ହାଇଦ୍ରାବାଦରେ ସରିଲା ସିଡବ୍ଲୁସି ବୈଠକ: ଦଳୀୟକର୍ମୀଙ୍କୁ ବିଜୟମନ୍ତ୍ର ଦେଲେ ସୋନିଆ ଓ ଖଡଗେ

108

କନକ ବ୍ୟୁରୋ: ତେଲେଙ୍ଗାନାରେ ସରିଲା କଂଗ୍ରେସ ମେଳି । ଦୁଇ ଦିନ ଧରି ଚାଲିଥିବା କଂଗ୍ରେସ କାର୍ଯ୍ୟକାରୀଣି କମିଟି ବୈଠକ ଶେଷ ହୋଇଛି । ଆଗକୁ ୨୦୨୪ ଲୋକସଭା ନିର୍ବାଚନ ସହ ୫ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ବିଜେପି ସରକାରଙ୍କୁ କଳେବଳେ କୌଶଳେ ମାତ ଦେବାକୁ ବୈଠକରେ ଚର୍ଚ୍ଚା ହୋଇଛି । ସୂଚନା ଅନୁସାରେ ଦଳ ସଂରକ୍ଷଣକୁ ନେଇ ମାଷ୍ଟରଷ୍ଟ୍ରୋକ ଖେଳିବାକୁ ଚାହୁଁଛି ଓ ଦଳିତଙ୍କ ଭୋଟ ଉପରେ ଅଧିକ ଫୋକସ କରୁଛି । ଚର୍ଚ୍ଚା ହେଉଛି ସିଡବ୍ଲୁସି ବୈଠକ କରି ତେଲେଙ୍ଗାନାରୁ ଶଂଖନାଦ କରିଛି ସୋନିଆ ବାହୀନୀ ।

୨୦୨୪ଲୋକସଭା ନିର୍ବାଚନରେ ବିଜେପି ସରକାରଙ୍କୁ କଳେବଳେ କୌଶଳେ ମାତ ଦେବାକୁ କଂଗ୍ରେସ କରୁଛି ଜୋରଦାର ପ୍ରସ୍ୁତି । କିଭଳି ବିଜେପିର ବିଜୟ ରଥକୁ ରୋକାଯିବ ସେନେଇ ହାଇଦ୍ରାବାଦରେ ବସିଥିବା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି । ଦଳର ଫୋକସରେ ରହିଛି ଜାତି ସମୀକରଣ । ଜାତିଗତ ଜନଗଣନା,ଦଳିତ, ଆଦିବାସୀ, ଓବିସି ସଂରକ୍ଷଣ ସୀମା ବୃଦ୍ଧି ଉପରେ ବରିଷ୍ଠ ନେତା ନିଜର ନିଜର ମତାମତ ରଖିଥିବା ଜଣାପଡିଛି । ଇତିହାସ କହୁଛି ଯେଉଁ ରାଜ୍ୟଗୁଡିକରେ କଂଗ୍ରେସ ବିଜେପିକୁ ସିଧାସଳଖ ଚ୍ୟାଲେଂଜ ଦେଉଛି ସେଠାରେ ଅଳ୍ପସଂଖ୍ୟକ ଦବଦବା ରହିଛି । ଦଳିତ, ଆଦିବାସୀମାନେ କଂଗ୍ରେସର ପାରମ୍ପାରିକ ଭୋଟର ଅଟନ୍ତି ।

ୁଇ ଦିନ ଧରି ହାଇଦ୍ରାବାଦରେ ବସିଥିବା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ରବିବାର ଶେଷ ହୋଇଛି । ତେଲେଙ୍ଗାନା ସହ ୫ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ କିଭଳି ମୋଦୀ ସରକାରଙ୍କୁ ଦଳ ମାତ ଦେବ ସେନେଇ ହୋଇଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ବୈଠକ ପରେ ଦଳ କହିଛି ଲୋକସଭା ସହ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ପାଇବ ଜନତାଙ୍କ ଭରଷା, ଭୋଟ ଓ ଭଲପାଇବା । ସେପଟେ କାଲିଠୁ ବସୁଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ସରକାରଙ୍କୁ ଘେରିବାକୁ ମଧ୍ୟ ବୈଠକରେ ଚର୍ଚ୍ଚା କରାଯାଇଛି ।

ଗୋଟେ ପଟେ ବିଜେପିକୁ ଘେରିବା ପାଇଁ ହାଇଦ୍ରାବାଦରେ କଂଗ୍ରେସ ମେଳି କରିଛି ସେପଟେ କଂଗ୍ରେସକୁ କଟାକ୍ଷ କରି ବିଆରଏସ ଦୁର୍ନିତୀର ଲମ୍ବା ଚିଠା ସାମ୍ନାକୁ ରଖିବା ସହ ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ ପୋଷ୍ଟର ୱାର ଦେଖିବାକୁ ମିଳିଛି ।