ନଦୀ ଫୁଲୁଛି, ପାଣି ପଶୁଛି: ଆଶଙ୍କାରେ ନଈ କୂଳିଆ ଲୋକ

121

କନକ ବ୍ୟୁରୋ: ନଦୀ ଫୁଲୁଛି, ପାଣି ପଶୁଛି । ପୁରୀ ଜିଲ୍ଲା କଣାସ ବ୍ଲକର ୩ଟି ପଂଚାୟତରେ ଶହ ଶହ ଏକ ଚାଷଜମିରେ ପାଣି ଭିତରେ ବୁଡ଼ିଯାଇଛି । ସେପଟେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ୨୦ରୁ ୨୫ ଗାଁ ଏବେ ଜଳବନ୍ଦୀ ଅବସ୍ଥାରେ । ସେହିପରି କଟକ ଜିଲ୍ଲା ବାଙ୍କୀ ହୁଳୁହୁଳା ପୋଲ ଉପରେ ୨ ଫୁଟ୍ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି ।

ପୁରୀ ଜିଲ୍ଲା କଣାସ ବ୍ଲକର । ଦୟା ଓ ରାଜୁଆ ନଦୀ ଫୁଲିବାରେ ଲାଗିଛି । ଫଳରେ ୩ଟି ପଂଚାୟତ ବଡ଼ାସ, ଦୋକନ୍ଦା, ପାଣ୍ଡିଆକରା ପଂଚାୟତର ଶହ ଶହ ଏକର ଚାଷ ଜମି ବୁଡ଼ିଯାଇଛି । ଧାନ କ୍ଷେତ ଏବେ ପୋଖରୀର ଭ୍ରମ ସୃଷ୍ଟି କରୁଛି । ଖାଲି ପାଣି ହିଁ ପାଣି । ବିଲରେ ବାଇଗଣ, କାକୁଡ଼ି, ଭେଣ୍ଡି, କଲରା ଓ ପୋଟଳ ଭଳି ପରିବା ବୁଡ଼ି ରହିଛି । କେମିତି ଫସଲ ବଂଚାଇବେ ସେହି ଚିନ୍ତାରେ ଚାଷୀଙ୍କ ନିଦ ହଜିଛି ।

କଟକ ଜିଲ୍ଲା ବାଙ୍କୀ ରତାଗଡ଼ ଜାତ ମୁଣ୍ଡିଆ ରାସ୍ତାର ହୁଳୁହୁଳା ପୋଲ ଉପରେ ୨ ଫୁଟ୍ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ସେହିପରି ସୁବର୍ଣ୍ଣପୁର ପଂଚାୟତରୁ ଓସ୍ତିଆ ପଂଚାୟତକୁ ଯାଇଥିବା ରାସ୍ତାର ଆନନ୍ଦପୁର ନିକଟରେ ଥିବା ଅସ୍ଥାୟୀ ରାସ୍ତା ଧୋଇ ହୋଇଯାଇଛି । ଫଳରେ ଓସ୍ତିଆ ପଂଚାୟତରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେପଟେ ବ୍ରିଜ ନିର୍ମାଣରେ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ । ବ୍ରିଜର ନିର୍ମାଣ କାମ ଶୀଘ୍ର ଶେଷ କରିବାକୁ ଦାବି କରିଛନ୍ତି ଆନନ୍ଦପୁରବାସୀ ।

ମହାନଦୀ ପାଣି ଚାଲୁଥିବାରୁ ବୌଦ୍ଧ ଓ ହରଭଙ୍ଗାକୁ ଯୋଡ଼ୁଥିବା ସଡ଼କରେ ଯୋଗାଯୋଗ ବିଛିନ୍ନ ହୋଇଛି । ୨୦ରୁ ୨୫ ଗାଁ ଏବେ ଜଳବନ୍ଦୀ ଅବସ୍ଥାରେ । ହରଭଙ୍ଗା ବ୍ଲକର କୃଷ୍ଣମୋହନପୁର, ମଥୁରା ରାମଗଡ଼, ଧଳପୁର ଓ ବିରନର୍ସିଙ୍ଗପୁର ପରି ପଂଚାୟତ ଏବେ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି । ଏହାସହ ଶହ ଶହ ଏକର ଚାଷ ଜମି ବି ପାଣି ଭିତରେ ବୁଡ଼ି ରହିଛି ।