ତେଲେଙ୍ଗାନାରେ ମାୟାବତୀଙ୍କ ଦଳ ବିଏସପି ଜାରିକଲା ନିର୍ବାଚନୀ ଇସ୍ତାହାର । କହିଲା ସରକାର ଗଠନ କଲେ ବାଣ୍ଟିବୁ ମୋବାଇଲ ଫୋନ ଓ ୱାସିଂ ମେସିନ୍

88

କନକ ବ୍ୟୁରୋ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ରାଜ୍ୟରେ ରାଜନୀତି ସରଗରମ ହେବାରେ ଲାଗିଛି । ଶାସକ ବିଆରଏସ ପୁଣିଥରେ କ୍ଷମତା ଦଖଲ କରିବାକୁ ଅଣ୍ଟା ଭିିଡିଥିବା ବେଳେ ବିରୋଧୀ ମେଣ୍ଟ ଇଣ୍ଡିଆ କଂଗ୍ରେସ ନେତୃତ୍ୱରେ ତେଲେଙ୍ଗାନାରେ ନିର୍ବାଚନ ଲଢିବାକୁ ଯାଉଛି । ସେପଟେ ଏନଡିଏ ମଧ୍ୟ ତେଲେଙ୍ଗାନା ଦଖଲ କରିବାକୁ ଚେଷ୍ଟା ଚଳାଇଛି । ହେଲେ ବହୁଜନ ସମାଜବାଦୀ ପାର୍ଟି ତେଲେଙ୍ଗାନାରେ ଏକାକୀ ନିର୍ବାଚନ ଲଢୁଥିବା ବେଳେ ତାର ନିର୍ବାଚନୀ ଇସ୍ତାହାର ଅନ୍ୟ ରାଜନୈତିକ ଦଳମାନଙ୍କୁ ଚକିତ କରିଛି ।

ମଙ୍ଗଳବାର ଦିନ ବିଏସପି ତରଫରୁ ତେଲେଙ୍ଗାନାବାସୀଙ୍କ ପାଇଁ ତାର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ଏହି କ୍ରମରେ ବିଏସପି କହିଛି କି ଯଦି ତେଲେଙ୍ଗାନା ଭୋଟର ବିଏସପିକୁ ସରକାର ଗଠନ କରିବାର ସୁଯୋଗ ଦିଅନ୍ତି ତେବେ ରାଜ୍ୟର ସମସ୍ତ କର୍ମଜୀବୀ ମହିଳା ଓ କୃଷକ ପରିବାରକୁ ଗୋଟିଏ ଗୋଟିଏ ୱାସିଂ ମେସିନ୍ ଓ ସ୍ମାର୍ଟଫୋନ ମାଗଣାରେ ଯୋଗାଇ ଦିଆଯିବ ।

କେବଳ ସେତିକି ନୁହେଁ ବିଏସପି ଘୋଷଣା କରିଛି କି ତେଲେଙ୍ଗାନାରେ ଦଳ ସରକାର ଗଠନ କଲେ ରାଜ୍ୟର ବେକାର ଯୁବକ ଯୁବତୀଙ୍କ ପାଇଁ ୧୦ ଲକ୍ଷ ରୋଜଗାର ସୃଷ୍ଟି କରାଯିବ । ଏହି ୧୦ ଲକ୍ଷ ରୋଜଗାର ମଧ୍ୟରୁ ମହିଳାଙ୍କ ଭାଗିଦାରୀ ୫୫ ପ୍ରତିଶତ ରହିବ ବୋଲି ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ ରହିଛି । ଏହାସହ ସମସ୍ତ କର୍ମଜୀବୀ ମହିଳାମାନଙ୍କୁ ମାଗଣାରେ ଡ୍ରାଇଭିଂ ଟ୍ରେନିଂ ଦେବାକୁ ଦଳ ପ୍ରତିଶ୍ରୁତି ଦେଇଛି ।

ବିଏସପି ପ୍ରଦେଶ ସଭାପତି ତଥା ପୂର୍ବତନ ଆଇଏଏସ ଆରଏସ ପରଭୀନ କହିଛନ୍ତି କି ସରକାର ଗଠନ ହେଲେ ସେଥିରେ ୩୩ ପ୍ରତିଶତ ମହିଳା ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିବ । ଏହାସହ ରାଜ୍ୟର ଛାତ୍ରନେତାମାନଙ୍କୁ ଛାୟା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯିବ ।

ଭୂମିହୀନ ମାନଙ୍କୁ ୫୫୦ ବର୍ଗଫୁଟର ଘର ଯୋଗାଇ ଦିଆଯିବ । ରାଜ୍ୟର ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦିତ ଶଷ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ଆଇନ ସମ୍ମତ କରାଯିବ । ପ୍ରାକୃତିକ ବିପର୍ଯ୍ୟୟରେ ଫସଲ ନଷ୍ଟ ହେଲେ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ ।

କେବଳ ସେତିକି ନୁହେଁ ବିଏସପି ସରକାର ଗଠନ କଲେ ପ୍ରତି ପରିବାରକୁ ୧୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା କଭର ମିଳିବ । ରାଜ୍ୟର ପ୍ରତି ମଣ୍ଡଳରେ ଗୋଟିଏ ଲେଖାଏଁ ଇଣ୍ଟରନ୍ୟାସନାଲ ସ୍କୁଲ ଖୋଲାଯିବ । ପ୍ରତିବର୍ଷ ପୋଷଣ ଓ ସ୍ୱାସ୍ଥ୍ୟ ଯୋଜନା ବାବଦରେ ୨୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯିବ ବୋଲି ବିଏସପି ନିର୍ବାଚନୀ ପ୍ରତିଶ୍ରୁତି ଦେଇଛି ।