ପାଖେଇ ଆସୁଛି ଭୋଟ୍ ତାରିଖ : ପ୍ରଚାରରେ ଜମୁଛି ଝାରସୁଗୁଡା; ଲୋକଙ୍କ ସହ ମିଶି ନାଚିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

158

କନକ ବ୍ୟୁରୋ : ପାଖେଇ ଆସୁଛି ଝାରସୁଗୁଡ଼ା ଉପନିର୍ବାଚନ । ନିର୍ବାଚନୀ କ୍ୟାମ୍ପେନରେ କମ୍ପୁଛି ଝାରସୁଗୁଡ଼ା । ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି । ବିଜେଡି ପ୍ରାର୍ଥୀ ଦିପାଳୀ ଦାସ ଭୋଟ୍ ହାତେଇବାକୁ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି । ଲୋକଙ୍କ ସହ ମିଶି ନାଚୁଥିବାର ଦେଖିବାକୁ ମିଳିଛି ।

ଦିପାଳୀ ଲାଇକେରା ବ୍ଲକରେ ପହଞ୍ଚିବା ପରେ ଲୋକେ ତାଙ୍କୁ ପାରମ୍ପରିକ ଆଦିବାସୀ ନୃତ୍ୟରେ ସ୍ୱାଗତ କରିଥିଲେ । ଏହି ସମୟରେ ପଦ୍ମପୁର ବିଧାୟିକା ବର୍ଷା ସିଂହ ବରିହା ମଧ୍ୟ ଥିଲେ । ଲୋକଙ୍କ ସହ ମିଶି ଉଭୟ ବର୍ଷା ଓ ଦିପାଳୀ ନାଚିଥିଲେ । ସେହିପରି ଷ୍ଟାର କ୍ୟାମ୍ପେନରଙ୍କୁ ନେଇ ପ୍ରଚାରକୁ ଜୋରଦାର କରିଛି ବିଜେପି । କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ନେତା ଓ କର୍ମୀମାନେ ରାଲି ଓ ଡୋର ଟୁ ଡୋର କ୍ୟାମ୍ପେନିଂ କରି ଭୋଟ୍ ମାଗୁଛନ୍ତି ।

ଗତ ସାଧାରଣ ନିର୍ବାଚନ ସମୟରେ ଝାରସୁଗୁଡ଼ା ମ୍ୟୁନିସିପାଲଟି ଅଞ୍ଚଳରେ ବିଜେଡି ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିଠାରୁ ପ୍ରାୟ ୧୦ ହଜାର ଭୋଟ୍‌ ଅଧିକ ହାତେଇବାରେ ସକ୍ଷମ ହୋଇଥିଲା । ସେହି ସମୟରେ ବିଜେଡି ଖାତାକୁ ୨୭ ହଜାର ୧୨୯ ଖଣ୍ଡ ଭୋଟ୍‌ ଯାଇଥିବା ବେଳେ ବିଜେପି ଖାତାକୁ ୧୬,୦୮୧ ଖଣ୍ଡ ଭୋଟ୍‌ ଯାଇଥିଲା। ମାତ୍ର, ଗତ ପୌର ନିର୍ବାଚନ‌ ବେଳକୁ ସ୍ଥିତି ବଦଳି ଯାଇଥିଲା ।

ଯଦିଓ ବିଜେପି ମାତ୍ର ୩ଟି ୱାର୍ଡ ଦଖଲ କରିଥିଲା ବଳକା, ୨୧ଟି ୱାର୍ଡ ବିଜେଡି ଖାତାକୁ ଯାଇଥିଲା । ସେହି ୨୧ଟି ୱାର୍ଡରେ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ଯେଉଁଠି ବିଜେଡିକୁ ମୋଟ ୨୬,୭୨୯ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ବିଜେପି ନିଜ ଭୋଟ୍‌ ସଂଖ୍ୟା ବୃଦ୍ଧି କରି ୨୦ ହଜାର ୫୬୭ରେ ପହଞ୍ଚିଥିଲା। ସେପଟେ, କଂଗ୍ରେସ ସାଧାରଣ ନିର୍ବାଚନ ତୁଳନାରେ ପୌର ନିର୍ବାଚନ ବେଳକୁ ନିଜର ଅସ୍ତିତ୍ବ ହରାଇ ବସିଥିଲା।