ଆଣବିକ ଯୁଦ୍ଧ ମୁହାଁ ରୁଷ, କୌଣସି ମୁହୂର୍ତ୍ତରେ ହୋଇପାରେ ଆଣବିକ ଆକ୍ରମଣ

194

କନକ ବ୍ୟୁରୋ : ବିଶ୍ୱ ମାନଚିତ୍ରରୁ ୟୁକ୍ରେନର ଚିହ୍ନ ଲିଭାଇବାକୁ ଯୁଦ୍ଧ ମୁହାଁ ରୁଷ । ଦୀର୍ଘ ୮ ମାସ ଧରି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ କ୍ରିମିଆ ଆକ୍ରମଣ ପରେ ଆହୁରି ପ୍ରତିଶୋଧ ପରାୟଣ ହୋଇଉଠିଛି ରୁଷ । ଯୁଦ୍ଧ ଏବେ ଏଭଳି ସ୍ଥିତିରେ ପହଂଚିଛି, ଯେକୌଣସି ସମୟରେ ରୁଷ ଆଣବିକ ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି । ସେପଟେ ସାମ୍ଭବ୍ୟ ଆକ୍ରମଣ ପାଇଁ ପ୍ରସ୍ତୁତ ରହିଛି ଆମେରିକା ।

ରୁଷ- ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିଣାମ ଏବେ ଆହୁରି ଜୋରଦାର ହୋଇଛି । ଦୀର୍ଘ ୮ ମାସ ଧରି ଜାରି ରହିଥିବା ଏହି ଯୁଦ୍ଧ ଏବେ ଯେକୌଣସି ମୁହୂର୍ତରେ ଆଣବିକ ଯୁଦ୍ଧର ରୂପ ନେଇପାରେ ବୋଲି ଆଶଙ୍କା ସୃଷ୍ଟି କରିଛି । କ୍ରିମିଆ ଉପରେ ଆକ୍ରମଣ ପରେ ରୁଷ କ୍ରମାଗତ ଭାବରେ ୟୁକ୍ରେନର ବିଭିନ୍ନ ସହରର ଉପରେ ଘନଘନ ମିସାଇଲ ମାଡ କରୁଛି । ବିଶ୍ୱ ମାନଚିତ୍ରରୁ ୟୁକ୍ରେନକୁ ଲିଭାଇବା ପାଇଁ ରୁଷ ଯେଉଁ ରଣନୀତି ଆପଣାଇଛି, ତାକୁ ଆମେରିକା ସମେତ ଜି-୭ ରାଷ୍ଟସମୂହ କଡ଼ା ନିନ୍ଦା କରିଛନ୍ତି । ସମ୍ଭାବ୍ୟ ଆଣବିକ ଆକ୍ରମଣକୁ ଦୃଷ୍ଟିରେ ରଖି ଆମେରିକା ବର୍ତମାନ ବହୁସଂଖ୍ୟକ ଆୟୋଡିନ୍ ଟାବଲେଟ୍ କିଣିବାରେ ଲାଗିଛିି । ଏହି ଟାବଲେଟ୍ ଆଣବିକ ବିକିରଣକୁ ଏଡାଇବା ପାଇଁ ମୁଖ୍ୟତଃ ବ୍ୟବହୃତ ହୋଇଥାଏ ।

ୟୁକ୍ରେନ ଉପରେ ରୁଷର କ୍ଷେପଣାସ୍ତ୍ର ମାଡ ନେଇ ଜି-୭ ରାଷ୍ଟ୍ର କଡା ନିନ୍ଦା କରିଛନ୍ତି । ପୁଟିନ୍ ପରମାଣୁ ଅସ୍ତ୍ର ପ୍ରୟୋଗ କରିବା ନେଇ ଧମକ ଦେଇଥିବାରୁ ଜି-୭ ରାଷ୍ଟ୍ରମାନେ ରୁଷକୁ ଚେତାବନୀ ଦେଇଛନ୍ତି । ପରମାଣୁ ଅସ୍ତ୍ର ବ୍ୟବହାର କଲେ ରୁଷ ଭୟଙ୍କର ପରିଣାମ ଭୋଗିବ ବୋଲି ଜି-୭ ରାଷ୍ଟ୍ରର ମିଳିତ ବିବୃତିରେ କୁହାଯାଇଛି । ସେପଟେ ୧୯୩ଟି ସଦସ୍ୟ ବିଶିଷ୍ଟ ମିଳିତ ଜାତିସଙ୍ଘର ସାଧାରଣ ସଭାରେ ରୁଷ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି । ହେଲେ ଏହି ପ୍ରସ୍ତାବକୁ ସମର୍ଥନ କରିନାହିଁ ଭାରତ । ୧୪୧ଟି ଦେଶ ଏହି ପ୍ରସ୍ତାବକୁ ସମର୍ଥନ କରିଥିବା ବେଳେ ଭାରତ ସମେତ ୩୫ଟି ଦେଶ ଏହି ପ୍ରସ୍ତାବ ଉପରେ ଭୋଟ ଦେଇନାହାନ୍ତି ।
ମିଳିତ ଜାତିସଙ୍ଘରେ ପାରିତ ନିନ୍ଦା ପ୍ରସ୍ତାବକୁ ସମର୍ଥନ ନ କରି ପୁଣିଥରେ ରୁଷ ପ୍ରତି ନିଜ ବନ୍ଧୁତା ଦେଖାଇଛି ଭାରତ । ତେବେ ଏହି ବନ୍ଧୁତାକୁ ଅନ୍ୟ ରାଷ୍ଟ୍ରଗୁଡ଼ିକ କେଉଁ ଦୃଷ୍ଟିରେ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।