଟ ଆପଣାଇଛନ୍ତି

ମାର୍ଚ୍ଚ ୧୫ ତାରିଖରେ କର୍ଣ୍ଣାଟକରେ ହିଜାବ ପ୍ରସଙ୍ଗକୁ ହାଇକୋର୍ଟରେ ଶୁଣାଣି ହୋଇଥିଲା । ଯେଉଁଥିରେ ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି ଶୁଣାଣି କରିଥିଲେ କର୍ଣ୍ଣାଟକ ହାଇକୋର୍ଟ । ଏହାକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଆବେଦନକାରୀ । ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ଅନୁମତି ଦିଆଯାଉ ବୋଲି ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମୁସଲିମ୍ ଛାତ୍ରୀ । ହିଜାବର ସମର୍ଥନ କରୁଥିବା ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ଦୁଷ୍ୟନ୍ତ ଦୁବେ, ସଲମାନ ଖୁର୍ସିଦ, ହୁଜୈଫା ଅହମ୍ମଦୀ, ଦେବଦତ କାମତ ଓ ସଂଜୟ ହେଗଡେଙ୍କ ମଧ୍ୟରେ ଖୁବ୍ ତର୍କ ହୋଇଥିଲା ।

ସୁପ୍ରିମକୋର୍ଟରେ ଦୁଇ ବିଚାରପତିଙ୍କ ମଧ୍ୟରେ ମତଭେଦ ପରେ ହିଜାବ ପାଇଁ ଲଢ଼େଇ ଆହୁରି ଲମ୍ବା ହୋଇଯାଇଚି । ଏବେ ଏହି ମାମଲାର ଶୁଣାଣି ବୃହତ ଖଣ୍ଡପୀଠରେ ହେବ । ନୂଆ ଖଣ୍ଡପୀଠ ହିଜାବ ଉପରେ ନୂଆ କରି ଶୁଣାଣି କରିବେ, କାରଣ ବୃହତ ଖଣ୍ଡପୀଠରେ ଅଲଗା ଅଲଗା ବିଚାରପତି ରହିବେ । ତେବେ କେଉଁ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ, ତାହା ସିଜେଆଇ ହିଁ ସ୍ଥିର କରିବେ ।