ବାଲେଶ୍ୱରରେ ପିପିଲି ଚାନ୍ଦୁଆର ଛାପ । ସୁନ୍ଦର ଚାନ୍ଦୁଆ ସହ ଫିନାଇଲ ଓ ଛତୁ ଚାଷ କରି ଉପକୃତ ହେଉଛି ଏସଏଚଜି ମହିଳା

96

କନକ ବ୍ୟୁରୋ : କୁହାଯାଏ ମହିଳାଙ୍କ ବିକାଶ ହିଁ ଦେଶର ବିକାଶ । ମହିଳା ମାନଙ୍କର ଆର୍ଥିକ ସ୍ଥିତିରେ ବିକାଶ ହେଲେ ପରିବାର ଆର୍ଥିକ ଦୁରାବସ୍ଥା ଦୂର ହୁଏ । ସେହିଭଳି କିଛି ଦୃଶ୍ୟ ଏବେ ଗ୍ରାମାଂଚଳରେ ଦେଖିବାକୁ ମିଳୁଛି    । ବାଲେଶ୍ୱର ଜିଲ୍ଲା ଖଇରା ବ୍ଳକ ଡାଲଙ୍ଗ-ଟୁ ଗାଁର ମହିଳା ମାନେ ଚାନ୍ଦୁଆ, ଧୂପ, ଫିନାଇଲ ଭଳି ବିଭିନ୍ନ ସାମଗ୍ରୀ ତିଆରି କରି ଚର୍ଚ୍ଚା ଆସିଛନ୍ତି । ମହାମାୟୀ ମହିଳା ମଣ୍ଡଳୀ ଗ୍ରୁପର ୨୦ ଜଣ ସଦସ୍ୟ କପଡ଼ାରୁ ବିଭିନ୍ନ ପ୍ରକାରର ଚାନ୍ଦୁଆ ତିଆରି କରି ଭଲ ରୋଜଗାର କରୁଛନ୍ତି । ସେମାନଙ୍କ ହାତ ତିଆରି ସାମଗ୍ରୀ ସ୍ଥାନୀୟ ମାର୍କେଟ ସହିତ ସୋର, ବାଲେଶ୍ୱର ଏବଂ ଅନ୍ୟ ଅଂଚଳକୁ ବିକ୍ରି ପାଇଁ ପଠାଯାଉଛି । ଲୋକଙ୍କ ଅର୍ଡର ମୁତାବକ ମହିଳା ମାନେ ବିଭିନ୍ନ ସାମଗ୍ରୀ ତିଆରି କରି ବିକ୍ରି କରୁଛନ୍ତି । ଏହା ସହ ବିଭିନ୍ନ ମେଳା ମହୋତ୍ସବରେ ଏହି ସବୁ ସାମଗ୍ରୀ ବିକ୍ରି କରି ସେମାନେ ଉପକୃତ ହେଉଛନ୍ତି ।

ଚାନ୍ଦୁଆରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସହ ବିଭିନ୍ନ ଦେବାଦେବୀଙ୍କ ଚିତ୍ର ଆଙ୍କୁଛନ୍ତି ମହିଳା । ଯାହାକୁ ଲୋକ ମାନେ ବିଭିନ୍ନ ମନ୍ଦିର ଓ ଠାକୁର ଘର ସଜାଇବା ପାଇଁ କିଣି ନେଉଛନ୍ତି । ଖାଲି ଏତିକି ନୁହେଁ ମହିଳା ମାନେ ମିଳିମିଶି ଛତୁ ଚାଷ ମଧ୍ୟ କରୁଛନ୍ତି । ଏହାକୁ ନିକଟସ୍ଥ ବଜାରରେ ବିକ୍ରି କରି କିଛି କିଛି ରୋଜଗାର କରୁଛନ୍ତି । ଏହା ଦ୍ୱାରା ମହିଳା ମାନେ ମାସକୁ ୪ରୁ ୫ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ଏଭଳି କାର୍ଯ୍ୟ ପାଇଁ ମହିଳା ମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

ପୂର୍ବରୁ ମହିଳା ମାନେ ଘର କାମରେ ସୀମିତ ରହୁଥିଲେ । ସେମାନଙ୍କୁ ରୋଜଗାର କରିବା ପାଇଁ ଏବେ ସ୍ୱୟଂ ସହାୟକ ଗୋଷ୍ଠୀ ଏକ ମଧ୍ୟମ ପାଲଟିଛି । ମହିଳା ମାନେ ଏକାଠି ହୋଇ ଏଭଳି କାମକୁ ଆପଣାଇନେଇଛନ୍ତି । ଯାହା ତାଙ୍କ ପରିବାର ପ୍ରତିପୋଷଣରେ ବେଶ ସହାୟକ ହେଉଛି ।