ଝାରପଡା ଜେଲ ଭିତରେ ମଉଜ ମଜଲିସ! । ଆକ୍ସନ ମୋଡରେ ଜେଲ ଡିଜି

48

କନକ ବ୍ୟୁରୋ : ଭୁବନେଶ୍ୱର ଝାରପଡା ଜେଲକୁ ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚା । ଅପରାଧୀ ଓ ଜେଲ ଭିତରର ମଧୁଚନ୍ଦ୍ରିକା ଯୋଗୁ ଅଏସ ଆରାମରେ ଦିନ କାଟୁଛନ୍ତି କଏଦୀ । ଜେଲ ଭିତରୁ ନିଶାଦ୍ରବ୍ୟ ମିଳିବା ଘଟଣା ଗୋଟିଏ ଜିନିଷ ସ୍ପଷ୍ଟ କରୁଛି ଯେ, କାରାଗାରରେ ଚାଲିଛି ନିଶା କାରବାର । ନିଶାଡିଙ୍କୁ ଅତି ସହଜରେ ଗଞ୍ଜେଇ, ବିଡି, ଚିଲମ ଭଳି ନିଶାଦ୍ରବ୍ୟ ଯୋଗାଇ ଦିଆଯାଉଛି । ଯେଉଁଥିପାଇଁ ବିଶୃଙ୍ଖଳା, ମାରପିଟ, ଗଣ୍ଡଗୋଳ ଆଉ ଗୋଷ୍ଠୀକନ୍ଦଳ ଭଳି ଘଟଣା ସାମାନାକୁ ଆସୁଛି । କଏଦୀମାନେ ଏବେ ନିଜ ନିଜର ଗ୍ୟାଙ୍ଗ ତିଆରି କରିବାରେ ଲାଗି ପଡିଥିବା ବେଳେ, ଶକ୍ତି ପଦର୍ଶନ କରିବା ଆରମ୍ଭ କରି ଦେଇଛନ୍ତି । ଜେଲ ମୁଖିଆଙ୍କ ଅଜାଣତରେ ନୁହେଁ ବରଂ ସାଜିସରେ ହିଁ ଜେଲ ଭିତରେ ନିଶା କାରବାର ହେଉଥିବା କହିଛନ୍ତି ପୁର୍ବତନ ପୁଲିସ ଅଧିକାରୀ ।

ଝାରପଡା ଘଟଣାକୁ ନେଇ ନିନ୍ଦା କରିଛନ୍ତି ପୂର୍ବତନ ଜେଲ ଅଧିକାରୀ । କହିଛନ୍ତି ଜେଲ ଭିତରେ ଏହି କାରବାର କିଛି ନୁଆ ନୁହେଁ । ଦୀର୍ଘଦିନ ଧରି ଅଫିସରମାନଙ୍କ ବଦଳି ନହେଉ ଥିବାରୁ ଏସବୁ ଘଟଣା ଘଟିଚାଲିଛି । ଦୀର୍ଘଦିନ ଧରି ଅଧିକାରୀମାନଙ୍କ ଉପସ୍ଥିତି ଯୋଗୁଁ ଅପରାଧୀଙ୍କ ସହ କର୍ମଚାରୀଙ୍କ ସଂପର୍କ ନିବିଡ ହୁଏ ଆଉ ଏହି ସବୁ ବେଆଇନ କାର୍ଯ୍ୟ ଦେଖିବାକୁ ମିଳେ ।

ଏ ତମାମ ଘଟଣାର ତଦନ୍ତ କରି ଖୁବଶୀଘ୍ର ରିପୋର୍ଟ ଦାଖଲ କରିବା ପାଇଁ ଜେଲର ବରିଷ୍ଠ ଅଧିକାରୀଙ୍କୁ ଜେଲ ଡିଜି ନିର୍ଦେଶ ଦେଇଛନ୍ତି । ଗଣ୍ଡଗୋଳ କରିଥିବା ଅପରାଧୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ନେଇ ମଧ୍ୟ ଯୋଜନା କରାଯାଉଛି । ବିଶେଷକରି
-କେଉଁ କାରଣ ପାଇଁ ଜେଲ ଭିତରେ ବିଶ୍ୃଙ୍ଖଳା ଦେଖାଗଲା?
-ନିଶାଦ୍ରବ୍ୟ ଜେଲ ଭିତରକୁ କିଏ ନେଉଥିଲା?
-ଅପରାଧୀଙ୍କ ସହ କେଉଁ କର୍ମଚାରୀଙ୍କର ଏବଂ କେବେଠୁ ସଂପର୍କ ରହିଛି? ଏନେଇ ସିସିଟିଭି ସହ ଛାନଭିନ ଆରମ୍ଭ ହୋଇଛି ।