ପୁଣି ଆଇଡି ବିସ୍ଫୋରଣରେ ୨ ଯବାନ ଆହତ । ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର, କନ୍ଧମାଳ ତୁମୁଡ଼ିବନ୍ଧ ସିର୍ଲା ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ମୁହାଁମୁହିଁ ଯବାନ-ମାଓବାଦୀ

182

କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲା ସର୍ଲା କେହେଲିଗଡ଼ି ଅଚଂଳରେ ମାଓ ଗତିବିଧି ଖବର ପାଇ କୁମ୍ବି ଅପରେସନ୍ ଆରମ୍ଭ କରିଥିଲେ ଏସଓଜି ଯବାନ । ଜଙ୍ଗଲ ଭିତରେ ମାଓବାଦୀମାନେ କ୍ୟାମ୍ପ କରି ରହୁଥିବା ସମୟରେ ଜଙ୍ଗଲରେ ମୁହଁମୁହିଁ ହୋଇଛନ୍ତି ଯବାନ-ମାଓବାଦୀ । ତେବେ ମାଓ ବିରୋଧୀ ଅପରେସନ୍ ବେଳେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ଆହତ ହୋଇଛନ୍ତି । ଜଣେ ଯବାନଙ୍କ ଆଖିରେ ଆଘାତ ଲାଗିଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର ପାଇଁ ପ୍ରକିୟା ଆରମ୍ଭ ହୋଇଛି । ସେହିପରି ଆଉ ଜଣେ ଯବାନଙ୍କୁ ବାଲିଗୁଡ଼ା ହସ୍ପିଟାଲରେ ଚିକିତ୍ସା କରାଯାଇଛି ।

ଗୋଟିଏ ସପ୍ତାହ ପୂର୍ବରୁ କନ୍ଧମାଳ-ବୌଦ୍ଧ ସୀମାନ୍ତରେ ମାଓବାଦୀ-ଯବାନ ମୁହାଁମୁହିଁ ହୋଇଥିଲେ । ମାଓ ଠିକଣା ଉପରେ ଚଢ଼ାଇ କରି, ଯବାନମାନେ ମାଓ ପୋଷାକ, ଔଷଧ ସମେତ ବ୍ୟାପକ ସାମଗ୍ରୀ ଜବତ କରିଥିଲେ । ତେବେ ଏହା ପୂର୍ବରୁ କନ୍ଧମାଳ ଜିଲ୍ଳା ଗସ୍ତ କରି ମାଓ ସ୍ଥିତିର ସମୀକ୍ଷା କରିଥିଲେ ପୁଲିସ୍ ଡିଜି । ମାଓ ମୁକାବିଲା ପାଇଁ ମୁତୟନ ହୋଇଥିବା ସିଆରପିଏଫ, ବିଏସ୍ଏଫ, କେନ୍ଦୀୟ ବଳ ସହ ଆଲୋଚନା କରିଥିଲେ । ତେବେ ମାଓ ଗତିବିଧିକୁ ନଜରରେ ରଖି, ରବିବାର ସକାଳୁ କୁମ୍ବି ଅପରେସନ୍ କରାଯାଇଥିଲା ।

ତେବେ ଜଙ୍ଗଲ ଭିତରେ ମାଓବାଦୀଙ୍କ ଏକ ବଡ଼ ଗ୍ରୁପ୍ ଥାଇପାରନ୍ତି ବୋଲି ସନ୍ଦେହ କରୁଛନ୍ତି ସୁରକ୍ଷାକମୀ । ତେଣୁ ସମସ୍ତ ଗତିବିଧି ଉପରେ ନଜର ରଖାଯାଇଥିବା ସୂଚନା ଦିଅଯାଇଛି ।