ଦେଶରେ ବଢୁଛି ଆର୍ଥିକ ଅସମାନତା: ୧ ପ୍ରତିଶତ ଧନୀଙ୍କ ପାଖରେ ୪୦% ସମ୍ପତି, ଶିକ୍ଷାର ଅଭାବ ଯୋଗୁଁ ସ୍ୱଳ୍ପ ବେତନରେ ଫଶି ରହୁଛନ୍ତି ଲୋକେ

75

କନକ ବ୍ୟୁରୋ: ବ୍ରିଟିସ୍ ଶାସନ କାଳରେ ଯାହା ଦେଖିବାକୁ ମିଳୁନଥିଲା ତାହା ଏବେ ଦେଖିବାକୁ ମିଳୁଛି । ଭାରତର ୧% ଧନୀଙ୍କ ପାଖରେ ଦେଶର ୪୦.୧% ସମ୍ପତ୍ତି ରହିଛି । ଯାହା ୧୯୬୧ ମସିହା ପରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ସେହପିରି ୧୯୯୨ ମସିହା ପରେ ପ୍ରଥମ ଥର ପାଇଁ ୧% ଧନୀଙ୍କ ଆୟ ଦେଶର ୨୨.୬ % ଆୟ ସହ ସମାନ ହୋଇଛି । ୱାର୍ଲଡ ଇନଇକ୍ୱାଲିଟି ଲ୍ୟାବ ପକ୍ଷରୁ ଭାରତର ଧନୀ-ଗରିବଙ୍କ ମଧ୍ୟରେ ବୈଷମ୍ୟକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ରିପୋର୍ଟରେ ଦର୍ଶାଯାଇଛି ଯେ, ଭାରତରେ ଆର୍ଥିକ ସ୍ତରରେ ଦୁର୍ବଳ ଥିବା ଜନସଂଖ୍ୟାର ୫୦ ପ୍ରତିଶତଙ୍କ ପାଖରେ ଜାତୀୟ ଆୟର ମାତ୍ର ୧୫% ରହିଛି । ବିଶେଷକରି ୨୦୦୦ ମସିହାରୁ ଭାରତରେ ଧନୀ ଏବଂ ଗରିବଙ୍କ ମଧ୍ୟରେ ଅସମାନତା ବଢୁଥିବା ଦେଖିବାକୁ ମିଳିଛି ।

ଭାରତରେ ବଢୁଥିବା ଆୟ ବୈଷମ୍ୟର ମୁଖ୍ୟ କାରଣ ଶିକ୍ଷା ବୋଲି କୁହାଯାଉଛି । ଶିକ୍ଷାର ଅଭାବ ଯୋଗୁ ବହୁ ଲୋକ ସ୍ୱଳ୍ପ ବେତନରେ ଫଶି ରହିଛନ୍ତି । ସେଥିପାଇଁ ନିମ୍ନ ଆୟକାରୀ ବର୍ଗର ୫୦ ପ୍ରତିଶତ ଏବଂ ମଧ୍ୟବିତ ବର୍ଗର ୪୦ ପ୍ରତିଶତ ଲୋକଙ୍କ ଅଭିବୃଦ୍ଧି ହୋଇପାରୁନାହିଁ ।

ୱାର୍ଲଡ ଇନଇକ୍ୱାଲିଟି ଲ୍ୟାବ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଭାରତରେ କିପରି ବିଲିଓନେୟାରଙ୍କ ସଂଖ୍ୟା ବୃଦ୍ଧିପାଇଛି ତାହା ଦର୍ଶାଯାଇଛି । ୧୯୪୭ରେ ଦେଶ ସ୍ୱାଧୀନ ହେବା ପରେ ୧୯୯୨ରେ ଭାରତ ଅର୍ଥୀନତିରେ ସଂସ୍କାର ଆଣିଥିଲା । ଏହାପରଠୁ ଭାରତରେ ବିଲିଓନେୟାରଙ୍କ ସଂଖ୍ୟା ବୃଦ୍ଧି ପାଇବରେ ଲାଗିଛି । ରିପୋର୍ଟ ମୁତାବକ, ୧୯୯୨ରେ ଭାରତରେ ଜଣେ ମାତ୍ର ବିଲିଓନେୟାର ଥିବା ବେଳେ ୨୦୨୨ ସୁଦ୍ଧା ବିଲିଓନେୟାରଙ୍କ ସଂଖ୍ୟା ୧୬୨ରେ ପହଂଚିଛି । ଭାରତରେ ସବୁଠୁ ଧନୀ ତାଲିକାରେ ଶ୍ରେଷ୍ଠରେ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀ ଅଛନ୍ତି ।

ଧନୀ-ଗରିବଙ୍କ ମଧ୍ୟରେ ଥିବା ଏହି ଅସମାନତାକୁ ହଟାଇବାକୁ ହେଲେ ଧନୀଙ୍କ ଉପରେ ସୁପର ଟାକ୍ସ ଲଗାଇବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି । ଯଦି ଦେଶର ୧୬୨ ସବୁଠୁ ଧନୀଙ୍କ ସମ୍ପତି ଉପରେ ମାତ୍ର ୨% ସୁପର ଟ୍ୟାକ୍ସ ଲଗାଯାଏ, ତେବେ ଦେଶର ମୋଟ ରାଜସ୍ୱ ଶୂନ୍ୟ ଦଶିମକ ୫ ପ୍ରତିଶତ ଅଭିବୃଦ୍ଧି ଘଟିବ ବୋଲି କୁହାଯାଇଛି ।